କୋରାପୁଟ (ସୁରେଶ କୁମାର ନାଇଡୁ): ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା କାହିଁରେ କ’ଣ। ଇ-କମର୍ସ ୱେବସାଇଟ ଆମାଜନରେ କୋରାପୁଟ କଫି ବିକ୍ରି ଆରମ୍ଭ ହେବା ପରେ ବିଶ୍ୱ କୋରାପୁଟକୁ ଯେତିକି ଜାଣିଥିଲା ଏବେ ତାହା କାହିଁରେ କେତେ ଗୁଣା ବଢି ଗଲାଣି। କଫି କହିଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ରହୁଥିବା ଚାଷୀଙ୍କୁ ବୁଝାଉଛି। ରାଜ୍ୟସରକାର ୱେବସାଇଟ ଆମାଜନରେ ସହ କୋରାପୁଟ, ଭୂବନେଶ୍ୱର ଓ ପୁରୀ ପରି ବଡ ସହରରେ ତିନି ତିନିଟି ଅଫଲାଇନ ଷ୍ଟୋରରେ ବିକ୍ରି ହେଉଛି। ଏହାରି ମଧ୍ୟରେ ବ୍ୟବସାୟ ଦେଢ଼ କୋଟିକୁ ଟପିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ ଆରବିକା କଫି ଫ୍ଲେଭର ହେଉଛି ବିଶ୍ବର ସର୍ବପୁରାତନ କଫି, ଯାହା ପ୍ରଥମେ ଆରବରେ ଚାଷ ହୋଇଥିଲା। ସମୟକ୍ରମେ ଏହା ସାରା ବିଶ୍ବକୁ ଯାଇଥିଲା। ସେହି କଫିର ଚାଷରୁ ବିଭିନ୍ନ ଫ୍ଲେଭର ଉତ୍ପନ୍ନ ହୋଇଥିଲା। କୋରାପୁଟରୁ ମିଳିଥିବା କଫି ମଧ୍ୟ ଏହି ଆରବିକ୍ କଫିର ଏକ ଅଂଶ। କଫି ବାଡରେ ପଣସ, ଅଳେଇଚ, ଲବଙ୍ଗ, ତୁଳସୀ, ଅଦା, କାଜୁ, ବାଦାମ, ସପୁରୀ, ପିଜୁଳି, ଆମ୍ବ, ଗେଣ୍ଡୁ ଫୁଲ ସହିତ ବିଭିନ୍ନ ପ୍ରଜାତିର ଫୁଲ ଫଳ ଚାଷ କରାଯାଉଛି। ଫଳରେ ପରାଗସଙ୍ଗମ ହୋଇ ବିଭିନ୍ନ ଫ୍ଲେଭର ଉତ୍ପନ୍ନ ହେଉଛି। ସୁଗନ୍ଧ ଥିବା ଫଳ ଓ ଫୁଲକୁ ଏଠାରେ ଚାଷ କରାଯାଉଥିବାରୁ କଫିରେ ମଧ୍ୟ ସୁଗନ୍ଧ ଆସୁଛି। ଏପରିକି ଯୁବ ଉଦ୍ୟୋଗୀ ସମ୍ବିତ କୁମାର ପଣ୍ଡା ଉତ୍ପାଦିତ କରୁଥିବା ଆରବିକା କଫି ପାଇଁ ଅର୍ନ୍ତଜାତୀୟସ୍ତରରେ ପୁରସ୍କୃତ।
କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ୧୧୪ ହେକ୍ଟର, ଦଶମନ୍ତପୁର ବ୍ଲକରେ ୫୪୦ ହେକ୍ଟର, ଲକ୍ଷ୍ମୀପୁରରେ ୩୦୩ ହେକ୍ଟର, ନନ୍ଦପୁରରେ ୩୫୨ ହେକ୍ଟର, କୋରାପୁଟରେ ୨୭୧ ହେକ୍ଟର, ବୋରିଗୁମ୍ମାରେ ୩୧ ଓ ପଟାଙ୍ଗୀରେ ୪୦ ହେକ୍ଟର ଜମିରେ ଚାଷ କରାଯାଉଛି। କୋରାପୁଟ ଜିଲ୍ଲା ପ୍ରାୟ ୩୦୦୦ ହେକ୍ଟର ଜମିରେ ଚାଷ କରାଯାଉଥିବାବେଳେ ୨୨୫୫ରୁ ଅଧିକ ଚାଷୀ ରହିଛନ୍ତି। ୧୯୩୦ ମସିହାରୁ କୋରାପୁଟ ଜିଲ୍ଲାରେ କଫି ଉତ୍ପାଦନ ହେଉଛି । ଜୟପୁର ରାଜା ରାଜବାହାଦୁର ରାମଚନ୍ଦ୍ର ଦେଓ ତାଙ୍କ ବଗିଚାରେ କଫି ଚାଷ ଆରମ୍ଭ କରିଥିଲେ। ୧୯୬୦ ମସିହା ବେଳକୁ ଏହା କୋରାପୁଟ ଜିଲ୍ଲା ସହ କନ୍ଧମାଳ, ରାୟଗଡା, କେଉଁଝର, ଗଜପତି ଓ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଥିଲା।
