ରାୟଗଡା: ରାୟଗଡା ଜିଲ୍ଲାରେ ବସବାସ କରୁଥିବା ବିରଳ ଜନଜାତି ଡଙ୍ଗରିଆ କନ୍ଧଙ୍କ ପରିଚୟର ଯଦିଓ କୌଣସି ଆବଶ୍ୟକତା ନାହିଁ ସେହିଭଳି ସେମାନେ ମୁଣ୍ଡ ଗୁଞିଥିବା ନିୟମଗିରି ପାହାଡ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ରହିଛି । କିନ୍ତୁ ସେହି ପରିଚୟକୁ ଆହୁରି ପ୍ରତିଷ୍ଠିତ ଏବଂ ବ୍ୟବସାୟିକ କରିବାାପାଇଁ ଅଣ୍ଟା ଭିଡିଛି ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ। ଏବେ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ କପଡାଗୁନ୍ଦା ବୁଣିବା ପାଇଁ ସ୍ଥାନୀୟ ଡଙ୍ଗରିଆ ମହିଳାଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ଆର୍ଥିକ ଭାବରେ ସୁଦୃଢ଼ କରିବା ପାଇଁ ଏହାର ସ୍ବତନ୍ତ୍ର ଡିଜାଇନକୁ ବ୍ୟବହାର କରି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ନିର୍ମାଣ କରିବା ପାଇଁ ଯୋଜନା କରି କାର୍ଯ୍ୟାରମ୍ଭ କରିଛି । ପୂର୍ବରୁ ତିନି ମାସର ପରିଶ୍ରମରେ ଗୋଟିଏ ସାଲ୍ ସମ୍ପୂର୍ଣ୍ଣ ହେଉଥିବା ବେଳେ ପାରିଶ୍ରମିକ ବାବଦକୁ ଡଙ୍ଗରିଆ ମହିଳା ଦେଉଥିବା ସମୟକୁ ମୂଲ ନିଅଣ୍ଟ ହେଉଥିବାରୁ ମହିଳାମାନେ ଡିଜାଇନିଂ ପାଇଁ ସମୟ ଦେଉନଥିଲେ । ଏବେ କିନ୍ତୁ ବିଭାଗ ସେମାନଙ୍କୁ ଉଦ୍ୟୋଗୀ କରିବା ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରୟାସ ଆରମ୍ଭ କରିଛି। କପଡାଗୁନ୍ଦା ବ୍ୟତୀତ ପ୍ରାରମ୍ଭିକ ପର୍ଯ୍ୟାୟରେ ଡଙ୍ଗରିଆ ମହିଳାଙ୍କୁ ଏହାର ଡିଜାଇନ ବ୍ୟବହାର କରି ବ୍ୟାଗ,କୋଟ, ପର୍ସ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ଡିଜାଇନରମାନେ ବ୍ୟବସାୟିକରଣ ପାଇଁ ବିଭିନ୍ନ ଡିଜାଇନ ସଂପର୍କରେ ଆଲୋଚନା ମଧ୍ୟ କରିଥିବା ଜଣାପଡିଛି। ଯେଉଁ ଡଙ୍ଗରିଆ ମହିଳା କିମ୍ବା ଯୁବତୀମାନେ ସାଲ ବୁଣା ଜାଣିଛନ୍ତି ସେମାନେ ଭୁବନେଶ୍ବର ସ୍ଥିତ ଇନକ୍ୟୁବେସନ ସେଣ୍ଟରରେ ଟ୍ରେନିଂ ନେବେ । ଡଙ୍ଗରିଆ ଝିଅମାନେ ପ୍ରଶିକ୍ଷଣ ନେବା ପରେ ନିଜ ଅଞ୍ଚଳର ଝିଅମାନଙ୍କୁ ନିଜ ଉତ୍ପାଦର ଉନ୍ନତିକରଣ ସଂପର୍କରେ ପ୍ରଶିକ୍ଷଣ ଦେଇପାରିବେ । ଡଙ୍ଗରିଆ ଝିଅମାନେ ମାଷ୍ଟର ଟ୍ରେନର ହୋଇ ନିଜ ନିଜର ବ୍ୟବସାୟ ଆରମ୍ଭ କରି ରୋଜଗାରକ୍ଷମ ହୋଇପାରିବେ ବୋଲି ବିଭାଗୀୟ ସଚିବ ଗୁହା ପୁନମ ତାପସ କୁମାର ପ୍ରକାଶ କରିଛନ୍ତି ।
ଶିକ୍ଷାଗତ ଯୋଗ୍ୟତାକୁ କୋହଳ କରାଯାଇଛି
