ବୈଶିଙ୍ଗା(ଦୀପକ କୁମାର ସିଂହ): ମାସକ ପୁର୍ବରୁ ଶେଷ ଥର ଦେଖିଥିଲେ ପୁଅର ମୁହଁ, ସ୍ତ୍ରୀଙ୍କୁ କଥା ଦେଇଥିଲେ ଏଥର ଗଲେ ଭଲ ଦୁଇ ପଇସା ରୋଜଗାର କରି ଘରକୁ ପଠେଇବି। ପୁଅ-ଝିଅଙ୍କ ସହିତ ଶେଷ ଥର ଗାଁ ମାଟିରେ ଖେଳି କହିଥିଲେ ଶୀଘ୍ର ଫେରି ଆସିବି। ହେଲେ ସବୁ ଆଶା ଆଶାରେ ରହିଗଲାl ଦାଦନ ଯାଇ ମୃତ୍ୟୁବରଣ କଲା ପରେ ବି ଫେରି ପାରିଲାନି ବୈଶିଙ୍ଗା ଥାନା ଅଧୀନ କଣ୍ଟିପୁର ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ସାନ ପୁଅ ଉତ୍ତମ ବିକାଶଙ୍କ ମରଶରୀରl ଦିନ ପରେ ଦିନ ବିତିଚାଲିଛି ହେଲେ ଘରେ ଅରନ୍ଧା ବଡ଼ା। କାହାରି ଆଖିରୁ ଶୁଖୁନି ଲୁହ। ପୁଅକୁ ଝୁରିଝୁରି ମୁକ ପାଲଟି ଗଲେଣି ବୃଦ୍ଧ ବାପା-ମାl। ସେପଟେ ବ୍ୟାକୁଳ ଚିତ୍କାର କରୁଛି ବିଧବା ସ୍ତ୍ରୀl ଅନ୍ୟପଟେ ପୁଣି ବାପାଙ୍କୁ ଦେଖିବାକୁ ବ୍ୟାକୁଳ ଛୋଟ ପୁଅଝିଅl

Advertisment

 ପରିବାରର ଦୁଃଖ ମୁଣ୍ଡକୁ ନେଇ ପୁଅ ବାହାର ରାଜ୍ୟକୁ ଯାଇଥିଲା ଦାଦନ ଖଟିବାକୁl ଆଶା କରିଥିଲା ଦାଦନ ଖଟି ଗାଁରେ ନିଜ ଗାଁରେ ରହୁଥିବା ପରିବାର ମୁହଁରେ ହସ ଟିକେ ଦେବl ସେଥିପାଇଁ ଗୁଜରାଟ ଯାଇ ଏକ ଟାଇଲ କମ୍ପାନିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଉତ୍ତମ ବିକାଶl ହେଲେ ପାଖରେ ରହୁଥିବା ନିଜ ରାଜ୍ୟର ସାଙ୍ଗ ହିଁ ମୁଣ୍ଡରେ ଚେଞ୍ଚି ନେଇଗଲା ଜୀବନl ଏପଟେ ସମ୍ବାଦ ଓ କନକ ନିୟୁଜରେ ଖବର ପ୍ରସାରଣ ପରେ ଗୁଜରାଟରୁ ମୃତଦେହ ଘରକୁ ଆଣିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଦେଇଥିଲେ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀl ହେଲେ ଉତ୍ତମ ବିକାଶର ଭାଇ ଶବ ଆଣିବାକୁ ଯାଇ ଗୁଜରାଟ ଯାଇ ପହଁଚିଲା ବେଳକୁ ଶବ ସଢ଼ିବା ଆରମ୍ଭ ହୋଇଯାଇଥିଲା। ପୁଣି ସେଠାରୁ ଆସିବାକୁ ଆହୁରି ୩ଦିନ ଲାଗିଥାନ୍ତା। ଏଠି ପହଁଚିଲା ବେଳକୁ ଶବ ସମ୍ପୂର୍ଣ୍ଣ ପଚିସଢ଼ି ନଷ୍ଟ ହୋଇ ଯାଇଥାନ୍ତାl ସେଥିପାଇଁ ମୃତକଙ୍କ ବଡଭାଇ ସେଠାକାର ଥାନା ଅଧିକାରୀ ଏଚ୍‌କେ ଜାଡେଜାଙ୍କ ସହାୟତାରେ ଶବ ସତ୍କାର କଲେl

