ଭୁବନେଶ୍ବର: ରାଜ୍ୟରେ ଡାଇରିଆ ସ୍ଥିତି ନେଇ କେନ୍ଦ୍ରୀୟ ଟିମ ସହ ସ୍ୱାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ କେନ୍ଦ୍ରୀୟ ଟିମ୍ ଫିଡ୍ବ୍ୟାକ୍ ଦେଇଛନ୍ତି। ପାଣି ପାଇଁ ଡାଇରିଆ ବ୍ୟାପିଛି ବୋଲି କେନ୍ଦ୍ରୀୟ ଟିମ୍ କହିଛନ୍ତି। ସମସ୍ତ ଜଳ ଉତ୍ସର ବିଶୋଧନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯାଇଛି। କାର୍ଯରେ ଅବହେଳା ପାଇଁ ଯାଜପୁର ଜିଲ୍ଲା ବଡ଼ଚଣାର ଡାକ୍ତର ହେମନ୍ତ କୁମାର ମହାରଣାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଅଶ୍ୱତି ଏସ୍ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପ୍ରତି ୩ ଦିନରେ ରିପିଟ ବିଶୋଧନ ହେବ। ରୋଗୀର କେଶ ହିଷ୍ଟରି ମେଣ୍ଟେନ ହେବ। ସ୍ୱାସ୍ଥ୍ୟ, ପଂଚାୟତିରାଜ, ମିସନ ଶକ୍ତି, ନଗର ଉନ୍ନୟନ ବିଭାଗ ସହ ବୈଠକ କରାଯିବ। ଡ଼ାଇରିଆକୁ ନେଇ ବ୍ୟାପକ ସଚେତନ କରିବ ସ୍ବାସ୍ୟ ବିଭାଗ। ଫିଲଡ଼ ଲେବଲରେ ଆକ୍ଟିଭ ରହିବେ କର୍ମଚାରୀ। ପଞ୍ଚାୟତ ରାଜ ବିଭାଗର ଆରଡବ୍ଲ୍ୟୁ ଏସ୍ଏସ୍ର କର୍ମଚାରୀମାନେ ଜଳ ଉତ୍ସକୁ ବୁଲି ଦେଖିବେ। ଡ଼ାଇରିଆ ସଚେତନତା ଅଭିଯାନରେ ମିସନ ଶକ୍ତି ମହିଳାମାନେ ଯୋଗଦେବେ।
ସମସ୍ତ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ। ଆସନ୍ତାକାଲି ଠାରୁ ୩ ଜିଲ୍ଲା (ଯାଜପୁର, କଟକ ଓ ଭଦ୍ରକ)କୁ ସେଣ୍ଟ୍ରାଲ ଟିମ ସହ ସ୍ୱାସ୍ଥ୍ୟ ବିଭାଗ ଟିମ ଯିବ। ପ୍ରତ୍ୟେକ ଜିଲ୍ଲାରେ ଗଠନ ହେବ କୋର ଟିମ୍। ଟିମ୍ର ଆବାହକ ରହିବେ ସିଡିଏମ୍ଓ। ଟିମ୍ରେ ସଦସ୍ୟ ରହିବେ ସ୍ୱାସ୍ଥ୍ୟ ଓ ଅନ୍ୟ ବିଭାଗର ଅଧିକାରୀ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଅନାଲିସିସ କରିବେ ଏବଂ ତାପର ଦିନ ପାଇଁ ପ୍ଲାନ ପ୍ରସ୍ତୁତ କରିବେ। ଏସ୍ସିବିକୁ ବାହାରୁ ରୋଗୀ ଆସୁଥିବାରୁ ଫୋକସରେ କଟକ ଜିଲ୍ଲା ରହିଛି। ୧୦୦ଟି ନମୁନାରୁ ୧୬ଟିରେ କଲେରା ପଜିଟିଭ ଚିହ୍ନଟ ହୋଇଛି। ଯାଜପୁରରେ କଲେରା ସୀମିତ ରହିଛି। କିଛି ନମୁନାରେ ନେଗେଟିଭ ଆସିଛି। ସ୍କୁଲ ଖୋଲୁଥିବାରୁ ସବୁ ସ୍କୁଲରେ ବିଶୋଧନ ହେବ ପାଣି। ହଷ୍ଟେଲ ଓ ସ୍କୁଲରେ ସଫା ହେବ ପାଣି ଟାଙ୍କି। ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନ ସ୍ଥିତିର ଗୁଣବତ୍ତା ଯାଞ୍ଚ ହେବ। ପିଲାଙ୍କ ହାତ ଧୂଆ ଉପରେ ଗୁରୁତ୍ବ ଦିଆଯିବ। ଗତକାଲିଠାରୁ ବଢ଼ିନି ରୋଗୀ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୧୦ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି।
Health