ଘୁ.ଉଦୟଗିରି: ତିନିଶହ ବର୍ଷର ପୁରୁଣା ପରମ୍ପରା ଘୁ.ଉଦୟଗିରିର ଦଣ୍ଡନାଚ ପରମ୍ପରା। ସେଇ ପୁରୁଣା ପରମ୍ପରାକୁ ବଞ୍ଚେଇ ରଖିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଆଧୁନିକତା ସ୍ପର୍ଶ କରିନି ସ୍ଥାନୀୟ ଦଣ୍ଡଯାତ୍ରାରେ। ସେଇ ଦିନରେ ଧୂଳିଦଣ୍ଡ କନ୍ଧ କନ୍ଧୁଣି, ଗୌଡ଼ ଗୌଡୁଣି, ସବର-ସବରୁଣୀ, ରାତିରେ କାଳୀକା, ଈଶ୍ୱର-ପାର୍ବତୀ, ଚଢ଼େଆ-ଚଢ଼େଆଣି, ଭଳି ଦଣ୍ଡ ନୃତ୍ୟ ଭିତରେ ଚାଲିଛି ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଯାତ୍ରା ଶ୍ରୀଶ୍ରୀ ମାଁ ରୁଦ୍ରକାଳୀଙ୍କ ପାରମ୍ପରିକ ଦଣ୍ଡଯାତ୍ରା 

Advertisment

ଏହି ପାରମ୍ପରିକ ଦଣ୍ଡଯାତ୍ରା ଚଳିତ ମାସ ୧ତାରିଖ ରାତିରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୩ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ୧୩ ଦିନ ମାଁ ରୁଦ୍ରକାଳୀ ଓ ଦେବଦେବ ମହାଦେବ ୧୩ ଭୁକୁତା ଓ ମାନସିକ ପୂରଣ ନିମନ୍ତେ ପଇତା ଧାରି ସେବାୟତଙ୍କ ସହ ମାନସିକଧାରୀ ଭକ୍ତ ମାନଙ୍କ ଘରକୁ ଯାତ୍ରା କରିଥାନ୍ତି। ସମସ୍ତ ଦଣ୍ଡୁଆ ପ୍ରତ୍ୟେକ ଦିନ ଏକ ଓଳା ଭୋଜନ ଗ୍ରହଣ କରିଥାନ୍ତି। ଦିନ ୧୨ ଘଣ୍ଟିକା ପରେ ଭକ୍ତଙ୍କ ଘର ସମ୍ମୁଖରେ ଧୂଳି ଦଣ୍ଡ ଅନୁଷ୍ଠିତ ହୁଏ ସେହି ସମୟରେ ପଇତା ଧାରି ମାନସିକ ଭକ୍ତମାନେ ବିଭିନ୍ନ ଦଣ୍ଡ ଗ୍ରହଣ କରି ସେବା କରିବା ସହ କଳାକାର ବହୁତ୍ ସୁନ୍ଦର ଅଭିନୟ ସହ ନୃତ୍ୟ କରିଥାନ୍ତି।

ଆଧୁନିକ ଯୁଗରେ ବିଭିନ୍ନ ଦଣ୍ଡରେ ଆଧୁନିକତା ଏବଂ ଅଶ୍ଳୀଳତା ପ୍ରବେଶ କରିଥିବା ବେଳେ ଘୁ.ଉଦୟଗିରି ଦଣ୍ଡଯାତ୍ରା ଏଥିରୁ ବାଦ ପଡ଼ିଛି। କାରଣ ଦଣ୍ଡ ନୃତ୍ୟରେ ଦିନରେ ହେଉ କି ରାତିରେ ନାରୀ ଭୂମିକାରେ ପୁରୁଷମାନେ ହିଁ ଅଭିନୟ ପ୍ରଦର୍ଶନ କରନ୍ତି। ଅନ୍ୟପକ୍ଷରେ ରାତିରେ ଅନୁଷ୍ଠିତ ସାମାଜିକ ନାଟକ କୌଣସି ଷ୍ଟେଜରେ ହୁଏ ନାହିଁ। ଅର୍ଥାତ କଳାପ୍ରଦର୍ଶନ ତଳେ ହୁଏ। ସମସ୍ତ ନାଚୁଆ ୧୩ଦିନ ସମସ୍ତ ନୀତି ନିୟମ ମାନି ଦଣ୍ଡୁଆଙ୍କ ପୋଷାକ ଧୋତି ପିନ୍ଧି ରୁହନ୍ତି। ବାହାର ଖାଦ୍ୟ ସେବନରୁ ନିବୃତ୍ତ ରହିଥାନ୍ତି। ମା’ଙ୍କୁ ବରଣ କରିଥିବା ଭକ୍ତ ଦାଣ୍ଡରେ ମାଁ ଙ୍କ ଦଣ୍ଡ ନାଚ ଅନୁଷ୍ଠିତ ହୋଇଥାଏ।