ସବୁ ବ୍ୟବସ୍ଥା ପରେ ବି ପୁଅର ମଲା ମୁହଁ ଟିକିଏ ଦେଖି ପାରିଲାନି ମା’, ସ୍ତ୍ରୀ ଓ ପରିବାର ଲୋକl ଖାଲି ଫଟୋକୁ ଦେଖି ଲୁହ ଗଡ଼ାଉଛନ୍ତିl ସେହିପରି ଗାଁ ସାହି ପଡିଶା ବି ଗାଁର ସୁନାପୁଅର ମୃତ୍ୟୁ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତିl

ସୂଚନାଯୋଗ୍ୟ, ଗୁଜରାଟ ମୋରବି ଜିଲ୍ଲାର ୱାଙ୍କନେର ତାଲୁକା ପୁଲିସ ଷ୍ଟେସନ ଅଧୀନରେ ଥିବା ଏକ ଘରୋଇ ଟାଇଲ କମ୍ପାନିରେ ରହି କାମ କରୁଥିଲେ ଉତ୍ତମ ବିକାଶl ପରେ ତାଙ୍କ ନିକଟରେ ବାଲେଶ୍ୱର ନୀଳଗିରି ଅଞ୍ଚଳର ଜଣେ ନାବାଳକ କାମ କରିବା ଆଶାରେ ଯାଇ କିଛି ଦିନ ଧରି ରହୁଥିଲା ଉତ୍ତମ ବିକାଶ ରୁମରେl ପୁଲିସ ଓ ଯାଇଥିବା ଭାଇର ସୂଚନା ମୁତାବକ ଉତ୍ତମ ବିକାଶ ରହୁଥିବା ସ୍ଥାନରେ ରହୁଥିଲେ ବାଲେଶ୍ୱର ନୀଳଗିରି ଥାନା ଅଞ୍ଚଳର ୧୬ବର୍ଷୀୟ ନାବାଳକ ପୁଅl ରାତିରେ ସାଙ୍ଗ ହୋଇ ଶୋଉଥିଲେ ଦୁଇ ଜଣl କୌଣସି କଥାକୁ ନେଇ ରବିବାର ଦିନ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ଉତ୍ତମ ବିକାଶ ନାବାଳକକୁ ୨ଚାପୁଡ଼ା ମାରିଥିଲେl

ତେବେ ସେହି ଚାପୁଡ଼ାକୁ ଗୁରୁତର ଭାବେ ଦେହକୁ ନେଇଯାଇଥୁଲା ନାବାଳକ ଓ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲାl ରାତିରେ ଖାଇ ଶୋଇବା ପରେ ଏକ ପଥରରେ ଉତ୍ତମ ବିକାଶର ମୁଣ୍ଡରେ ଛେଁଚି ଦେଇଥିଲା। ଘଟଣା ସ୍ଥଳରେ ହିଁ ବିକାଶଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା l ପରେ ଅଭିଯୁକ୍ତ ପାଖ ବୁଦାମୂଳକୁ ଫିଙ୍ଗି ଦେଇଥିଲା ଉତ୍ତମ ବିକାଶର ଶବକୁl ଗୁଜୁରାଟର ୱାଙ୍କନେର ତାଲୁକା ପୁଲିସ ଷ୍ଟେସନର ଥାନା ଅଧିକାରୀ ଏଚ କେ ଜାଡେଜା ଶବ ବ୍ୟବଛେଦ କରାଇବା ପରେ ତଦନ୍ତ ଆରମ୍ଭ କରିଥିଲେ ଓ ନୀଳଗିରି ଅଞ୍ଚଳର ନାବାଳକକୁ ଅଟକ ରଖିଥିଲେ। ନାବାଳକ ପୁଲିସ ସମ୍ମୁଖରେ ହତ୍ୟାକାଣ୍ଡ ନେଇ ସବୁ କଥା ସ୍ୱୀକାର କରିଥିଲାl

Mayurbhanj