ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାରେ ୭୦ ପ୍ରତିଶତ ଆଦିବାସୀ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି। ବିଶେଷକରି ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା, ଡିଡାୟୀ ଭଳି କନ୍ଧ, ପରଜା, ଦୁରୁଆ, କୋୟା ଭଳି ଆଦିବାସୀଙ୍କର ବାସସ୍ଥାନ ଅଟେ। ଏହି ସଂପ୍ରଦାୟଗୁଡିକରେ ଆଜି ବି ଲୋକେ ଅନ୍ଧ ବିଶ୍ବାସକୁ ଜାବୁଡି ଧରିଛନ୍ତି। କେବଳ ଶିକ୍ଷିତ ଆଦିବାସୀ ହିଁ ଅନ୍ଧବିଶ୍ବାସ ଠାରୁ ବହୁ ଦୁରରେ ରହିଛନ୍ତି।

Advertisment

ମାଲକାନଗିରି ଜିଲ୍ଲାର ସମସ୍ତ ଦୁର୍ଗମ ଅଂଚଳରେ ଲୋକେ ଆଜି ବି ଡିସାରୀ ଓ ଗୁଣିଆଙ୍କ ଉପରେ ନିର୍ଭର କରି ଚଳନ୍ତି। ଯେପରି ପର୍ବ ପର୍ବାଣୀ ହେଲେ କେଉଁ ଦିନ କେଉଁ ପର୍ବ ପାଳନ କରାଯାଏ ସେଥିପାଇଁ ଡିସାରି ଓ ଗୁଣିଆଙ୍କର ଖୋଜା ପଡେ। ଏହା ଛାଡ଼ିଦେଲେ ସବୁଠାରୁ ମାରାତ୍ମକ ହେଉଛି ରୋଗ ବୈରାଗ ହେଲେ ଲୋକେ ଡାକ୍ତରଖାନାକୁ ଯିବା ଅପେକ୍ଷା ପ୍ରଥମେ ଡିସାରୀ ଓ ଗୁଣିଆଙ୍କ ନିକଟକୁ ଯିବାକୁ ପସନ୍ଦ କରନ୍ତି। ଏମାନଙ୍କ ପାଖରେ ଦିନ ଦିନ ଧରି ଚିକିତ୍ସା କରାନ୍ତି।

ଯେତେବେଳେ ରୋଗ ବଢିଯାଏ ସେତେବେଳେ ବାଧ୍ୟ ହୋଇ ଡାକ୍ତରଙ୍କର ଶରଣ ପଶନ୍ତି। ବିଶେଷକରି ଦୁର୍ଗମ ଅଂଚଳରେ ଏସବୁ ଜୋରସୋରରେ ଚାଲିଛି। ଆଜି ବି ଆଦିବାସୀ ନିଜର ପରଂପରାକୁ ଜାବୁଡି ଧରିଛନ୍ତି। ଜିଲ୍ଲାରେ ଯେତେବଡ ଡାକ୍ତରଖାନା ତିଆରି ହେଉ ନା କାହିଁକି, ଲୋକେ ପ୍ରଥମେ ଡିସାରୀ ଓ ଗୁଣିଆଙ୍କ ନିର୍ଦେଶ ଅନୁସାରେ ଚିକିତ୍ସା କରାନ୍ତି, ତାପରେ ଡାକ୍ତରଖାନାକୁ ମୁହାନ୍ତି। ସେତେବେଳକୁ ବହୁ ଡେରି ହୋଇଯାଇଥାଏ।

Mkg Gunia O Disari supertitious (3)

ଦୁର୍ଗମ ପାହାଡ଼ିଆ ଅଂଚଳରୁ ଡିଡାୟୀ ସଂପ୍ରଦାୟର ଯୁବତୀ ଚମ୍ପା ରାସପେଦା ଆଜି ଡାକ୍ତର ବନିବେ। କିନ୍ତୁ ସେ ବି ସ୍ବୀକାର କରିଛନ୍ତି ଯେ ତାଂକ ଅଂଚଳରେ ଲୋକେ ପ୍ରଥମେ ଡିସାରୀ ଓ ଗୁଣିଆଙ୍କୁ ଦେଖାଇବା ପରେ ହିଁ ଡାକ୍ତରଖାନାକୁ ଯାଇଥାନ୍ତି। ଏହି ଅନ୍ଧବିଶ୍ବାସକୁ ସେ ଦୁର କରିବା ପାଇଁ ପ୍ରୟାସ ଆରମ୍ଭ କରିବେ ବୋଲି କହିଛନ୍ତି। ଏତିକିରେ କଥା ସରିନାହିଁ। ଯେତେବେଳେ ଗାଁରେ ଲଗାତାର ମୃତ୍ୟୁ ହୁଏ,ସେତେବେଳେ ଗୁଣିଆ କରୁଥିବା ଲୋକଙ୍କ ଉପରେ ଗ୍ରାମବାସୀଙ୍କର ଆକ୍ରୋସ ବଢେ। ଏପରିକି ଗୁଣିଆ କରାଯାଇଥିବା ସଂଦେହ କରି ହତ୍ୟା ପର୍ଯ୍ୟନ୍ତ କଥା ଯାଏ। ଜିଲ୍ଲାରେ କିନ୍ତୁ ଗତ ତିନି ବର୍ଷ ହେଲା ଏଭଳି ହତ୍ୟା କମିଛି।

 ୨୦୨୩ରେ ଏଭଳି ଘଟଣାରେ ଜଣେ ଆହତ ହୋଇଥିବା ବେଳେ ୨୦୨୪ ଓ ୨୦୨୫ ମସିହାରେ ଗୋଟିଏ ବି ଘଟଣା ଏଭଳି ଘଟି ନାହିଁ। ପ୍ରତିବର୍ଷ ଗୁଣିଆ ଓ ଡିସାରୀଙ୍କ ଚିକିତ୍ସାରେ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଯାଇଥାଏ। ସଚେତନତାର ଅଭାବ ଯୋଗୁଁ ଲୋକେ ଆଜି ବି ଏହି ଅନ୍ଧବିଶ୍ବାସକୁ ଜାବୁଡି ଧରିଛନ୍ତି। ଆଧୁନିକତାକୁ ଆପଣେଇବାକୁ ଏମାନେ ଆଜି ବି କୁଣ୍ଠାବୋଧ କରନ୍ତି। ତେଣୁ ପ୍ରଶାସନ ଓ ସରକାର ଏନେଇ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 Malkangiri