୨୦୨୨-୨୩ଆର୍ଥିକ ବର୍ଷରେ କୋରାପୁଟ କଫି ବୋର୍ଡ ପକ୍ଷରୁ ୮୫ମେଟ୍ରୀକ ଟନ୍ ୫୫ଲକ୍ଷର ଓ ୨୩-୨୪ରେ ୩୪.୬ମେଟ୍ରୀକ ଟନ୍) ୨୦ଲକ୍ଷ ଓ ୨୪-୨୫ରେ ଏଯାଏଁ ୩୬ଲକ୍ଷ ଟଙ୍କାର କଫି ମଂଜି କିଣାଯାଇଥିବା କଫି ବୋର୍ଡ ପକ୍ଷରୁ ସୂଚନା ମିଳିଛି।
ଆଗରୁ ଚାଷୀମାନେ ଏହା ବାହାରକୁ ରପ୍ତାନୀ କରୁଥିଲେ। ଏଠାରୁ ମୁଖ୍ୟତଃ ଆନ୍ଧ୍ର ଓ କର୍ଣ୍ଣାଟକକୁ କଫି ବିକ୍ରି କରା ଯାଉଥିଲାବେଳେ ସେମାନେ ନିଜ ନାମରେ ବ୍ରାଣ୍ଡିଂ କରି କଫି ବିକ୍ରି କରୁଥିଲେ। ଫଳରେ କୋରାପୁଟ କଫି ଏହାର ଅସ୍ତିତ୍ବ ହରାଉଥିଲା। ଚାଷୀଙ୍କ ସମସ୍ୟା ଦୂର କରିବା ସହ ନିଜ ପାଇଁ ପରିଚୟ ତିଆରି କରିବା ଲକ୍ଷ୍ୟ ନେଇ ରାଜ୍ୟର ପ୍ରଥମ କଫି ପ୍ରକିୟାକରଣ ୟୁନିଟ୍ କୋରାପୁଟରେ ଆରମ୍ଭ କରାଯାଇଥିଲା।
ଦେଶ ବିଦେଶରେ କୋରାପୁଟ କପିର ଚାହିଦା ବଢ଼ିବା ପରେ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି । ଏଥିପାଇଁ ଏକ ‘କଫି ମିଶନ୍' ଗଠନ ଲାଗି ନିଷ୍ପତି ନିଆଯାଇଛି। ଏହି ଯୋଜନା ଓଡ଼ିଶାର ୬ ଟି ଜିଲ୍ଲା ଯଥା କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ,କେନ୍ଦୁଝର, ଗଜପତି ଜ଼ିଲ୍ଲା ଅନ୍ତର୍ଭୁକ୍ତ ରହିଛି । କଫି ଚାରା ପ୍ରସ୍ତୁତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠିମାନଙ୍କୁ ସାମିଲ କରାଯିବ । ଏହି ଯୋଜନା ନିମନ୍ତେ ୨୦୨୬-୨୭ ସୁଦ୍ଧା ୧୧୪୪ କୋଟି ଟଙ୍କା ଖର୍ଚ୍ଚ ହେବ ।
ବର୍ତ୍ତମାନ ବିଶ୍ୱ ବଜାରର ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ସହିତ କୋରାପୁଟ କଫି ପ୍ରତିଦ୍ଵନ୍ଦିତା କରୁଛି। ‘କଫି ମିଶନ’ ଗଠନ ହେଲେ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ଠାରୁ ବୃହତ ଚାଷୀ ସମସ୍ତେ ଲାଭବାନ ହେବେ। ସରକାର ସମସ୍ତ ପ୍ରୋତ୍ସାହନ ସହିତ ଚାଷୀଙ୍କୁ ବଜାର ସୁବିଧା ମଧ୍ୟ ଯୋଗାଇଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/21/O1MFKOQUJpfEtXRVNYpy.jpg)