ଭୁବନେଶ୍ବର: ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଉତ୍ତର-ପଶ୍ଚିମ ବଙ୍ଗୋପସଗାରରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି। ବିଗତ ୬ ଘଣ୍ଟା ହେଲା ଏହା ଘଣ୍ଟା ପିଛା ୧୩କିମି ବେଗରେ ଆଗକୁ ବଢୁଛି। ଭାରତୀୟ ପାଣିପାଗ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବୁଲେଟିନ୍ ଅନୁସାରେ ବାତ୍ୟା ଆଜି ମଧ୍ୟରାତ୍ରୀ ଠାରୁ ଆସନ୍ତାକାଲି ସକାଳ ମଧ୍ୟରେ ସ୍ଥଳଭାଗରେ ଲ୍ୟାଣ୍ଡଫଲ୍ କରିବ। ସମ୍ଭବତଃ ଏହା ଭୋର୍ ୩ଟାରୁ ୬ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ।
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଏବେ ପାରାଦୀପର ଦକ୍ଷିଣ-ପୂର୍ବରେ ୧୦୦କିମି ଦୂରରେ ଅଛି। ଧାମରା ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ଏହା ୧୩୦କିମି ଦୂରରେ ଥିବା ବେଳେ ପଶ୍ଚିମବଙ୍ଗର ସାଗରଦୀପ ଠାରୁ ୨୧୦କିମି ଦୂରରେ ରହିଛି।
ପାଣପାଗ ବିଭାଗ ପକ୍ଷରୁ କୁହାଯାଇଛି, ବାତ୍ୟା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ। ସ୍ଥଳଭାଗରେ ବାତ୍ୟା ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟା ପିଛା ୧୦୦ରୁ ୧୧୦କିମି ରହିବ। ପବନର ବେଗ ସର୍ବାଧିକ ଘଣ୍ଟାପିଛା ୧୨୦କିମି ହୋଇପାରେ। ବାତ୍ୟା ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ପାରାଦୀପ ଓ ଗୋପାଳପୁରସ୍ଥିତ ଡପଲାର ୱେଦର ରାଡାର ଉପରେ ନଜର ରଖାଯାଇଛି।