ରାଉରକେଲା: ‘ତମେମାନେ ସବୁଠାରୁ ଭାଗ୍ୟବାନ। ଉଚିତ ସମୟରେ ସ୍ନାତକ ହେଉଛ। ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ, ଭାରତ ଚତୁର୍ଥ ବୃହତ ଅର୍ଥନୀତି। ବାସ୍ତବରେ ଏହା ହେଉଛି ସର୍ବୋତ୍ତମ ସମୟ, ଯେଉଁଥିରେ ଯୁବପିଢ଼ି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଭରି ରହିଛି। ଏହାର ସୁଯୋଗ ନିଅ। ସଫଳତାର ସହ ଡିଗ୍ରି ସମାପନକରି ନୂତନ ସୋପାନରେ ପହଞ୍ଚିଛ। ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବ। ନିଜକୁ ପ୍ରତିଷ୍ଠିତ କରିବ।

Advertisment

ତେବେ ବିଦେଶ ଯିବା ପରିବର୍ତ୍ତେ ଭାରତରେ ରହି ଭାରତର ସେବା କର। ଏଭଳିଭାବେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ।ଏନ୍‌ଆଇଟିର ୨୩ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟଅତିଥି ଶ୍ରୀ ସିଂହ କହିଲେ, ଅଧ୍ୟୟନ ସମୟରେ ଛାତ୍ରଛାତ୍ରୀ ଏକ ସୁରକ୍ଷିତ ପରିବେଶରେ ରହିଥାନ୍ତି।

ତେବେ ଶିକ୍ଷାସମାପ୍ତିପରେ ସେ ସୁବିଧାସୁଯୋଗ ମିଳିନପାରେ। ଚଲାପଥରେ ଏକାଧିକ ବାଧାବିଘ୍ନ ବି ଉପୁଜିବ। ତେବେ ଏଥିରେ ଭାଙ୍ଗିନପଡ଼ି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମ୍ମୁଖୀନ ହୁଅ। ଯେ କୌଣସି ପରିସ୍ଥିତିର ମୁକାବିଲା କରିବାରେ ଦକ୍ଷ ହୁଅ। ପ୍ରତିକୂଳ ପରିସ୍ଥିତିରେ ଖାପଖୁଆଇ ଦୃଢ଼ ନିଷ୍ପତ୍ତି, ନିଷ୍ଠା, କଠିନ ପରିଶ୍ରମ ବଳରେ ବିଫଳତାକୁ ପରାସ୍ତ କର। ବିକଶିତ ଭାରତର ଚାରୋଟି ପ୍ରମୁଖ ସ୍ତମ୍ଭ ମଧ୍ୟରୁ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ହେଉଛନ୍ତି ଯୁବପିଢ଼ି। ୨୦୪୭ର ବିକଶିତ ଭାରତ ସ୍ବପ୍ନ ପୂରଣରେ ସହଭାଗୀ ହୁଅ। ଏନ୍‌ଆଇଟି ବୋର୍ଡ୍‌ ଅଫ୍‌ ଗଭର୍ଣ୍ଣର୍ସ୍‌ର ଅଧ୍ୟକ୍ଷ ଏସ୍‌.ଏନ. ସୁବ୍ରମଣ୍ୟନ୍‌ ଅନୁଷ୍ଠାନର ଉପଲବ୍ଧି ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ।

ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ ବିବରଣୀ ପାଠ କରିଥିଲେ। ଏଥର ୧୪୭୭ ଜଣ ଛାତ୍ର, ୪୭୧ ଜଣ ଛାତ୍ରୀ ଅର୍ଥାତ୍‌ ମୋଟରେ ଏଥର ୧୯୪୮ଜଣ ଡିଗ୍ରି ହାସଲ କରିଛନ୍ତି। ଚଳିତବର୍ଷ ସ୍ବର୍ଣ୍ଣପଦକ ପାଇଥିବା ଛାତ୍ରଛାତ୍ରୀ ହେଉଛନ୍ତି ଆଶିଷ ପାଢ଼ୀ (ବି.ଟେକ୍‌), ଶିଭମ କୁମାର ସିଂହ (ଏମ.ଟେକ୍‌), ଅମିଷା ପଣ୍ଡା (ଏମ୍‌ବିଏ), ଈଷାନ ଟକ୍କର (ଇଣ୍ଟିଗ୍ରେଟେଡ୍‌ ଏମ୍‌.ଏସ୍‌ସି), ସ୍ରିଷ୍ଟି ସାମର୍ଥୀ ଦାସ ( ଏମ.ଏସ୍‌ସି ଓ ଏମ୍‌ଏ), ସଂସ୍କାର ଶୋଭନ (ଡୁଆଲ୍‌ ଡିଗ୍ରି), ଆଶିଷ ସାହୁ (ଏମ୍‌.ଟକ୍‌ ଓ ଡୁଆଲ୍‌ ଡିଗ୍ରି), ସହଶ୍ରାବ୍ଦ ସାଇ ପ୍ରଧାନ (ବି.ଟେକ୍‌ ଓ ବି.ଆର୍କ୍‌) ଏବଂ ତିଲକ ନିରଞ୍ଜନ ଇ. (ବି.ଆର୍କ୍‌)। ଏହିଅବସରରେ ୪ ଜଣ ପୁରତାନ ଛାତ୍ର, ଯଥା- ଆଇଆଇଟି ଖଡ଼ଗପୁରର ଡିନ୍‌ ପ୍ରଫେସର ଅରବିନ୍ଦ ରାଉତରାୟ, ଜେଏସ୍‌ଡବ୍ଲ୍ୟୁ ମୋଟର୍ସ୍‌ର ସିଇଓ ରଞ୍ଜନ ନାୟକ, ୱାନ୍‌ଆସିଷ୍ଟ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ ସୁବ୍ରତ ପାଣି ଓ ଆର୍‌ଟିଆଇ ଇଣ୍ଟର୍‌ନ୍ୟାସନାଲ ମେଟାଲ୍‌ସ (ଆମେରିକା)ର ପୂର୍ବତନ ମୁଖ୍ୟଯନ୍ତ୍ରୀ ଡ. ବୀରେନ୍ଦ୍ର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

NIT Rourkela