ବାଲେଶ୍ବର: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଇଣ୍ଟିଗ୍ରେଟେଡ୍ ବିଏଡ୍ ଛାତ୍ରୀ ଆତ୍ମାହୁତି ଘଟଣା ନେଇ କ୍ରାଇମ୍ବ୍ରାଞ୍ଚର ଟିମ୍ ତଦନ୍ତ ଜାରି ରଖିଛି। ବାଲେଶ୍ବର ପୀଡ଼ିତାଙ୍କୁ ନ୍ୟାୟ ମିଳିବା ଦିଗରେ ତଦନ୍ତ ଚାଲିଛି ବୋଲି କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ବାଲେଶ୍ବର ପୀଡିତାଙ୍କୁ ନେଇ ତଦନ୍ତ ସମୟରେ ଅନେକ ସାମଗ୍ରୀ ମିଳିଛି। ତାଙ୍କୁ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଛି। ଏହି ଘଟଣାକୁ ନେଇ ଲୋକେ ପୁଲିସ ଆଗରେ, ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ବୟାନ ଦେଇଛନ୍ତି। ଆମ ଟିମ୍ ଘଟଣାର ତଦନ୍ତ ଜାରି ରଖିଛି। ଏହି ମାମଲା ସଠିକ ତଦଦ୍ତ ହେବ। ଝିଅକୁ ନ୍ୟାୟ ମିଳିବ। ଆମେ ଅନେକଗୁଡ଼ିକ ତଥ୍ୟ ସଂଗ୍ରହ କରିଛୁ। ବର୍ତ୍ତମାନ ତଦନ୍ତର ରିପୋର୍ଟ ଯାହା ଅଛି, ସେନେଇ କୁହାଯାଇପାରିବ ନାହିଁ। ମାତ୍ର ସମୟ ଆସିଲେ ସବୁ କୁହାଯିବ। ସାକ୍ଷୀମାନଙ୍କର ବୟାନ ଆସିଛି। ଡିଜିଟାଲ ମିଡିଆରେ ଯେଉଁ ବୟାନ ଆସୁଛି ଏବଂ ତଦନ୍ତ ସମୟରେ ଆସିଥିବା ବୟାନ ଓ ଏସ୍ଏଫ୍ଏସ୍ଏଲ୍ ରିପୋର୍ଟକୁ ନେଇ ତର୍ଜମା କରାଯିବ। କ୍ରାଇମବ୍ରାଞ୍ଚ ଆଇଜି ଏସ୍ ସାଇନିଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଜାରି ରହିଛି। ପୀଡ଼ିତାଙ୍କୁ ନ୍ୟାୟ ମିଳିବ। ଘଟଣା ପୂର୍ବ ଓ ପରର ସ୍ଥିତି ଉପରେ ମଧ୍ୟ ସମୀକ୍ଷା କରାଯାଉଛି।
-ବିନୟତୋଷ ମିଶ୍ର, କ୍ରାଇମ୍ବ୍ରାଞ୍ଚ ଡିଜି
ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ଛାତ୍ରୀଙ୍କ ଆତ୍ମାହୁତି ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ରବିବାର ମହାବିଦ୍ୟାଳୟରେ ପହଞ୍ଚି ଥିଲେ। ସେ ପ୍ରଥମେ ପୂର୍ବାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରୀଜଣକ ଆତ୍ମାହୁତି ଦେଇଥିବା ସ୍ଥାନ ବୁଲି ଦେଖିଥିଲେ। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ସହ କଥା ହୋଇ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ। ଡିଜିଙ୍କ ସହ ଡିଆଇଜି ଡା. ସତ୍ୟଜିତ ନାୟକ, କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଶାଖା ଆଇଜି ଏସ୍ ସାଇନି, ଡିିଏସପି ଇମାନ କଲ୍ୟାଣ ନାୟକ, ଇନ୍ସପେକ୍ଟର ପାଞ୍ଚାଳୀ ରାଉତ ଉପସ୍ଥିତ ଥିଲେ।
ବାଲେଶ୍ବରର କଲେଜ ଛାତ୍ରୀ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।
Crime branch | Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/07/20/new-project-20-2025-07-20-15-40-32.jpg)