ପୁରାଣ ଶାସ୍ତ୍ର ଅନୁସାରେ ପୁରାତନ ପରମ୍ପରାକୁ ନାଚ ଗୀତ ମାଧ୍ୟମରେ ପରିବେଷଣ କରାଯାଇଥାଏ। ସନ୍ଧ୍ୟା ସମୟରେ ପାଣି ଦଣ୍ଡ ଅନୁଷ୍ଠିତ ହୁଏ। ଅର୍ଥାତ୍ ସମସ୍ତେ ନଦୀ, ବନ୍ଧ ତୋଠରେ ନିଜେ ସ୍ନାନ ହେବା ସହ ଦେବା ଦେବୀଙ୍କୁ ସ୍ନାନ କରାଇଥାନ୍ତି। ସେଠାରେ ରୀତି ନୀତି ଅନୁଯାୟୀ ପୂଜା ପାଠ କରାଯିବା ପରେ ପୂଜାରୁ ଆସିଥିବା ପାଦୁକା ସାହାଯ୍ୟରେ ପ୍ରସ୍ତୁତ କରାଯାଇ ପଣା ପିଇଥାନ୍ତି।

publive-image

ସନ୍ଧ୍ୟା ଆଳତି ପରେ ଭୋଜନ ପ୍ରସ୍ତୁତ ହୁଏ ଓ ବିଳମ୍ବିତ ରାତିରେ ସମସ୍ତ ଦଣ୍ଡୁଆ ପ୍ରସାଦ ସେବନ କରିଥାନ୍ତି। ଯାହା ସହରର ସାହିସାହିରେ ଢୋଲ ମହୁରି ଶବ୍ଦର ତାଳେ ତାଳେ ଦଣ୍ଡ ନାଚ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି। ଦଣ୍ଡଯାତ୍ରାର ଢୋଲ, ତୁରୀ, ବାଜା ସହିତ ଝୁଣା ବାସ୍ନାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନସାଧାରଣ ଯାତ୍ରା ଉପୋଭୋଗ କରୁଥିବା ଦେଖିବାକୁ ମିଳୁଛି। ଦିନ ଓ ରାତିରେ ପାରମ୍ପରିକ ଦଣ୍ଡ ଯାତ୍ରାର ବିଭିନ୍ନ ଚରିତ୍ର ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। 

ଏହି ଯାତ୍ରା ସମୟରେ ପ୍ରାୟ ସମସ୍ତ ହିନ୍ଦୁ ପରିବାରରେ ଆମିଷ ବର୍ଜନ ହୋଇଥିବା ବେଳେ ଶାକାହାରୀ ଖାଦ୍ୟ ଖାଇଥାନ୍ତି। ସୂଚନା ଅନୁସାରେ ଏହି ଯାତ୍ରା ଚଳିତ ମାସ ମାସନ୍ତ ତିଥି ୧୩ ତାରିଖ ଦିନ ମେରୁ ଯାତ୍ରା ସହ ଏହି ଦଣ୍ଡ ଯାତ୍ରା ଶେଷ ହେବ। ଚଳିତ ବର୍ଷ ସ୍ଥାନୀୟ ସହର ସମେତ, ଟିକାବାଲି ବ୍ଲକ ଏବଂ ସ୍ଥାନୀୟ ବ୍ଲକ ଅଞ୍ଚଳର ଗ୍ରାମାଞ୍ଚଳରେ ମହାପ୍ରଭୁଙ୍କ ମାନସିକ ଧାରୀଙ୍କ ଦ୍ୱାରରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି।

Kandhamal