ମାଲକାନଗିରି: ମାଲକାନଗିରି ବ୍ଲକର ତଣ୍ଡକି ଗ୍ରାମରେ ବାସ କରନ୍ତି ରାମକୃଷ୍ଣ ଦଣ୍ଡସେନା। ଘରର ବଡ଼ ପୁଅ ରାମ। ରାମଙ୍କର ବାହାଘର ଗତ ୨୩ ବର୍ଷ ତଳେ ହୋଇଥିଲା। ପରିବାରରେ ଖୁସିର ଲହରି ଖେଳୁଥିଲା। ବର୍ଷକ ପରେ ଘରେ କୁଆଁକୁଆଁ ଡାକ ଶୁଭିଲା। ଖୁସି ଆହୁରି ଦ୍ବିଗୁଣିତ ହୋଇଗଲା। ଝିଅଟିଏ ଜନ୍ମ ହୋଇଥିଲେ ମଧ୍ୟ ଦଣ୍ଡସେନା ପରିବାରର ପ୍ରଥମ ସନ୍ତନ ଝିଅ ହୋଇଥିବାରୁ ସମସ୍ତଙ୍କ ମନରେ ବେଶ ଖୁସି। କାରଣ ରାମଙ୍କର ୬ ଭାଇ ରହିଥିଲେ। ଭଉଣୀ କେହି ନଥିଲେ। ଝିଅ ଜନ୍ମ ହେଲା ସତ କିନ୍ତୁ କିଛି ଦିନ ପରେ ଜଣାପଡିଲା ଝିଅଟି ଦିବ୍ୟାଙ୍ଗ। ନା ଆଖି ଦିଶୁଛି ନା ସୁସ୍ଥ ପିଲା ଭଳି ଗୋଡ ହାତ ହଲାଉଛି।
ପରିବାରରେ ଦୁଃଖର ପାହାଡ଼ ଅଜାଡି ହୋଇଯାଇଥିଲା। ଝିଅଟି ଧୀରେଧୀରେ ବଡ଼ ହେଲା ବେଳକୁ ଜଣାପଡ଼ିଲା। ଝିଅଟି ମାନିସିକ ଅଗ୍ରସର ସହ ଗୋଡ଼ହାତ ବି କାମ କରୁନାହିଁ। ଚାଲିବା ପାଇଁ ସଂପୂର୍ଣ୍ଣ ଅକ୍ଷମ। ଦୁଇ ବର୍ଷ ପରେ ପୁଣି ଆଉ ଗୋଟିଏ ଝିଅ ହୋଇଥିଲା। ସେହି ଝିଅ ମଧ୍ୟ ବଡ଼ ଝିଅ ଭଳି ଦିବ୍ୟାଙ୍ଗ। ନା ଦେଖି ପାରୁଥିଲା ନା ମା‘ ବୋଲି ଡାକ ପକାଇ ପାରୁଥିଲା, ନା ଦୌଡି ପାରୁଥିଲେ। ଦୁହେଁ ଶଯ୍ୟାଶାୟୀ ହୋଇ ଘରେ ପଡି ରହିଲେ। ଏହାର ଦୁଇ ବର୍ଷ ପରେ ହୁଏତ ଗୋଟିଏ ଭଲ ପିଲା ଜନ୍ମ ହେବ ଭାବିଥିଲେ। କିନ୍ତୁ ଏଥର ଦୁଇଟି ଯାଅଁଳା ପୁଅ ଜନ୍ମ ହେଲେ। ଦୁହେଁ ଦିବ୍ୟାଙ୍ଗ ଜନ୍ମ ହୋଇଥିଲେ।
ଦୁଇ ପୁଅକୁ ମଧ୍ୟ ଆଖି ଦିଶୁନଥିଲା କି ଚାଲିବାର ସକ୍ଷମ ନଥିଲେ। ଚାରି ଜଣ ଯାକ ଝିଅ ପୁଅ ଏବେ ବି ଶଯ୍ୟାଶାୟୀ ହୋଇପଡ଼ି ରହିଛନ୍ତି। ବାପା ମା‘ ନଖୁଆଇଲେ ସେମାନେ ଖାଇନଥାନ୍ତି। ଦିନ ଦିନ ଧରି ଉପବାସ ରହିଥାନ୍ତି। ଏବେ ବଡ଼ ଝିଅ ମମତା ଦଣ୍ଡସେନାକୁ ଏବେ ୨୨ ବର୍ଷ ହୋଇଥିବା ବେଳେ ତା ତଳ ଝିଅ କବିତା ଦଣ୍ଡସେନାକୁ ଏବେ ୨୦ ବର୍ଷ। ଦୁଇ ଯାଅଁଳା ପୁଅର ନାମ ରାଜେଶ ଓ ରାକେଶ। ଦୁହିଁଙ୍କୁ ଏବେ ୧୮ ବର୍ଷ ପୁରି ୧୯ ଚାଲୁଛି।
ଚାରି ଜଣ ପୁଅ ଝିଅଙ୍କୁ ନେଇ ପରିବାର ଲୋକେ ଅଭିଶପ୍ତ ଜୀବନ କାଟୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନଙ୍କୁ ସେବା ଶୁଶ୍ରୁସା କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି ଦମ୍ପତି। ଗୋଟିଏ ସ୍ଥାନରେ ହିଁ ପଡି ରହିବା ସହ ଶୌଚ ଏବଂ ଖାଇବା ପିଇବା କାମ କରନ୍ତି ପିଲାମାନେ। ସରକାରଙ୍କ ତରଫରୁ ଚାରି ଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳୁଥିଲେ ମଧ୍ୟ ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ ଓ ଶୌଚାଳୟ ପାଇଁ ବାରମ୍ବାର ବ୍ଲକ ପିଣ୍ଡା ଏବଂ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ପରିବାର ଲୋକେ ଅସଂତୋଷ ପ୍ରକାଶ କରିଛନ୍ତି।
ଅନ୍ୟଦିଗରେ ଚାରି ପିଲାଙ୍କ ମା‘ ବାସନ୍ତୀ ମଧ୍ୟ ରୋଗାଗ୍ରସ୍ତ। ଚାରି ପିଲାଙ୍କୁ ଓଡିଶାର ସମସ୍ତ ଡାକ୍ତରଖାନା ସହ ବାହାର ଜିଲ୍ଲାର ଡାକ୍ତରଖାନାରେ ମଧ୍ୟ ଚିକିତ୍ସା କରାଇ ସବୁ ସଂପତ୍ତି ସାରି ଦେଇଥିବା ରାମକୃଷ୍ଣ କହନ୍ତି। ଏବେ ବହୁ କଷ୍ଟରେ ଜୀବନ କାଟୁଥିବା ବେଳେ ଚାରି ପିଲାଙ୍କ ଏଭଳି ଅବସ୍ଥା ଦେଖି କେବଳ ଆଖିରୁ ଲୁହ ଗୋଡାଇବା ଛଡା ଅନ୍ୟ କିଛି ଉପାୟ ଦିସୁନଥିବା ଦମ୍ପତି କହନ୍ତି।
Malkangiri