ଝାରସୁଗୁଡା: ଜିଲ୍ଲାର ବେଲପାହାଡ଼ ଥାନା ଅନ୍ତର୍ଗତ ଗାନ୍ଧୀନଗରର ଏକ ଭଙ୍ଗା ଜରି ବନ୍ଧା ଘରୁ ଆଜି ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧଙ୍କ ନାମ ବିକ୍ରମ (୬୦) ଓ ସ୍ତ୍ରୀଙ୍କ ନାମ ଜାନକୀ (୫୫) ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ ବିକ୍ରମ ଓ ସ୍ତ୍ରୀଙ୍କ ନାମ ଜାନକୀ ଦୀର୍ଘବର୍ଷ ହେବ ଏହି ଅଞ୍ଚଳରେ ଏକ ଭଙ୍ଗା ଘରେ ରହିବା ସହ ଭିକ୍ଷାବୃତ୍ତି କରି ଚଳୁଥିଲେ। ଆଜି ଉକ୍ତ ଘରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା।

ତେବେ କେହି ଅଭିଯୋଗକାରୀ ନଆସିବାରୁ ମ୍ୟୁନିସିପାଲଟି ପକ୍ଷରୁ ଉଭୟ ମୃତକଙ୍କ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି। ବୃଦ୍ଧଙ୍କ ଶବଟି ପଚିବା ଆରମ୍ଭ ହୋଇଯାଇଥିବାରୁ ଦିନେ ଦୁଇଦିନ ତଳୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଆଶଙ୍କା କରାଯାଉଛି। ତେବେ ଏକା ସାଙ୍ଗରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ କିଭଳି ହେଲା ଓ କାହିଁକି ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୁଲିସ ସୂଚନା ଅନୁସାରେ, ପ୍ରାୟ ୫ ବର୍ଷ ତଳେ ବିକ୍ରମ ସପତ୍ନୀକ ଏଠାକୁ ଆସିଥିଲେ। ଗତ କିଛି ମାସ ହେବ ସେ ଟିବି ରୋଗରେ ଆକ୍ରାନ୍ତ ହେବା ପରେ ଶଯ୍ୟାଶାୟୀ ହୋଇଯାଇଥିଲେ। ଜାନକୀ ଭିକ୍ଷାବୃତ୍ତି କରି ଯାହା ପାଉଥିଲେ ସେଥିରେ ଦମ୍ପତି ଚଳୁଥିଲେ।

Jharsuguda