ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅର୍ନ୍ତଗତ ଦୁବୁଲାବେଡା ଗ୍ରାମର ବାଇଜୁ ମୁର୍ମୁଙ୍କ ଝିଅ ମାଇନ ମୁର୍ମୁ(୧୫) ଗତ ୩୧ ଜାନୁଆରି ଠାରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ନପାଇବାରୁ ଗତ ୯ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନିଖୋଜ ନେଇ ଥାନାରେ କେସ୍ ନଂ ୨୫/୨୫ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲା।
ଆଜି ଦୁବୁଲାବେଡା ଗ୍ରାମର ପଡୋଶୀ ଗ୍ରାମ ବାଲିଆବାଦୀର ଦେହୁରୀସାହି ଜଙ୍ଗଲସ୍ଥ ଏକ ଆମ୍ବ ଗଛରୁ ନାବାଳିକା ମାଇନଙ୍କ ଝୁଲନ୍ତା ମୃତଦଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳକୁ ପହଞ୍ଚି ୧୧ ଦିନ ଧରି ନିଖୋଜ ଥିବା ମାଇନଙ୍କ ମୃତଦେହ ବୋଲି ସ୍ପଷ୍ଟ କରିଥିଲେ।
ଘଟଣାସ୍ଥଳରେ ପୁଲିସ୍ ପହଂଚି ଶବକୁ ଜବତ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଏନେଇ ଗୋରୁମହିଷାଣୀ ଥାନାରେ କେସ୍ ନଂ ୨/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଛି ତାହା ବ୍ୟବଛେଦ ପରେ ଜଣାପଡ଼ିବ। ଘଟଣାସ୍ଥଳରୁ ନାବାଳିକା ଜଣକ ଶୌଚ ପାଇଁ ନେଇଥିବା ଏକ ବାଲଟି ଓ ମଗ୍ ପୁଲିସ୍ ଜବତ କରିଛି।