ରାଉରକେଲା(ଦେବବ୍ରତ ଗଡ଼ତିଆ): ଅନ୍ୟ ରାଜ୍ୟରେ ଠକେଇ କରିଥିଲେ ସାଇବର ଠକ। ଉଭୟ ଠକ ରାଉରକେଲାକୁ ଆସି ଏକ ପାନଦୋକାନରେ ୨୫ ଟଙ୍କାର କାରବାର କରିଥିଲେ। ଏବେ ଉକ୍ତ ଠକ ଗ୍ୟାଙ୍ଗ୍ର ଦୁଇଟି ଆକାଉଣ୍ଟ୍କୁ ପୁଲିସ୍ ଫ୍ରିଜ୍ କରିଦେଇଛି। କିନ୍ତୁ ନିଜର ସାମଗ୍ରୀ ବିକ୍ରିକରିସେମାନଙ୍କଠାରୁ ୨୫ ଟଙ୍କା ନେଇଥିବା ପାନଦୋକାନୀ ଫସିଯାଇଛନ୍ତି। ଗତ ସପ୍ତାହେ ହେଲା ସଂପୃକ୍ତ ପାନଦୋକାନୀଙ୍କ ଇଣ୍ଡିଆ ପୋଷ୍ଟାଲ୍ ପେମେଣ୍ଟ୍ ବ୍ୟାଙ୍କ୍ (ଆଇପିପିବି) ଆକାଉଣ୍ଟ୍ ମଧ୍ୟ ଅଚଳ କରିଦିଆଯାଇଛି। ଅର୍ଥାତ୍, ଠକଦଳର ବେଆଇନ କାର୍ଯ୍ୟକଳାପର ପରିମାଣ ଭୋଗୁଛନ୍ତି ପାନଦୋକାନୀ।
ସେକ୍ଟର-୪ ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଏହିପରି-ସେକ୍ଟର-୪ ନୂଆ ବିଜୁ ପଟ୍ଟନାୟକ ମାର୍କେଟ୍ରେ ବାଲେଶ୍ବର ଭୋଗରାଇ ବାଟଗ୍ରାମର ମୂଳବାସିନ୍ଦା ତଥା ସେକ୍ଟର-୫ ଗୋଲଘର ସିଂହାସନୀପାଲି ନିବାସୀ ସଞ୍ଜୟ ମହାନ୍ତିଙ୍କ ଏକ ପାନଦୋକାନ ରହିଛି। ସଞ୍ଜୟଙ୍କ ଇଣ୍ଡିଆ ପୋଷ୍ଟାଲ୍ ପେମେଣ୍ଟ୍ ବ୍ୟାଙ୍କ୍ରେ ଆକାଉଣ୍ଟ୍ ଥିବାବେଳେ ସେଥିରେ ସେ ଫୋନ୍ ପେ’, ଗୁଗୁଲ୍ ପେ’ ଆଦି ବ୍ୟବହାର କରିଥାନ୍ତି। ୫ ଦିନ ତଳେ ହଠାତ୍ ତାଙ୍କ ଆକାଉଣ୍ଟ୍ ଫ୍ରିଜ୍ କରାଯାଇଥିଲା। କୌଣସି ପ୍ରକାର ଅନୈତିକ କାର୍ଯ୍ୟକଳାପ କିମ୍ବା ଆଇନ ଉଲ୍ଲଂଘନ କରିନଥିବାରୁ ସେ ତତ୍କ୍ଷଣାତ୍ ଡାକ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଛାନ୍ଭିନ୍ ବେଳେ ଜଣାପଡ଼ିଥିଲା ଯେ କର୍ଣ୍ଣାକଟ ଓ ମହାରାଷ୍ଟ୍ରରେ ସାଇବର୍ ଠକେଇ କରିଥିବା ଦୁଇ ଜଣ ଠକ ସଞ୍ଜୟଙ୍କୁ ଆକାଉଣ୍ଟ୍କୁ ଦୁଇଟି ପର୍ଯ୍ୟାୟରେ ୨୫ ଟଙ୍କା ପଠାଇଥିଲେ। ସମ୍ଭବତଃ ଠକଦଳ ଉକ୍ତ ପାନଦୋକାନରୁ ପ୍ରଥମେ ୧୫ ଓ ପରେ ୧୦ ଟଙ୍କାର ସାମଗ୍ରୀ କିଣି ଫୋନ୍ ପେ’ ମାଧ୍ୟମରେ ପୈଠ କରିଥିଲେ।
