ମୈଦଲପୁର: ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳାଙ୍କ ପରିବାର ଲୋକେ। ନବରଙ୍ଗପୁରଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ କଣ୍ଟାମାଳ ଗାଁରୁ ଏହି ଅଭିଯୋଗ ଆସିଛି।

Advertisment

ମୃତ ମହିଳାଙ୍କ ବାପା ମଦନ ଭତ୍ରାଙ୍କ ତରଫରୁ ମୈଦଲପୁର ଥାନାରେ ଦେଇଥିବା ଏତଲା ଅନୁସାରେ ତାଙ୍କ ଝିଅ ଡାବୁଗାଁ ଗାଁର ଝିଅ କମଳଦେଇ ଭତ୍ରା ମୈଦଲପୁର ଥାନା ଅନ୍ତର୍ଗତ କଣ୍ଟାମାଳ ଗାଁର ଜଗବନ୍ଧୁ ଗୌଡ଼ଙ୍କୁ ବିବାହ କରିଥିଲେ।

ଗତକାଲି  ଜ୍ୱାଇଁ ଜଗବନ୍ଧୁ ଶଶୁର ମଦନ ଭତ୍ରାଙ୍କୁ ତାଙ୍କ ଝିଅ କମଳଦେଇଙ୍କ ସହିତ ଝଗଡ଼ା ହୋଇଥିବା ଏବଂ ଏନେଇ ଗାଁରେ ଏକ ପଞ୍ଚଭଦ୍ର ବୈଠକ ହେଉଥିବାରୁ ସେଠାରେ ଉପସ୍ଥିତ ରହିବ ବୋଲି କହିଥିଲେ। ରାତି ପ୍ରାୟ ୧ଟା ୩୦ ମିନିଟରେ ତାଙ୍କ ଝିଅ କମଳଦେଇ ବେକରେ ଦଉଡ଼ି ଦେଇ ମରିଯାଇଥିବା ନେଇ ତାଙ୍କ ଜ୍ୱାଇଁ ଜଗବନ୍ଧୁ ଜଟାବାଲରେ ଥିବା ତାଙ୍କ ଅନ୍ୟ ଝିଅ କୁମାରୀ ଭତ୍ରାଙ୍କୁ ଫୋନ୍‌ ମାଧ୍ୟମରେ ସୂଚନା ଦେଇଥିଲେ।

ସନ୍ଧ୍ୟାରେ ଝିଅ କମଳଦେଇ ତାଙ୍କ ସହିତ ଭଲରେ କଥା ହୋଇଥିବା ଏବଂ ସେ ମଧ୍ୟ ସ୍ୱାମୀଙ୍କ ସହିତ ଝଗଡା ହେବାରୁ ସକାଳୁ ଗାଁରେ ବୈଠକ ବସୁଥିବାର ଆସିବା ପାଇଁ କହିଥିଲା ତେଣୁ ସେ କେବେ ଆତ୍ମହତ୍ୟା କରିନ ପାରେ। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ବାପା ମଦନ ଭତ୍ରା। ସେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପଟେ ମୃତ୍ୟୁ ହୋଇଥିବା ମହିଳାଙ୍କ ଦୁଇ ପୁଅ ଅଛନ୍ତି। ବଡ଼ପୁଅ (୫) ଏବଂ ସାନପୁଅକୁ ଏକ ବର୍ଷ ହେବ। ପାପଡାହାଣ୍ଡି ଏସ୍‌ପିଓ ଓ ପୁଲିସ ପହଞ୍ଚି  ଝୁଲନ୍ତା ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମୃତ୍ୟୁବରଣ କରିଥିବା ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ଗୌଡ଼କୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। 

Nabarangpur