କୋରାପୁଟ: କୋରାପୁଟ ଜିଲ୍ଲାର ଜଲାପୁଟ ଓ କୋଲାବ ଜଳଭଣ୍ଡାରରେ ଜଳସ୍ତର ଦିନକୁ ଦିନ କମିବାରେ ଲାଗିଛି। ଧୁଧୁ ଖରା ଫଳରେ ଏବେ ନଦୀ, ଝରଣା, ପୋଖରୀ, ଜମି ଶୁଖୋଲା ପଡ଼ିଲାଣି। ଅପରପକ୍ଷରେ ଜଳଭଣ୍ଡାର ପାର୍ଶ୍ବରେ ଥିବା ଗ୍ରାମ ଗୁଡିକରେ ପାନୀୟ ଜଳ ମିଳୁନି। ପରିସ୍ଥିତି ଏପରି ଯେ ଘର ସମ୍ମୁଖରେ ଜଳଭଣ୍ଡାର ଥିଲେ ସୁଦ୍ଧା ଏମାନଙ୍କ ଶୋଷ ମେଣ୍ଟୁନି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ବାରମ୍ବାର ପଂଚାୟତ, ବ୍ଲକ, ଜିଲ୍ଲାପ୍ରଶାସନ, ବିଧାୟକ ଓ ସାଂସଦ ଆଦିଙ୍କୁ ନିଜ ଦୁଃଖ ଜଣାଇବା ପରେ ବି ଦୂର ହୋଇପାରୁନି।
ପ୍ରବଳ ଖରା ଯୋଗୁଁ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି। ଫାଲଗୁନରୁ ଆରମ୍ଭ ହୋଇ ବସନ୍ତରେ ଏପରି ଅବସ୍ଥା ଦେଖା ଦେଲାଣି। ନନ୍ଦପୁର ବ୍ଲକର ୧୦ଟି ପଞ୍ଚାୟତର ୧୫୬ ଖଣ୍ଡ ଗ୍ରାମ ପାର୍ଶ୍ଵରେ ଥିରବା ଜଲାପୁଟ ଜଳଭଣ୍ଡାରରେ ପ୍ରାୟ ୨୭୪୦.୫୫ ଘନଫୁଟ ଜଳ ସଞ୍ଚିତ ଥିରବା ରେକର୍ଡ କରାଯାଇଛି। ସେହି ପରି ନନ୍ଦପୁର, ଲମତାପୁଟ ଓ କୋରାପୁଟ ବ୍ଲକର ୧୩୮ ଗ୍ରାମ ପାର୍ଶ୍ଵରେ ଥିବା କୋଲାବ ଜଳଭଣ୍ଡାରରେ ୮୫୧.୯୪ ଘନମିଟର ଜଳ ସଞ୍ଚିତ ଥିରବା ରେକର୍ଡ କରାଯାଇଛି।
ଦୁଇ ଜଳଭଣ୍ଡାରରେ ଜଳ ନିଷ୍କାସନ ପାଇଁ ଯଥାକ୍ରମେ ୮ଟି ଓ ୧୧ଟି ଫାଟକ ରହିଛି। କୋରାପୁଟ ବ୍ଲକର ବଡ କେରାଙ୍ଗ ପଂଚାୟତର ବହୁ ଗାଁ ନିକଟରେ ଜଳଭଣ୍ଡାର ରହିଥିଲେହେଁ ଲୋକେ ଏହି ଜଳଭଣ୍ଡାରର ପାଣି ପିଇବା ଯୋଗ୍ୟ ନଥିବାରୁ ପିଉ ନାହାନ୍ତି। ଅପରପକ୍ଷରେ ମେଗା ଜଳଯୋଗାଣ ପ୍ରକଳ୍ପ ଘୋଷଣା ଓ ଗାଁରେ ନୂଆ ନଳକୂଅ ଖୋଳିଲେ ବି ପାଣି ବାହାରୁ ନଥିବାରୁ ଆଉ ପ୍ରଶାସନ ବି ଏବେ ଆଉ ପ୍ରୟାସ କରୁନି। ଅପରପକ୍ଷରେ ଏବେ ୨ଜଳଭଣ୍ଡାର ପାର୍ଶ୍ବର ୩ ବ୍ଲକର ୨୯୪ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି।
ଜଳଭଣ୍ଡାର କିମ୍ବା ନାଳ ପାଣିକୁ ଚୁଆଁ କରି ପାଣି ନେଇ ପିଉଥିବା କହିଛନ୍ତି। ଏପରିକି ଉପରକୋୁଲାବ ପ୍ରକଳ୍ପର କାମ ଚାଳିବା ସମୟରେ ବହୁ ଅଧିକାରୀ ରହୁଥିଲେ। ଏବେ କେବଳ ସ୍ବଳ୍ପ ସଂଖ୍ୟକ କର୍ମଚାରୀ କେବଳ ଡ୍ୟାମ ପରିଚାଳନା ପାଇଁ ରହିଛନ୍ତି। ବଳକା ସବୁ ବାରିଣୀପୁଟରେ ଆସି ରହୁଛନ୍ତି। ତେଣୁ ଉପରକୋଲାବ ପ୍ରକଳ୍ପର ଉଚ୍ଚକର୍ତ୍ତୃପକ୍ଷ ମଧ୍ୟ ଏଠାରେ ବସବାସ କରୁଥିବା କର୍ମଚାରୀ ଓ ଲୋକଙ୍କ ପାଇଁ ପିଇବା ପାଣି ଯୋଗଇବା ବ୍ୟବସ୍ଥା କରୁନି। ଆଖି ଆଗରେ ଅକାତକାତ ପାଣି ଦେଖୁଥିଲେ ହେଁ ମୁନ୍ଦେ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି।
ଖରା ଦିନ ଆସିବା ମାତ୍ରକେ ପିଇବା ପାଣି ପାଇଁ ଏହି ତିନି ବ୍ଲକର ଗ୍ରାମବାସୀ ହଇରାଣ ହେଉଛନ୍ତି। ଜଳଭଣ୍ଡାର ଯୋଗୁଁ ଏହି ଗ୍ରାମବାସୀ ମାନେ ଯେତିକି ଲାଭ ପାଇବା କଥା ତା ଠାରୁ ଡେର୍ ଅଧିକା କ୍ଷତି ସହୁଥିବା କହିଛନ୍ତି । ଖରାଦିନ ପିଇବାକୁ ମିଳୁନି ପାଣି। ବର୍ଷା ଦିନ ଜଳଭଣ୍ଡାର ପୁଲି ଉଠିଲେ ଏହି ଗ୍ରାମବାସୀ ମାନେ ଜଳବନ୍ଦୀ ହେଉଛନ୍ତି। ଜଳଭଣ୍ଡାର ପାର୍ଶ୍ବ ଏହି ୨୯୪ଗ୍ରାମବାସୀଙ୍କ ପାଇଁ ଜିଲ୍ଲାପ୍ରଶାସନ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି।
Koraput | Water