ଉଲ୍ଲେଖଯୋଗ୍ୟ, ଠକଦଳ ଉଭୟ ରାଜ୍ୟରେ ପ୍ରାୟ ୨ କୋଟି ୫୩ ଲକ୍ଷ ଟଙ୍କା ସାଇବର ଠକେଇରେ ସାମିଲ ଅଛନ୍ତି। ସେମାନେ ଟଙ୍କା ଠକିବାପରେ ଧରାନପଡ଼ିବା ଉଦ୍ଦେଶ୍ୟରେ ନିଜର ସହଯୋଗୀଙ୍କ ଆକାଉଣ୍ଟ୍କୁ ଟଙ୍କା ଟ୍ରାନ୍ସଫର୍ କରିଥିଲେ।
ଏହି ମାମଲାକୁ ସେଠାକାର ପୁଲିସ ଖୁଲାସା କରିବାସହ ଠକଦଳର ୨ଟି ଆକାଉଣ୍ଟ୍କୁ ଫ୍ରିଜ୍ କରିଦେଇଛି। ଏହାସହ ଯେଉଁ ସବୁ ଆକାଉଣ୍ଟ୍ରେ ସେମାନେ ଟଙ୍କା ଟ୍ରାନ୍ସଫର୍ କରିଛନ୍ତି, ସେଗୁଡ଼ିକୁ ମଧ୍ୟ ଫ୍ରିଜ୍ କରାଯାଇଛି। କେବଳ ୨୫ ଟଙ୍କାର ଟ୍ରାଞ୍ଜାକ୍ସନ ପାଇଁଁ ପାନଦୋକାନୀ ସଞ୍ଜୟ ଏବେ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସକାଳୁ ସନ୍ଧ୍ୟା ଯାଏ ପୁଲିସ ଥାନା, ଡାକ ବିଭାଗ ଦୌଡ଼ିଦୌଡ଼ି ନୟାନ୍ତ। ବିଡ଼ମ୍ବନା ହେଲା ସ୍ଥାନୀୟ ପୁଲିସ କିମ୍ବା ଡାକ ବିଭାଗ ସହାୟତାର ହାତ ବଢ଼ାଉନାହାନ୍ତି। ପୁଲିସ ମାମଲାର ସତ୍ୟତା ବିଷୟରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୁଲିସ ସହ ଯୋଗାଯୋଗ କରୁନଥିବାବେଳେ ଡାକ ବିଭାଗ ଆକାଉଣ୍ଟ୍ ପୁନଃ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନେଉନାହାନ୍ତି। ଏମିତିକି ଆକାଉଣ୍ଟ୍ ବନ୍ଦ ଥିବାରୁ ବ୍ୟବସାୟ ବି କରିପାରୁନାହାନ୍ତି। ଫଲରେ ଭାଗ୍ୟକୁ ଆଦରି ବସିଛନ୍ତି ସଞ୍ଜୟ। ଏଠାରେ ପ୍ରଶ୍ନଉଠେ, ସାମାନ୍ୟ ୨୫ ଟଙ୍କା ପାଇଁ ଆକାଉଣ୍ଟ୍ ବନ୍ଦ କରାଯାଇଥିବାବେଳେ ଏହାର ପୁନଃକାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନିଆନଯିବା ପଛର କାରଣ କ’ଣ? ଡାକବିଭାଗ କର୍ତ୍ତୃପକ୍ଷ ନିଜର ଗ୍ରାହକଙ୍କୁ ନ୍ୟାୟ ପ୍ରଦାନ କରିବାରେ ଆନ୍ତରିକତା ଦେଖାଉନାହାନ୍ତି କାହିଁକି?
Rourkela