ବିଭାଗର ଉତ୍କଳିକା କୋପରେଟିଭ ଲିମିଟେଡ ଦ୍ବାରା ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ଡଙ୍ଗରିଆ ଫ୍ୟୁଜନ ଦେଇ ବିଭିନ୍ନ ସାମଗ୍ରୀ ନିର୍ମାଣ କରାଯିବ ବୋଲି ଶ୍ରୀମତୀ ଗୁହା ପ୍ରକାଶ କରିଛନ୍ତି । ବର୍ତମାନ ମାଷ୍ଟର ଟ୍ରେନର ହେବା ପାଇ ଶିକ୍ଷାଗତ ଯୋଗ୍ୟତାକୁ ମଧ୍ୟ କୋହଳ କରାଯାଇଛି । ଡଙ୍ଗରିଆ ମହିଳାମାନେ ମାଷ୍ଟର ଟ୍ରେନର ହୋଇ ମାସକୁ ୨୦ହଜାର ଟଙ୍କା ରୋଜଗାର କରିବା ସହ ଡଙ୍ଗରିଆ ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ବିଭାଗ ପ୍ରଚେଷ୍ଟା କରୁଛି ବୋଲି ସଚିବ ଗୁହା ପୁନମ ସୂଚନା ଦେଇଛନ୍ତି । ବିଭାଗର ପ୍ରଶିକ୍ଷଣ ଅନୁଷ୍ଠାନ(ସାଧକ) ଜାତୀୟ ଓ ଅନ୍ତର୍ଜାତୀୟ ଡିଜାଇନରମାନେ ଅନୁବନ୍ଧିତ ହୋଇ ଏହି ସ୍ବତନ୍ତ୍ର ସାଲ ଏବଂ ଅନ୍ୟାନ୍ୟ ଉତ୍ପାଦ ସଂପର୍କରେ ଡଙ୍ଗରିଆ ମହିଳାଙ୍କ ସହ ଆଲୋଚନା କରି ନୂତନ ଉତ୍ପାଦକୁ ଆଗକୁ ବଢ଼ାଇବେ ।
ଆହୁରି ପଢ଼ନ୍ତୁ: Nitish Kumar: ମହିଳାଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଘୋଷଣା କଲେ ନୀତୀଶ
ଏଠାରେ ସୂଚନାଯୋଗ୍ୟ, ଶ୍ରୀମତୀ ଗୁହା ରାୟଗଡା ଜିଲ୍ଲାପାଳ ଥିବା ସମୟରେ କପଡାଗୁନ୍ଦାର ଜିଆଇ ଟ୍ୟାଗ ପାଇଁ ପ୍ରୟାସ ଆରମ୍ଭ କରିଥିଲେ ଓ ୨୦୨୪ ଜାନୁଆରୀ ମାସରେ ଜିଆଇ ଟ୍ୟାଗ ମିଳିଥିଲା । ସେମାନଙ୍କ କଳା, ସଂସ୍କୃତି, ବେଶଭୂଷା, ଜୀବନଶୈଳୀ ନିଆରା । ନିୟମଗିରି ପାହାଡ଼ରେ ଚାଷ ଜୀବନ ଜୀବିକାର ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ ଡଙ୍ଗରିଆଙ୍କୁ ଦେଶ ତଥା ବିଦେଶରେ ପରିଚିତ କରିବାର ପ୍ରମୁଖ ମାଧ୍ୟମ ପାଲଟିଛି ସେମାନଙ୍କ ଦ୍ଵାରା ପ୍ରସ୍ତୁତ କପଡାଗୁନ୍ଦା ସାଲ୍ । ଏଥିରେ ଡଙ୍ଗରିଆ କଳା, ସଂସ୍କୃତି, ଐତିହ୍ୟ ସହ ଏହି ସାଲ୍ର ଡିଜାଇନ୍ ଜଡ଼ିତ ଥିବାରୁ ଏହାର ବେଶ୍ ଚାହିଦା ରହିଛି । ଭଲ ପାଇବା ପରିଜନଙ୍କୁ ଉପହାର ରୂପେ ଦିଆଯାଉଥିବା କପଡାଗୁନ୍ଦା ସାଲ୍ ଚାରିଟି ରଙ୍ଗର ସୂତାରେ (ରଙ୍ଗ, ହଳଦିଆ, ସବୁଜ, ମାଟିଆ) ବୁଣା ଯାଇଥାଏ । ରଙ୍ଗ ସୂତାରେ ବୁଣା ଯାଇଥିବା ସାଲ୍କୁ ଡଙ୍ଗରିଆ ଧାର୍ମିକ ଓ ପରମ୍ପରାର ପ୍ରତୀକ ଭାବେ ମାନିଥାନ୍ତି ।
ସେହିପରି ହଳଦିଆ ସୂତାରେ ନିର୍ମିତ ସାଲ୍କୁ ଶାନ୍ତି, ମୈତ୍ରୀ, ସବୁଜକୁ ଜୈବ ବିବିଧତା, ମାଟିଆକୁ ଧରଣୀପେନୁ ଓ ଇଷ୍ଟ ଦେବୀଙ୍କ ପ୍ରତୀକ ଭାବେ ମାନୁଛନ୍ତି ଡଙ୍ଗରିଆ। ଏହି ସାଲ୍ ସମୟକ୍ରମେ ଏବେ ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଆକର୍ଷଣ ପାଲଟିଛି । ଏପରିକି ନିକଟରେ ସିଙ୍ଗାପୁର ରାଷ୍ଟ୍ରପତି ଓଡିଶା ଗସ୍ତ ସମୟରେ ସମସ୍ତ ଅତିଥିଙ୍କୁ କପଡାଗୁନ୍ଦାରେ ବ୍ୟବହାର ହେଉଥିବା ଡିଜାଇନ ବ୍ୟବହାର କରି ବ୍ୟାଗ ଉପହାର ଦିଆଯାଇଥିଲା । କପଡାଗୁନ୍ଦା ସାଲ ବୁଣିବା ପାଇଁ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ବର୍ତ୍ତମାନ ମୟୂରଭଞ୍ଜଜିଲ୍ଲା କପ୍ତିପଦାରୁ କପଡ଼ା ଆଣି ତଙ୍ଗରିଆଙ୍କୁ ପ୍ରଦାନ କରୁଥିବା ବେଳେ କୋରାପୁଟ ଜିଲ୍ଲାରୁ ବେସ କପଡାକୁ ଆଣି ବିଭାଗ ଡଙ୍ଗରିଆଙ୍କୁ ଖୁବ ଶୀଘ୍ର ପ୍ରଦାନ କରିବା ବୋଲି ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/30/untitled-2026-01-30-09-15-00.png)