-ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇ ବ୍ୟକ୍ତି ନିଖୋଜ ଘଟଣା
-ହାତୀ ଆକ୍ରମଣର ଶିକାର ହୋଇଥିଲେ ବ୍ୟକ୍ତି
-ସ୍ପଷ୍ଟ କଲା ବନ ବିଭାଗ
ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ଉପକଣ୍ଠ ନୂଆଗାଁ ଗ୍ରାମର ଜନୈକ ବ୍ୟକ୍ତି ସପ୍ତାହେ ପୂର୍ବରୁ ପାଖ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇ ନିଖୋଜ ହୋଇଯାଇଥିବା ବେଳେ ଶୁକ୍ରବାର ଜଙ୍ଗଲ ଭିତରୁ ତାଙ୍କର ଖଣ୍ଡ ବିଖଣ୍ଡିତ ଗଳିତ ଶବ ଉଦ୍ଧାର ହୋଇଛି। ବନବିଭାଗ ଓ ପୁଲିସ କର୍ମଚାରୀମାନେ ମୃତଦହେକୁ ଉଦ୍ଧାର କରିଛନ୍ତି। ଏଥି ସହିତ ସେହିଦିନ ଉକ୍ତ ଜଙ୍ଗଲରେ ବିଚରଣ କରୁଥିବା ବଣୁଆ ଦନ୍ତାର ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ନେଇ ବନବିଭାଗ ସ୍ପଷ୍ଟ କରିଛି।
ପ୍ରାପ୍ତ ସୂଚନା ଅନୁଯାଇ ନୂଆଗାଁ ଗ୍ରାମର ସ୍ବର୍ଗତଃ ଢାଉଲ ବେହେରାଙ୍କ ପୁଅ ଅନୁରୁଦ୍ଧ ବେହେରା (୫୪) ଗତ ୨୩ ତାରିଖ ଭୋର ସକାଳୁ ଗାଁ ପାଖ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇ ଆଉ ଫେରି ନଥିଲେ। ତେବେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ବ୍ୟସ୍ତବିବ୍ରତ ହୋଇ ଏଣେତେଣେ ଖୋଜାଖୋଜି କରିଥିଲେ ବି ଅନୁରୁଦ୍ଧଙ୍କୁ ପାଇ ନଥିଲେ। ଶେଷରେ ପରିବାର ଲୋକେ ଅନୁରୁଦ୍ଧଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ।
କିଛିଦିନ ପୂର୍ବରୁ ଉକ୍ତ ଜଙ୍ଗଲରେ ଏକ ଗୋଠଛଡା ଝାଡ଼ଖଣ୍ଡି ଦନ୍ତା ହାତୀ ବିଚରଣ ପୂର୍ବକ ନିଜର ଉତ୍ପାତ ଜାରି ରଖିଥିଲା। ଏଥିପାଇଁ ପରିବାର ବର୍ଗ ଓ ସ୍ଥାନୀୟ ଲୋକ ଅନୁରୁଦ୍ଧଙ୍କୁ ହାତୀ ଆକ୍ରମଣ କରିଥିବା ନେଇ ସନ୍ଦେହ ପ୍ରକଟ କରିଥିଲେ। ତେବେ ଆଜି ସନ୍ଦେହ ସତ ହୋଇଛି। ଗ୍ରାମବାସୀ ବଣକୁ ପତ୍ର ତୋଳିବାକୁ ଯାଇଥିବାବେଳେ ଘଞ୍ଚ ଜଙ୍ଗଲ ଭିତରେ ଅନୁରୁଦ୍ଧଙ୍କର ଖଣ୍ଡ ବିଖଣ୍ଡିତ ଗଳିତ ଶବ ଦେଖିବାକୁ ପାଇଥିଲେ ଓ ତାଙ୍କ ପରିବାର ବର୍ଗକୁ ଖବର ଦେଇଥିଲେ।
ଖବରପାଇ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ଓ ବେତନଟୀ ବନାଞ୍ଚଳ ଅଧିକାରୀ ମନୁୱାର ଖାନ ସଦଳବଳ ଘଟଣାସ୍ଥଳରେ ପହଁଚି ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଅନୁରୁଦ୍ଧଙ୍କ ମୃତ୍ୟୁ ହାତୀ ଆକ୍ରମଣ ଜନିତ ବୋଲି ସ୍ପଷ୍ଟ କରିଥିଲେ।
ଏନେଇ ବୈଶିଙ୍ଗା ଥାନାରେ ୫୨ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଅନୁରୁଦ୍ଧର ମୃତଦେହ ଶବ ବ୍ୟବଛେଦ ପାଇଁ ପଠାଇଥିଲେ। ଖୁବଶୀଘ୍ର ହାତୀ ଆକ୍ରମଣରେ ମୃତ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବା ନେଇ ରେଞ୍ଜର ମନୁୱାର ଖାନ ପ୍ରକାଶ କରିଛନ୍ତି।