ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚିଛି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଦିଲ୍ଲୀରେ ପୋଷ୍ଟମର୍ଟମ ପରେ ବଳଙ୍ଗା ପୀଡିତାଙ୍କ ମୃତଦେହ ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଏଠାରୁ କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାପ୍ରୟାଣ ଗାଡ଼ିରେ ତାଙ୍କ ଜନ୍ମଭୂମିକୁ ନିଆଯାଉଛି। ପରିସ୍ଥିତି ଚାପା ଉତ୍ତେଜନା ଥିବାରୁ ବିମାନବନ୍ଦର ବାହାରେ କମିସନରେଟ ପୁଲିସ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ପହଞ୍ଚିଥିଲେ। ସ୍ବତନ୍ତ୍ର କାରକେଡ଼ ଓ ବ୍ୟାପକ ପୁଲିସ ବ୍ୟବସ୍ଥାରେ ମୃତଦେହ କମିସନରେଟ ପୁଲିସ ସୀମା ପର୍ଯ୍ୟନ୍ତ ଯାଇଥିଲା। କମିସନରେଟ ପୁଲିସର ସମୀା ‌ଶେଷ ହେଲା ପରେ ଉତ୍ତରାଛକ ଠାରୁ ପୁରୀ ପୁଲିସ ନଜସ୍ବ ସୁରକ୍ଷା ବ୍ୟବସ୍ଥାରେ ବଳାଙ୍ଗା ପୀଡ଼ିତାଙ୍କ ମୃତଦେହ ନେଇଛି। 

Advertisment

ବଳଙ୍ଗା ପୀଡ଼ିତାଙ୍କ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା। ଆଜି ପୂର୍ବାହ୍‌ଣରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ଏହା ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ରାଜ୍ୟ ସରକାରଙ୍କ ସହଯୋଗରେ ମୃତଦେହ ଏମ୍‌ସ ବିମାନବନ୍ଦରକୁ ସ୍ବତନ୍ତ୍ର ବ୍ୟବସ୍ଥାରେ ରାତି ପ୍ରାୟ ୯ଟାରେ ନିଆଯାଇ ଥିଲା। ଏହା ପରେ ମୃତଦେହ ଦିଲ୍ଲୀ-ଭୁବନେଶ୍ବର ବିମାନରେ ବାହାରିଥିଲା। 

Balanga1

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବିମାନବନ୍ଦର ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଭବନରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ପୁଲିସ ମୁତୟନ କରାଯାଇଛି। 

ବଳଙ୍ଗା ପୀଡ଼ିତାଙ୍କ ମରଶରୀର ତାଙ୍କ ଗାଁ କବରସ୍ତାନରେ କବର ଦିଆଯିବ। ମୃତଦେହ ପହଞ୍ଚିବା ପୂର୍ବରୁ ଗାଁମାଟିର କବରସ୍ତାନରେ କବର ଖୋଳା ସରିଥିବାବେଳେ ପରିବାର ସଦସ୍ୟ ଅନ୍ତିମ ସଂସ୍କାର ପାଇଁ ରୀତିନୀତିରେ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି।

ସୂଚନାଯୋଗ୍ୟ, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍‌ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ନାବାଳିକାର ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍‌ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥି ପାଇଁ ଏମ୍ସ ଭୁବନେଶ୍ବରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ କରିଡ଼ର କରାଯାଇଥିଲା। ଏହି ସମ୍ବେଦନଶୀଳ ଘଟଣା ନେଇ ରାଜ୍ୟ ସରକାର ଖୁବ ତତ୍ପରତା ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଯାଇ ଏମ୍ସରେ ପୀଡ଼ିତାଙ୍କୁ ଭେଟିଥିଲେ ଓ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିଲେ। ସେ ପରିବାର‌ ଲୋକଙ୍କ ସହିତ କଥା ହୋଇ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ।

 puri | AIIMS Delhi