ଧର୍ମଶାଳା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୫୮ତମ ମ୍ୟାଚ୍ ଅଧାର ବନ୍ଦ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ ଦ୍ବାରା ଆୟୋଜିତ ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହୋଇଥିଲେ। ଧର୍ମଶାଳାରେ ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିଣି ପଂଜାବ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଷ୍ଟାଡିୟମରେ ଲାଇଟ୍ ପ୍ରଭାବିତ ହେବା ସହିତ ଅନିବାର୍ଯ୍ୟ କାରଣବଶତଃ ମ୍ୟାଚ୍କୁ ବନ୍ଦ କରାଯାଇଥିଲା। ଏଥି ସହିତ ଦର୍ଶକଙ୍କୁ ଷ୍ଟାଡିୟମ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଦକ୍ଷିଣ କଶ୍ମୀରର ପହଲଗାମରେ ଗତମାସ ୨୨ ତାରିଖ ଦିନ ପର୍ଯ୍ୟଟକମାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି ଏଭଳି ପରିସ୍ଥିତିରେ ପାକିସ୍ତାନ ତରଫରୁ ଆଜି ହୋଇଥିବା ଆକ୍ରମଣ ଉଦ୍ୟମକୁ ଭାରତୀୟ ସେନା ବିଫଳ କରିଦେଇଛି। ମ୍ୟାଚ୍କୁ ବନ୍ଦ କରାଯିବା ସହିତ ଦର୍ଶକମାନଙ୍କୁ ଶୀଘ୍ର ଷ୍ଟାଡିୟମ ଛାଡ଼ି ଚାଲିଯିବାକୁ କୁହାଯାଇଛି। ମ୍ୟାଚ୍ ବନ୍ଦ ନେଇ ଆଇପିଏଲ୍ର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲରେ ଦିଆଯାଇଛି।
ପଂଜାବ ପାଇଁ ପ୍ରିୟାଂଶ ଆର୍ଯ୍ୟା ଓ ପ୍ରଭସିମରନ ସିଂହ ଇନିଂସ ଆରମ୍ଭ କରିଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୨୨ ରନ୍ର ଭାଗିଦାରୀ କରିପାରିଥିଲେ। ଟି ନଟରାଜନଙ୍କ ଦ୍ବାରା ପ୍ରିୟାଂଶ ଆଉଟ୍ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ (୭୦ରନ୍) ସଂଗ୍ରହ କରିଥିଲେ। ସେ ୩୪ଟି ବଲ୍ ସାମ୍ନା କରି ୫ଟି ଚୌକା ଓ ୬ଟି ଛକା ମାରିଥିଲେ।
ପ୍ରଭସିମରନ୍ ୨୮ଟି ବଲ୍ ଖେଳି ୭ଟି ଚୌକା ବଳରେ ଅର୍ଦ୍ଧଶତକ (୫୦ରନ୍) ସଂଗ୍ରହ କରିଥିଲେ। ଶେୟସ ଆୟର ପଡ଼ିଆରେ ପହଞ୍ଚି ଥିବା ବେଳେ ମ୍ୟାଚ୍ ବନ୍ଦ ରଖାଯାଇଥିଲା।
IPL | Cricket