ଭୁବନେଶ୍ବର (ଶିବ ଶଙ୍କର ଓଝା): ସଂପ୍ରତି କେତେକ ଓଡ଼ିଆ ଅଭିନେତାଙ୍କର ଓଡ଼ିଶା ବାହାରେ ବେଶ୍ ଚାହିଦା ଚାହିଦା ରହିଛି। ଏମାନଙ୍କ ମଧ୍ୟରେ ଚିତ୍ତରଂଜନ ତ୍ରିପାଠୀ, ପୀତବାସ ତ୍ରିପାଠୀ, ମନୋଜ ମିଶ୍ର, ସୁକୁମାର ଟୁଡୁ, ସେକ୍ସପିଅର୍ ତ୍ରିପାଠୀ ଓ ପ୍ରେମ୍ ପରିଜା ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ।
ଚିତ୍ତରଂଜନ ତ୍ରିପାଠୀ ଏକାଧାରରେ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, ଗାୟକ, ଗୀତିକାର, କାହାଣୀକାର ଓ ସଙ୍ଗୀତକାର। ସେ ‘ଧଉଳି ଏକ୍ସପ୍ରେସ୍’ ଓ ମୁଖ୍ୟମନ୍ତ୍ରୀ ଭଳି ଓଡ଼ିଆ ଛବିର ପ୍ରଯୋଜକ-ନିର୍ଦ୍ଦେଶକ। ଏହାଛଡ଼ା ଏଥିରେ ସେ ଅଭିନୟ ବି କରିଥିଲେ। ଏତଦ୍ ତାଙ୍କୁ ଲଭ୍ ୟୁ ଜେସିକା, ଅଦୃଶ୍ୟମ୍, ପ୍ରେମ୍ କୁମାର ଓ ବିଗୁଲ୍ ସମେତ କେତେକ ଓଡ଼ିଆ ଛବିରେ ବି ଦେଖିବାକୁ ମିଳିଛି। ତେବେ ବଲିଉଡରେ ବି ତାଙ୍କର ଢେର୍ ଚାହିଦା ରହିଛି, ଯେଉଁ କାରଣରୁ ସେ ଦିଲ୍ଲୀ-୬, ଫ୍ୟାଣ୍ଟମ୍, ତଲବାର୍, ଶାନ୍ଦାର୍ ସମେତ ବେଶ୍ କେତୋଟି ହିନ୍ଦୀ ଛବିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଯେଉଁ ଶିକ୍ଷାନୁଷ୍ଠାନର ଦିନେ ଛାତ୍ର ଥିଲେ, ଏବେ ସେହି ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା(ଏନ୍ଏଏସ୍ଡି)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ।
ମନୋଜ ମିଶ୍ର ମିଶନ୍ କାଶ୍ମୀର୍, ଓ ସତ୍ତା ଭଳି ବହୁଚର୍ଚ୍ଚିତ ହିନ୍ଦୀ ସିନେମାରେ ଅଭିନୟ କରିବା ପରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ଥିଲା ‘ ସୁନା ଶଂଖାଳି’। ଏହାପରେ ସେ ଜିଅନ୍ତା ଭୂତ, ତୁମକୁ ପାରୁନି ତ ଭୁଲି, ମୀମାଂସା, ଅଭୟ, ଲଭ୍ ପ୍ରମିଜ୍, ତୁ ମୋ ଲଭ୍ଷ୍ଟୋରି, ସମାପାଜୁର ରଘୁ, ମାଇଣ୍ଡଗେମ୍, ତ୍ରିକନ୍ୟା ସମେତ ୩୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି। ତାଙ୍କର ବି ରାଜ୍ୟ ବାହାରେ ଚାହିଦା କିଛି କମ୍ ନୁହେଁ। ଏକ ସାକ୍ଷାତକାରରେ ସେ କହିଥିଲେ ଓଡ଼ିଆ ସିନେମା ଅପେକ୍ଷା ବାହାରେ କାମ କଲେ ତାଙ୍କୁ ଢେର୍ ଅଧିକ ପାରିଶ୍ରମିକ ମିଳେ।
