ମାଲକାନଗିରି: ଦୀପାବଳିକୁ ଆଉ ହାତଗଣତି କିଛି ଦିନ ରହିଥିବା ବେଳେ ବଜାରରେ ଏବେ ଦୀପର ପସରା ବସିଛି। ଗୋଟିଏ ପଟେ ମାଟି ଦୀପ ସ୍ଥାନୀୟ ମହିଳା ଓ ପୁରୁଷମାନେ ବିକ୍ରି କରୁଥିବା ଦେଖିବାକୁ ମିଳୁଥିବା ବେଳେ ଦୋକାନଗୁଡ଼ିକକରେ ପ୍ଲାଷ୍ଟିକ ଦୀପର ପସରା ମଧ୍ୟ ବଢିଛି।ଚଳିତ ଦୀପାବଳିରେ ମାଟି ଦୀପର ଚାହିଦା କମିବ ବୋଲି ଜଣାପଡିଛି। ଲୋକେ ମାଟି ଦୀପ ବଦଳରେ ପ୍ଲାଷ୍ଟିକ ଦୀପ ଖରିଦ କରି ନେଉଥିବା ଦେଖିବାକୁ ମିଳିଛି। ଏହାର କାରଣ ହେଲା ମାଟି ଦୀପରେ ତେଲ ପକାଇ ଦୀପ ଲଗାଯାଉଥିବା ବେଳେ ପ୍ଲାଷ୍ଟିକ ଦୀପରେ ମାତ୍ର ପାଣି ଢାଳିଲେ ଦୀପ ଜଳି ଉଠେ। ଏବେ ବଜାରରେ ମାଟି ଦୀପ ବନାମ ପ୍ଲାଷ୍ଟିକ ଦୀପ ମଧ୍ୟରେ ଚାଲିଛି ଟକ୍କର।
ମାଟି ଦୀପର ଦାମ ଏବେ ଆକାଶ ଛୁଆଁ ହେବା ସହ ତେଲର ଦର ମଧ୍ୟ ବଢିଛି। ଲୋକେ ଏତେ ଦାମ ଦେଇ ଦୀପ ଲଗାଇବାକୁ ପସନ୍ଦ କରୁନଥିବା ବେଳେ ବଜାରରେ ମିଳୁଥିବା ପ୍ଲାଷ୍ଟିକ ଦୀପ ଅତି ଶସ୍ତାରେ ମିଳିବା ସହ ମାତ୍ର ଅଳ୍ପ ପାଣି ପକାଇଲେ ରାତି ତମାମ ଜଳୁଛି। ଜିଲ୍ଲାର କୁମ୍ଭାର ପରିବାର ଏଥର ବହୁ କ୍ଷତି ସହିବେ ବୋଲି କୁହାଯାଇଛି। ବଜାରରେ ଏବେ ସବୁ ଜିନିଷର ଦାମ ଆହେତୁକ ବଢୁଥିବାରୁ ମାଟିରେ ଦୀପ ଗଢିବା ଏବଂ ତାକୁ ପୋଡି ଆଣି ବଜାରରେ ବିକ୍ରି କରିବା ମଧ୍ୟ ବହୁ ପରିଶ୍ରମ ସହ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ସ୍ଥାନୀୟ କୁମ୍ଭାର କହନ୍ତି। ତେଣୁ ମାଟି ଦୀପଗୁଡିକ ଚଳିତ ବର୍ଷ ଦାମ ଅଧିକା ରହିବ।କୁମ୍ଭାର ପରିବାର ଦୀପାବଳିକୁ ଆଖିଆଗରେ ରଖି ଦୀପ ପ୍ରସ୍ତୁତ କରିଥିବା ବେଳେ ବଜାରରେ ପ୍ଲାଷ୍ଟିକ ଦୀପ ଆସିଥିବା ଜାଣିନଥିବା କହନ୍ତି।
ମାଟି ଦୀପର ଦାମ ଏବେ ଆକାଶ ଛୁଆଁ ହେବା ସହ ତେଲର ଦର ମଧ୍ୟ ବଢିଛି। ଲୋକେ ଏତେ ଦାମ ଦେଇ ଦୀପ ଲଗାଇବାକୁ ପସନ୍ଦ କରୁନଥିବା ବେଳେ ବଜାରରେ ମିଳୁଥିବା ପ୍ଲାଷ୍ଟିକ ଦୀପ ଅତି ଶସ୍ତାରେ ମିଳିବା ସହ ମାତ୍ର ଅଳ୍ପ ପାଣି ପକାଇଲେ ରାତି ତମାମ ଜଳୁଛି।
ଆଧୁନିକ ସଭ୍ୟତା ଧୀରେଧୀରେ ଲୋକଙ୍କ ପରଂପରାକୁ ଭାଙ୍ଗିବାକୁ ବସିଲାଣି। ଘର ଚାରିପଟେ ଦିନେ ମାଟିର ଦୀପ ଜଳୁଥିଲା ଏବେ ସେହି ସ୍ଥାନରେ ପ୍ଲାଷ୍ଟିକ ଦୀପ ଅତି କମ୍ ଟଂକାରେ ରାତି ତମାମ ଜଳୁଥିବା ଯୋଗୁଁ ଲୋକଙ୍କର ପ୍ରଥମ ପସନ୍ଦ ଏବେ ପ୍ଲାଷ୍ଟିକ ଦୀପ ହୋଇଛି। ପ୍ରତିବର୍ଷ ଏହି ଦିବସରେ କୁମ୍ଭାର ପରିବାର ବେଶ ଭଲ ରୋଜଗାର କରିଥାନ୍ତି। ଏବେ ପରିଶ୍ରମ ବେଶୀ ହୋଇଥିବା ବେଳେ ତା ବଦଳରେ ଅର୍ଥ ମିଳୁନଥିବାରୁ ଏହି ଦୀପାବଳି ସେମାନଙ୍କ ପାଇଁ ଫିକା ପଡିବ ବୋଲି କୁହାଯାଇଛି। ଲୋକେ ଯଦି ପୁଣି ମାଟି ଦୀପ ପ୍ରତି ଆକୃଷ୍ଟ ହେବା ସହ ଘରକୁ ପ୍ଲାଷ୍ଟିକ ଦୀପ ସହ କିଛି ମାଟି ଦୀପ ମଧ୍ୟ କିଣି ନେବେ ତେବେ କୁମ୍ଭାର ପରିବାର ନିଶ୍ଚିତ ଭାବେ କିଛି ରୋଜଗାର କରିପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।