ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଉତ୍ପାଦିତ ମକା ଉପରେ ଆନ୍ଧ୍ର, ଛତିଶଗଡ, ପଶ୍ଚିମବଙ୍ଗ ସହ ଓଡ଼ିଶାର ୨ଟି ବଡ ଇଥାନେଲ୍ ପ୍ରକଳ୍ପ ଜୁନାଗଡ ଓ ତରଭା ସହ କଟକ, ଭୁବନେଶ୍ବରରେ ଥିବା ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ବି ନିର୍ଭର। ୧ଲକ୍ଷ ହେକ୍ଟର ଜମିରେ ଉତ୍ପାଦିତ ୧ଲକ୍ଷ ମେଟ୍ରୀକଟନ୍ ମଂଜି ସୁଖାଇ ଆଦ୍ରତା ଦୁରେଇବା ସହ ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ପିଣ୍ଡି କି ଭିତ୍ତିଭୂମି ନାହିଁ। ତେଣୁ ଚାଷୀ ମାନେ ରାସ୍ତା ଉପରେ ହିଁ ମକା ମଂଜି ସୁଖାଉଛନ୍ତି। ଯଦିଓ କିଛିକାଂଶରେ ଓରମାସ ପକ୍ଷରୁ ମକା ମଂଜି କିଣୁଥିଲେ ହେଁ ସବୁ ଚାଷୀଙ୍କ ନିକଟରେ ସାଇତି ରଖିବାକୁ ଗୋଦାମ ଓ ପିଣ୍ଡି ନଥିବାରୁ କମ୍ ଦରରେ ବିକ୍ରି କରୁଛନ୍ତି।
ଜିଲ୍ଲାର ୧୦ଟି ଯାକ ବ୍ଲକରେ ୬୫ହଜାର ହେକ୍ଟର ଜମିରେ ମକା ଚାଷ କରାଯାଉଥିବା ଜିଲ୍ଲାକୃଷି ବିଭାଗ କହୁଛି। ବେସରକାରୀ ଭାବେ ଏହା ୧ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ୩୦ହଜାରରୁ ଉର୍ଦ୍ଧ୍ବ ଚାଷୀଙ୍କ ଦ୍ବାରା ଚାଷ କରାଯାଉଛି। ହାଇବ୍ରୀଡ ଡିକେଏସ୍ ମକା ମଂଜି ଚାଷ କରି ଏକର ପିଛା ୨୦କୁଇଣ୍ଟାଲ ଉତ୍ପାଦନ ହୋଇଛି ବୋଲି କହିଛନ୍ତି ଝରିଗାଁ ବ୍ଲକର ପଲାସ ଗାଁର ଚାଷୀ ଅରକ୍ଷିତ ମାଳି। ଗୋଦାମ ଓ ପିଣ୍ଡି ନଥିବାରୁ କୁଇଣ୍ଟାଲ ପିଛା ୨୦୨୫ଟଙ୍କାରେ ଗାଁ ବ୍ୟବସାୟୀଙ୍କ ନିକଟରେ ବିକ୍ରୀକରିବେ ବୋଲି କହିଛନ୍ତି।
ଓରମାସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମକା ମିଶନରେ କୁଇଣ୍ଟାଲ ପିଛା ୨୨୨୫ଟଙ୍କାରେ କିଣାଯାଉଛି। ୧୦ଟି ବ୍ଲକର ୮୮୫୨ଜଣ ମହିଳା ଚାଷୀଙ୍କୁ ନେଇ ୧୪ଟି କୃଷି ଉତ୍ପାଦକ ଅନୁଷ୍ଠାନ(ଫାର୍ମସ୍ ପ୍ରଡ୍ୟୁସରସ ଅର୍ଗନାଇେଜସନ) ଗଠନ କରି ୨୦୧୫୦ଜଣ ଚାଷୀଙ୍କ ଠାରୁ ମକା ମଂଜି କିଣାଯାଉଥିବା କହିଛନ୍ତି ଓରମାସ ଅଧିକାରୀ ଏ.ଉମା ମହେଶ। ଜିଲ୍ଲାରେ ୧ଲକ୍ଷ ମେଟ୍ରୀକ ଟନ ମକା ମଂଜି ଉତ୍ପାଦନ ହେଉଥିବା ବେଣଳେ ସେଥିରୁ ୧୪ ୫୨୧ଏମଟି ଓରମାସ ପକ୍ଷରୁ କିଣାଯାଉଛି। ଏପରିକି ଗତ ବର୍ଷ ୩୩କୋଟି ୬୯ଲକ୍ଷର ବ୍ୟବସାୟ ୧୪ଟି କୃଷି ଉତ୍ପାଦକ ଅନୁଷ୍ଠାନ ଦ୍ବାରା କରାଯାଇଥିବା କହିଛନ୍ତି ଓରମାସ ଅଧିକାରୀ। ଜିଲ୍ଲାରେ ଉତ୍ପାଦିତ ମକା ମଂଜିରୁ ୩୦ପ୍ରତିଶତ ଆନ୍ଧ୍ର ଯାଉଛି।
ବିଜୟନଗରମ ବାଇଓଟେକ୍ କଂପାନି ୨୦ପ୍ରତିଶତ ମକା ମଂଜି କିଣି ନେଉଛି। ଗୁଣାତ୍ମକ ମଂଜିଥିବାରୁ ଏହି କମ୍ପାନି କୋଷାଗୁମୁଡା ବ୍ଲକରେ ଖାଦ୍ୟ ପ୍ରକ୍ରିୟାକରଣ କଳ ସ୍ଥାପନ କରିଛି। ଅଳ୍ପ ଦିନରେ ଏହା ଆରମ୍ଭ କରିବ। ଆନ୍ଧ୍ରର ଅନ୍ୟ କିଛି ଖାଦ୍ୟ ପ୍ରକ୍ରିୟାକରଣ କଳ ସହ ଗୋଖାଦ୍ୟ, କୁକୁଡା ଦାନା ପ୍ରସ୍ତୁତ କରୁଥିବା କିଛି କମ୍ପାନି ବି ୧୦ପ୍ରତିଶତ ମଂଜି କିଣୁଛନ୍ତି। ଏହା ବାଦେ ପଶ୍ଚିମ ବଙ୍ଗ, ଛତିଶଗଡ, କଟକ ଓ ଭୁବନେଶ୍ବରରେ ଥିବା ଖାଦ୍ୟ ପ୍ରକ୍ରିୟା କରଣ କମ୍ପାନୀ ଗୁଡିକ ୧୫ ପ୍ରତିଶତ ଲେଖାଏଁ ମଂଜି କିଣୁଛନ୍ତି।
ଇଥାନେଲ୍ ଉତ୍ପାଦନ କରୁଥିବା ଜୁନାଗଡ ଓ ତରଭାକୁ ୧୦ପ୍ରତିଶତ ମକାମଂଜି ଯାଉଛି ବୋଲି ହୋଲସେଲ୍ ବ୍ୟବସାୟୀ କହିଛନ୍ତି। ମକାର ବଡ ବଜାରରେ ନବରଙ୍ଗପୁରର ସିଂହଭାଗ ରହିଥିବାରୁ କଭରସେଡ୍ ଥିବା ପିଣ୍ଡି ନିର୍ମାଣ କରିବାକୁ ଚାଷୀମାନେ ଦାବି କରିଛନ୍ତି।
Nabarangpur