ଏହି କ୍ରମରେ ସୁକୁମାର ଟୁଡୁ ଆଉ ଏକ ଚର୍ଚ୍ଚିତ ନାମ। ତାଙ୍କୁ ଦର୍ଶକ ସଂପ୍ରତି ପ୍ରେକ୍ଷାଳୟରେ ପ୍ରଦର୍ଶିତ ଅକ୍ଷୟ କୁମାର ଅଭିନୀତ ‘ଜଲି ଏଲ୍ଏଲ୍ବି ୩’ରେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ପାଇଛନ୍ତି। ଏହାଛଡ଼ା ସେ ଟ୍ବେଲଭଥ୍ ଫେଲ୍, ଓୟେ ଲକି ଲକି ଓୟେ ସମେତ ବେଶ୍ କେତୋଟି ଚର୍ଚ୍ଚିତ ହିନ୍ଦୀ ଛବିରେ ଅଭିନୟ କରିଛନ୍ତି। ସୁକୁମାର କୁହୁଡ଼ି, ଡଷ୍ଟବିନ୍ ଓ ସିଂହାସନ ଭଳି ଓଡ଼ିଆ ଛବିରେ ବି କାମ କରିଛନ୍ତି।
ପୀତବାସ ତ୍ରିପାଠୀ ବଲିଉଡର ଏକ ଜଣାଶୁଣା ଚେହେରା। ସେ ୯୯, ଆଇ ଆମ୍ କଲାମ୍, ବେଗମ୍ ଜାନ୍, ସୋର୍ ଇନ୍ ଦ ସିଟି, ୱାନ୍ସ ଅପଅନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା, ସଂଘାଇ, ଜୋକର୍ ଭଳି ହିନ୍ଦୀ ଓ ‘ମିଲିଅନ୍ ଡଲାର୍ ଆର୍ମ୍’ ହଲିଉଡ ଫିଲ୍ମରେ ନଜର ଆସିଛନ୍ତି। ଏହାଛଡ଼ା ସେ ‘କାଲିର ଅତୀତ’ ଶୀର୍ଷକ ଏକ ଓଡ଼ିଆ ଛବିରେ ବି ଅଭିନୟ କରିଛନ୍ତି। ସେ ମୁମ୍ବାଇରେ ରହି ପ୍ରାୟତଃ କାମ କରୁଛନ୍ତି।
ଭୁବନେଶ୍ବରର ଆଉ ଜଣେ ଉଦୀୟମାନ ଯୁବ ଅଭିନେତା ପ୍ରେମ୍ ପରିଜା ଓଡ଼ିଶା ବାହାରେ ବେଶ୍ ନାଆଁ କଲେଣି। ସେ ୱେଲ କମ୍ ଟୁ କରାଚି-୨, ‘ହମାରୀ ଅଧୁରା କାହାନୀ’, ‘ଲକ୍ଷ୍ମୌ ସେଣ୍ଟ୍ରାଲ’, ‘ବାଜାର୍’, ‘ସତ୍ୟମେବ ଜୟତେ-୨’ ଆଦି ସିନେମା/ ହିନ୍ଦୀ ୱେବ୍ ସିରିଜ୍ ରେ ସହକାରୀ ଓ ‘ବାଟ୍ଲା ହାଉସ୍’ ଏବଂ ‘ସତ୍ୟମେବ ଜୟତେ’ରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ପ୍ରେମ୍ ପ୍ରଖ୍ୟାତ ନିର୍ଦ୍ଦେଶକ ବିପୁଲ ଅମ୍ରିତଲାଲ୍ ଶାହଙ୍କ ହିଟ୍ ହିନ୍ଦୀ ୱେବ୍ ସିରିଜ୍ ‘କମାଣ୍ଡୋ’ରେ ନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଜଣାଶୁଣା ନାୟିକା ଅଦା ଶର୍ମାଙ୍କ ବିପକ୍ଷରେ ଲିଡ୍ ରୋଲ୍ କରିଥିଲେ ସେ। ଏବେ ସେ ଓଲିଉଡ୍ର ଆଗଧାଡ଼ିର ପ୍ରଯୋଜକ କୁମାର ପ୍ରୀତମ୍ ସାହୁଙ୍କ ନୂଆ ସିନେମା ‘ରାମରାଜ୍ୟ’ରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି।
ତେଣେ ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଓଡ଼ିଆ ଯୁବ କଳାକାର ସେକ୍ସପିଅର୍ ତ୍ରିପାଠୀଙ୍କ ଚାହିଦା କାହିଁରେ କଣ। ସେ ବହୁ ଆଡଲ୍ଟ ୱେବ୍ସିରିଜ୍ ଓ ଟିଭି ସୋ’ରେ ନଜର ଆସିଛନ୍ତି।