ସୁନ୍ଦରଗଡ଼/ବାଲିଶଙ୍କରା: ୧୩ ତାରିଖ ଅପରାହ୍ନରେ ଜିଲ୍ଲାର ବାଲିଶଙ୍କରା ବ୍ଲକ୍‌ ଘୋଘର  ଇବନଦୀ‌ର ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳ କନାକୁଣ୍ଡରେ ବୁଡ଼ି ନିଖୋଜ ଯୁବକଙ୍କ ମୃତଦେହ ୩୦ ଘଣ୍ଟା ପରେ ଉଦ୍ଧାର ହୋଇଛି। ଆଜି ସକାଳୁ କନାକୁଣ୍ଡଠାରୁ ୭ କିଲୋମିଟର ଦୂର କୁସୁମୁରା ଘାଟ ତଳେ ଭାସମାନ ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତଳସରା ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। 

Advertisment

ମୃତ ଯୁବକ ବିଶାଖପାଟଣାର ସାତ୍ତ୍ଵିକ କଞ୍ଜିପତି (୧୮) ଦର୍ଲିପାଲି ଏନଟିପିସିରେ ଚାକିରି କରୁଥିବା ତାଙ୍କ କାକା ପ୍ରସାଦ କଞ୍ଜିପତି ଘରକୁ ପୂଜା ଛୁଟି କାଟିବାକୁ ଭଉଣୀ ସହ ଆସିଥିଲେ। ୧୩ ତାରିଖରେ ପ୍ରସାଦ, ସାତ୍ତ୍ବିକ ଓ ତାଙ୍କ ଭଉଣୀ ସମେତ ଏନଟିପିସିର ଅନ୍ୟ ପରିବାରର ୧୫ ଜଣ କନାକୁଣ୍ଡ  ଭୋଜି କରିବାକୁ ଯାଇଥିଲେ। କନାକୁଣ୍ଡରେ  ରୋଷେଇ ସରିବା ପରେ ସାତ୍ତ୍ଵିକ ଝିଅମାନଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ବାଲିରେ ପାଦ ଖସି ଯାଇ ସ୍ରୋତରେ ପଡ଼ି ଯାଇଥିଲେ। ଏହି ସ୍ଥାନ ତାଙ୍କ ପାଇଁ ସଂପୂର୍ଣ୍ଣ ନୂଆ ହୋଇଥିବାରୁ ସେ ପାଣିର ଗଭୀରତା ସଂପର୍କରେ ଜାଣି ନଥିଲେ। ପାଣିର ଗତି ମଧ୍ୟ ତୀବ୍ର ଥିଲା, ଯେଉଁଥିରେ ସେ ଭାସିଗଲେ। ଭଉଣୀ ଓ ଝିଅମାନେ ଚିତ୍କାର କରିଥିଲେ। ହେଲେ ଉପରମୁଣ୍ଡରେ ଦୂରରେ ଥିବା  କାକା ପ୍ରସାଦ ଓ ଅନ୍ୟ ଯୁବକମାନ ଦୌଡ଼ି ଆସିଥିଲେ ମଧ୍ୟ ଯୁବକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା।

 ସୂଚନା ପାଇବା କ୍ଷଣି ବାଲିଶଙ୍କରାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅବିଶ୍ରାନ୍ତ ଭାବେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଦୁଇ ଦିନ ହେଲା ଯୁବକଙ୍କ ପତ୍ତା ମିଳି ପାରିନଥିଲା। ସ୍ରୋତ ପ୍ରଖର ଥିବାରୁ ପାଣିରେ ପଶି ଯୁବକଙ୍କୁ ଠାବ କରିବାର ସମ୍ଭବ ହେଉ ନଥିବା ପ୍ରକାଶ ପାଇଥିଲା।
ଆଜି ସକାଳୁ ମୃତଦେହ କୁସୁମୁରା ଘାଟ ତଳେ ଭାସୁଥିବା ସୂଚନା ପାଇ ଅଗ୍ନିଶମ ବାହିନୀ ଯାଇ ଉଦ୍ଧାର କରିଥିଲେ।