ପୁରୀ: ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜିଉଙ୍କ ଅଳଙ୍କାର ମଙ୍ଗଳବାର ରତ୍ନଭଣ୍ଡାରକୁ ଆଜି ସ୍ଥାନାନ୍ତର ହେବ। ସେଥିପାଇଁ ଆଜି ପୂର୍ବାହ୍‌ଣ ୧୦ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିପାଇଁ ପୂର୍ବାହ୍‌ଣ ୧୦ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି। ଭକ୍ତମାନଙ୍କ ପାଇଁ ମୁଖ୍ୟ ଦେଉଳ ତଥା ଝୁଲଣମଣ୍ଡପକୁ ପ୍ରବେଶ ବାରଣ କରାଯାଇଛି। ଏହି ସମୟରେ ଭକ୍ତମାନଙ୍କର ବେଢ଼ା ପରିକ୍ରମା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହି କଟକଣା ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଧିକୃତ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ସମେତ ୧୧ ଜଣିଆ ଟିମ୍ ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ଏଣେ ଶ୍ରୀଜିଉଙ୍କ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ସରିବା ପରେ ଶ୍ରୀଜୀଉଙ୍କ ଦର୍ଶନ ସ୍ବାଭାବିକ ହେବ।

Advertisment

ସୂଚନାଯୋଗ୍ୟ, ୨୦୨୪ ଶ୍ରୀଗୁଣ୍ଡିଚା ଯାତ୍ରା ତଥା ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲିବା ସହ ପ୍ରଥମେ ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଚାଙ୍ଗଡ଼ା ଘରକୁ ସ୍ଥାନାନ୍ତରିତ ହୋଇଥିଲା। ଜିଲ୍ଲା ଟ୍ରେଜେରିରୁ ଆସିଥିବା ଚାବିରେ ଭିତର ରତ୍ନଭଣ୍ଡାରର ତାଲା ନ ଖୋଲିବାରୁ ତାଲା ଭଙ୍ଗାଯାଇ ଜୁଲାଇ ୧୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଦଶ ଫୁଟ ଦୂରରେ ଥିବା ଖଟଶେଯ ଘରକୁ ସ୍ଥାନାନ୍ତର କରାଯାଇଥିଲା। ଏଏସ୍‌ଆଇ ରତ୍ନଭଣ୍ଡାରର ସଂରକ୍ଷଣ କାର୍ଯ୍ୟ ଡିସେମ୍ବର ୧୭ରୁ ଆରମ୍ଭ କରି ଚଳିତ ବର୍ଷ ଜୁଲାଇ ୭ରେ ଶେଷ କରିଥିଲା।