ଭୁବନେଶ୍ବର: ବିଧାୟକମାନଙ୍କର ଦରମା ଏବଂ ପୂର୍ବତନ ବିଧାୟକମାନଙ୍କର ପେନସନ ବୃଦ୍ଧି ପାଇଁ ବିଧାନସଭାରେ ଦାବି ଉଠିଛି।
ଏମଏଲଏ ଲାଡ ୩ରୁ ୫ କୋଟିକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ସମସ୍ତ ସଦସ୍ୟ।

Advertisment

ଏମଏଲଏ ଲାଡ ବୃଦ୍ଧି କରି ୫ କୋଟି କରାଯାଉ। ସାମ୍ବାଦିକମାନଙ୍କ ସ୍ବାସ୍ଥ୍ୟ ବୀମା ମଧ୍ୟ ୨୦ ଲକ୍ଷକୁ ବୃଦ୍ଧି କରାଯାଉ। ବିଧାୟକମାନଙ୍କ ଦରମା ଅଢ଼େଇ ଲକ୍ଷ ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ ୭୦ ହାଜର କରାଯାଉ।

ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବଜାର ଦରଦାମ କେତେ,ସ୍ବାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି ଅନୁଭବ କରିପାରୁଥିବେ, ତେଣୁ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି କରାଯାଉ। ଏଥିପାଇଁ ପୂର୍ବରୁ ଏକ କମିଟି ମଧ୍ୟ ହୋଇଥିଲା। ତେଣୁ ପେନସନ ସହ ବିଧାୟକମାନଙ୍କର ଦରମା ବଢ଼ାଇବା ଦରକାର। ଓଡ଼ିଶାରେ ବିଧାୟକମାନଙ୍କ ଦରମା କ୍ଷେତ୍ରରେ ଦେଶରେ ୨୭ ନମ୍ବର ସ୍ଥାନରେ ଅଛି। ଯଦି ନୂଆ କମିଟି ଆବଶ୍ୟକ, ବାଚସ୍ପତି ନୂଆ କମିଟି କରି ଦରମା ଓ ପେନସନ ବୃଦ୍ଧି କରନ୍ତୁ। ବିଧାୟକମାନଙ୍କ ଦରମା ଅଢ଼େଇ ଲକ୍ଷ ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ ୭୦ ହାଜର କରାଯାଉ ବୋଲି ପୂର୍ବରୁ କମିଟି ସୁପାରିସ କରିଛି।

ଏଣେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି, ବିଧାୟକ ଉନ୍ନୟନ ପାଣ୍ଠି  ୩ କୋଟି ଟଙ୍କା ଦିଆଯାଉଛି, ଯାହା ଯଥେଷ୍ଟ ନୁହେଁ। ଏମଏଲଏ ଲାଡ ୫ କୋଟି ଟଙ୍କା କରାଯାଉ। 

ତେଣେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି ସହ ବିଧାୟକ ଉନ୍ନୟନ ପାଣ୍ଠି ବୃଦ୍ଧି କରାଯାଉ।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଆଇଏଏସ ଅଫିସରଙ୍କର କୌଣସି ଅସୁବିଧା ନାହିଁ। ଅବସର ପରେ ବି କୋଠା ଘରେ ରହୁଛନ୍ତି, କିନ୍ତୁ ବିଧାୟକମାନଙ୍କର ହୃଦୟ ନିର୍ମଳ, ପ୍ୟାକେଟ ଖାଲି। ନିର୍ବାଚନ ମଣ୍ଡଳୀରେ ଲୋକମାନେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ବିଧାୟକମାନଙ୍କୁ ଦାବି ଜଣାଉଛନ୍ତି। ତେଣୁ ଏମଏଲଏ ଲାଡ ବୃଦ୍ଧି କରି ୫ କୋଟି କରାଯାଉ।| ସାମ୍ବାଦିକମାନଙ୍କ ସ୍ବାସ୍ଥ୍ୟ ବୀମା ମଧ୍ୟ ୨୦ ଲକ୍ଷକୁ ବୃଦ୍ଧି କରାଯାଉ। 

ବିଜେପି ବିଧାୟକ ଭାସ୍କର ମଢେଇ ଏହି ଦାବିଗୁଡ଼ିକୁ ସମର୍ଥନ କରିଛନ୍ତି। ନୂଆ କମିଟି ନକରି ପୁରୁଣା କମିଟିର ସୁପାରିଶ ଅନୁସାରେ ପଦକ୍ଷେପ ନିଆଯାଉ ବୋଲି ସେର କହିଛନ୍ତି।ଠିକ୍ ସେହିପରି ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି, ବିଧାୟକମାନଙ୍କ ଆନୁସଙ୍ଗିକ ଖର୍ଚ୍ଚ ଅନୁସାରେ ଦରମା ବହୁତ କମ। ତେଣୁ କମିଟି ସୁପାରିଶ ଅନୁସାରେ ବିଧାୟକମାନଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରାଯାଉ। 

ଏହି ପ୍ରସଙ୍ଗରେ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ବିଧାୟକମାନେ ଉଠାଇଥିବା ଦାବିରେ ସମସ୍ତଙ୍କ ସହମତି ରହିବା ଭଳି ପ୍ରତୀୟମାନ ହେଲା। ତେଣୁ ବିଧାୟକମାନଙ୍କ ଦରମା, ପୂର୍ବତନ ବିଧାୟକମାନଙ୍କ ପେନସନ ଓ ଏମଏଲଏ ଲାଡ ବୃଦ୍ଧି ଦାବି ସମୟର ଆବଶ୍ୟକତା ଅଛି। ତେଣୁ ନିଶ୍ଚିତ ଭାବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବେ ଏବଂ ବାଚସ୍ପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବି।