କୋରାପୁଟ: ଆମେ ଆଦିବାସୀ (ଜନଜାତି) ହୋଇ ଆଜି ଆମେ ସରକାରୀ ସମସ୍ତ ସୁବିଧା ଓ ସୁଯୋଗରୁ ବଂଚିଂତ। କୋଟିଆ ଜନଜାତିର ଉପଜାତି ପୁଟିଆ ଜାତି ଅଟେ। କିନ୍ତୁ ଭୁଲବଶତଃ ସରକାରୀ ତାଲିକାରୁ ଏହି ଜାତିକୁ ବାଦ ଦେଇଛନ୍ତି। ପୁଟିଆ ଜାତିକୁ ଜନଜାତି ମାନ୍ୟତା ଦେବା ଦାବିରେ ପୁଟିଆ ସମାଜ ବିକାଶ ପରିଷଦର କର୍ମକର୍ତ୍ତାମାନେ ନିଜ ପରିବାରର ସ୍ତ୍ରୀ, ପିଲା, ଛୁଆ ଆଦିଙ୍କୁ ନେଇ ଆଜି କୋରାପୁଟ ସହରରେ ଶୋଭାଯାତ୍ରା କରିଥିଲେ।
ଏହି ରାଲିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୀର୍ଘ ସମୟ ଧରି ଘେରାଉ କରିଥିଲେ। ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କୁ ଭେଟି ୧୩ଦଫା ଦାବିପତ୍ର ପ୍ରଦାନ କରିଥିଲେ। ପୁଟିଆ ଜାତିକୁ ଜନଜାତି ମାନ୍ୟତା ମିଳୁ ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ, ରାଜନୀତିରୁ ବଞ୍ଚିତ ହେଉଛନ୍ତି ବୋଲି ବିଶ୍ବରଂଜନ ଖେନବୁଡ଼ି କହିଛନ୍ତି। ଯଦି ସରକାର ଏହି ଦାବିକୁ ଅଣଦେଖା କରନ୍ତି ତେବେ ଆମ୍ଭେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି। ଆମ୍ଭମାନଙ୍କ ପିତାମାତା ଅଶିକ୍ଷିତ, ଅତି ଗରୀବ, ଦିନ ମଜୁରିଆ ଓ ଚାଷ କାମ କରି ପରିବାର ପୋଷଣ କରନ୍ତି।
ଓଡ଼ିଶା ସରକାରଙ୍କ ଜାତି ତାଲିକା ଯଥା ଏସଟି, ଏସସି, ଓବିସି ଏବଂ ଏସଇବିସି ଜାତି ତାଲିକାରେ ମଧ୍ୟ ପୁଟିଆ ଜାତି ଉଲ୍ଲେଖ ହୋଇ ନାହିଁ। ଉଚ୍ଚତର ପାଠ ପଢିବା ପାଇଁ ସରକାରଙ୍କ ଜନଜାତି ଛାତ୍ରାବାସରେ ରହି ପାଠ ପଢ଼ିବାକୁ ସୁବିଧା ମିଳୁ ନାହିଁ, ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଅଛୁ ବୋଲି ରାଲିରେ ଆସିଥିବା ବହୁ ପୁଅ ଓ ଝିଅ , ଛୋଟ ଛୋଟ ପିଲାମାନେ କହିଛନ୍ତି।
ସରକାରଙ୍କ ଅବହେଳା ଓ ନିଷ୍କ୍ରିୟତା ରୁ ଆମ୍ଭମାନଙ୍କ ଜୀବନ ଦୁଃଖ ଦୟନୀୟ ଦୁର୍ବିସହ ହୋଇ ପଡ଼ୁଛି ବୋଲି ଏମାନେ ଅଭିଯୋଗ କରିଥିଲେ। ପୁଟିଆ ଜନଜାତି, କୋଟିଆର ଉପଜାତିର ପ୍ରମାଣ ପତ୍ର ପ୍ରଦାନ କରାଗଲେ ସରକାରଙ୍କ ଯୋଜନାରେ ଉପକୃତ ହୋଇପାରିବୁ ବୋଲି ଏହି ପିଲାମାନେ କହିଛନ୍ତି। ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ରରେ କୋଟିଆର ଉପଜାତି ପୁଟିଆ ଜନଜାତି ବିଜ୍ଞପ୍ତି ପ୍ରକାଶ କରିବା, ଜାତୀୟ ମାନବ ଅଧିକାର ଆୟୋଗ ନିର୍ଦ୍ଦେଶ ଆସିଥିବା ଜମି ପଟ୍ଟା ସଂଶୋଧନର କାର୍ଯ୍ୟକାରୀ କରିବା, ପୁଟିଆ ଜନଜାତିକୁ ଓଡ଼ିଶା ଜାତି ତାଲିକାରେ ଉଲ୍ଲେଖ କରିବା, ପୁଟିଆ ଜନଜାତିକୁ ଉନ୍ନୟନ ସଂସ୍ଥାରେ ଅନ୍ତର୍ଭୁକ୍ତ କରିବା ପ୍ରମୁଖ ଦାବି ରହିଛି। ଦାବି ଗୁଡ଼ିକ ଆସନ୍ତା ମାସକ ମଧ୍ୟରେ କାର୍ଯ୍ୟକାରୀ କରା ନ ଗଲେ କୋରାପୁଟ ଜିଲ୍ଲାର ପୁଟିଆ ଜନଜାତିବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଉଦ୍ଧବ ଗୋଲାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/06/fOW6ayaW0lSZghcxRVgQ.jpg)