ନବରଙ୍ଗପୁର/ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ଚାଷ ଚାଷୀର ମୁଖ୍ୟ ପେଟପାଟଣା। ହେଲେ ଏଠାରେ ଜଳସେଚନର ସୁବିଧା ନାହିଁ। ବର୍ଷାର ଅଭାବ ଯୋଗୁଁ  ଧାନ ଚାଷ ଆଗେଇ ପାରୁନି। ତଳି ବଂଚେଇ ବାକୁ ସଂଘର୍ଷ କରୁଛି ଚାଷୀ। ନବରଙ୍ଗପୁର ଜିଲ୍ଲାରେ ଗତ ୧୧ ଦିନ ମଧ୍ୟରେ  ୧୪୯୪ ମିମି ବର୍ଷା , ହାରାହାରୀ ୧୪୯.୬୧ ମିମି ବର୍ଷା ହୋଇଛି। ଚନ୍ଦାହାଣ୍ଡି ବ୍ଲକରେ ସର୍ବ ନିମ୍ନ ମାତ୍ର ୫୮ ମିମି ବର୍ଷା ହୋଇଛି। ଯାହା ଅନ୍ୟ ବ୍ଲକ ଅପେକ୍ଷା ୫୦ ପ୍ରତିଶତ କମ୍। 

Advertisment

ଚନ୍ଦାହାଣ୍ଡି ବ୍ଲକ ରେ ମୋଟ ଚାଷ ଜମି ମଧ୍ୟରୁ ସର୍ବାଧିକ ୧୧୭୭୫  ହେକ୍ଟର ଢେପ ଜମି ରହିଛି। ମଧ୍ୟମ ଅଞ୍ଚଳରେ ୨୨୬୧ ହେକ୍ଟର ଓ ସମତଳ ଅଞ୍ଚଳରେ ୧୮୭୪ ହେକ୍ଟର ଜମି ରହିଛି। ବ୍ଲକର ୬୨୩୦ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ମକା ୨୫୫୫ ହେକ୍ଟର, ମାଣ୍ଡିଆ୧୦୦ ହେକ୍ଟର, ପନିପରିବା ୨୫୦୦ ହେକ୍ଟର ଓ ଡାଲି ଜାତୀୟ ଫସଲ ୨୫୬୦ ହେକ୍ଟର ଏହି ପରି ଖରିଫରେ ୧୪ ହଜାର  ୩ ଶହ ହେକ୍ଟର ଜମିରେ ଚାଷ ହେଉଛି।

ସରକାରୀ ରେକର୍ଡ ଅନୁଯାୟୀ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ମାଧ୍ୟମ ରେ ୨୧୬୦ ହେକ୍ଟର ସମେତ ଅନ୍ୟାନ୍ୟ ଉତ୍ସରୁ ୪୩୦୦ ହେକ୍ଟର ଜମିରେ ଜଳ ସେଚନ ସୁବିଧାଥିବା ଦର୍ଶାଯାଇଛି। ତେବେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଚନ୍ଦାହାଣ୍ଡି ବ୍ଲକର ୧୪ ଗୋଟି ପଞ୍ଚାୟତ ମଧ୍ୟରୁ କେବଳ ଶରଧାପୁର,ଚନ୍ଦାହାଣ୍ଡି, ପାଟଖଲିଆ ଓ ମୋହରା ପଞ୍ଚାୟତର କିଛି ଜମିକୁ ଫୁଲଝରୀ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ପାଣି ମାଡିଥାଏ। ଗତ ପନ୍ଦର ଦିନରୁ ଉର୍ଦ୍ଧ୍ବ ହେବ ଚନ୍ଦାହାଣ୍ଡିରେ ବର୍ଷା ହେଉନାହିଁ। ଚାଷୀ ମୋଟରରେ ପାଣି ସିଞ୍ଚନ କରି ତଳିକୁ ବଞ୍ଚାଇବାକୁ ଉଦ୍ୟମ କରୁଛି।  

ଚାଷୀଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି  ତତ୍କାଳୀନ ରାଜ୍ୟ ସରକାର ତେଲ ବହୁମୁଖୀ ପ୍ରକଳ୍ପ, ମାଲଗାଁ ଠାରେ ବରେହି ଜଳସେଚନ ପ୍ରକଳ୍ପର ପରିକଳ୍ପନା କରିଥିଲେ। ତେଲନଦୀର ଫଟିକି ଠାରେ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପାଇଁ ବିଗତ ସରକାର ଓଡଶା ସରକାର ନିଷ୍ପତ୍ତି ନେଇଥିଲେ। ଏହି ପ୍ରକଳ୍ପ ନିର୍ମାଣ ହେଲେ ବ୍ଲକର ୧୩ଟି ପଞ୍ଚାୟତର ୯ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ବର୍ଷ ସାରା ଜଳ ଯୋଗାଣ ହେବାସହ ୨୦ ମେଗା ଓ୍ବାଟ ବିଦ୍ୟୁତ ଉତ୍ପାଦନ ହୋଇ ପାରିବ ବୋଲି ପରିକଳ୍ପନା କରାଯାଇଥିଲା। ରାଜ୍ୟସରକାରଙ୍କ ଜଳସେଚନ ବିଭାଗ ତରଫରୁ କେନ୍ଦ୍ରିୟ ଜଳସେଚନ ଆୟୋଗକୁ ଡିପିଆର ଦାଖଲ କରିଥିଲେ ମଧ୍ୟ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିପାରିନାହିଁ। ଯାହା ଫଳରେ ଏହି ପ୍ରକଳ୍ପ  ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି।

ତତ୍କାଳୀନ ବିଧାୟକ ପ୍ରକାଶ ମାଝୀ ରାଜ୍ୟ ସରକାରଙ୍କୁ ବ୍ଲକର  ମାଲଗାଁ, କୁହୁଡି, ରାଜକୋଟ ଏବଂ ବଞ୍ଜାରୀ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଉପସ୍ଥାପନ ମଧ୍ୟ କରିଥିଲେ। କିନ୍ତୁ ଏଥି ମଧ୍ୟରେ ସରକାର ବଦଳିବା ସହ ବିଧାୟକ ଓ ସାଂସଦ ମଧ୍ୟ ବଦଳି ଯାଇଛନ୍ତି।ହେଲେ ଏହି ଦାବି କେବେ ପୂରଣ ହେବ ଓ ଚାଷୀ ଏହି ପ୍ରକଳ୍ପ ମାଧ୍ୟମରେ କେବେ ଜଳସେଚନର ସୁବିଧା ପାଇ ପାରିବେ ତାହା ଦେଖିବା ବାକି ରହିଲା ବର୍ତମାନ ବିଜେପି ସରକାର ଏହି ପ୍ରକଳ୍ପ କରିବେ ନା ନାହିଁ ତାହା ସନ୍ଦେହ ରେ ରହିଛି।

Farmers | Nabarangpur