ବାଲିପାଟଣା: ରାଜଧାନୀ ଉପକଣ୍ଠ ଗୋପ ବ୍ରାଞ୍ଚ କେନାଲରୁ ୬ ଘଣ୍ଟା ପରେ ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି। ବାଲିଅନ୍ତା ଥାନା କାକରଦ୍ରପୁର ଅଞ୍ଚଳର ବୃଦ୍ଧ ଜଣଙ୍କ କେନାଲକୁ ଶୌଚ ହେବା ପାଇଁ ଯାଇ ପାଣି ବୁଡି ଯାଇଥିଲେ। ଗ୍ରାମବାସୀ ଏବଂ ବାଲିପାଟଣା ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି କରିଥିଲେ। ଶେଷରେ ବାଲିପାଟଣା ଥାନା ବାରିଲୋ ମହାବୀରଙ୍କ ନିକଟ ପାଳ ସାହି ବ୍ରିଜ ନିକଟରୁ ରାତି ପ୍ରାୟ ୧୦ ଟାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି।
ବାଲିଅନ୍ତା ଥାନା ଅନ୍ତର୍ଗତ କାକରୁଦ୍ରପୂର୍ ଗ୍ରାମର କୈଳାଶ ହାତୀ(୮୦) ଆଜି ଅପରାହ୍ନ ପ୍ରାୟ ୩ ଟାରେ ନିକଟସ୍ଥ ଗୋପ ବ୍ରାଞ୍ଚ କେନାଳକୁ ଶୌଚ ହେବା ପାଇଁ ଯାଇଥିଲେ। ଅସାବଧାନତା ଯୋଗୁଁ ତାଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ।
ଗ୍ରାମବାସୀ ବହୁ ଖୋଜା ଖୋଜି କରି ତାଙ୍କୁ ନପାଇବାରୁ ବାଲିପାଟଣା ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶ୍ରମ ବିଭାଗ ଅନ୍ଧାରରେ କେନାଲର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା। ଗ୍ରାମବାସୀ ବାରିଲୋ ନିକଟରେ ବୃଦ୍ଧଙ୍କୁ ଭାସି ଯାଉଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ବୃଦ୍ଧ ଜଣଙ୍କ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।