ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ଚକାମାଲ ଗ୍ରାମର ତ୍ରିଲୋଚନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ପରିବାର ପକ୍ଷରୁ ଚନ୍ଦାହାଣ୍ଡି ଥାନରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗତକାଲି ପଠାଇଥିଲା।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ନଥିବାରୁ ଶବକୁ ଧରି ଚନ୍ଦାହାଣ୍ଡି ସଦର ଠାରୁ ୫୫ କିମି ଦୂର ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ନେବାକୁ କୁହାଯାଇଥିଲା। ବ୍ୟବଛେଦ ପାଇଁ ଏତେ ଦୂର କିଭଳି ଶବକୁ ନେଇକି ଯିବେ ବୋଲି ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ। ଘଟଣା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ହୋହାଲ୍ଲା କରାଯାଇଥିଲା।
ବିଜେଡି ନେତା ପ୍ରଶାନ୍ତ ପାରି, ବିଜେଡି ବ୍ଲକ ସଭାପତି ଗୌରହରି ନାୟକ, ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ପୁରୁଷୋତ୍ତମ ବାଘ,ଋଷୁ ବାଘ,ଭୋଜରାମ ସିହ୍ନା, ବଳରାମ ପଟ୍ଟନାୟକ ପ୍ରମୁଖଙ୍କ ସମେତ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସି ପ୍ରତିବାଦ କରିଥିଲେ। ପରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ହସ୍ତକ୍ଷେପ କରି ନବରଙ୍ଗପୁର ସିଡିଏମ ଡ଼ାକ୍ତର ସନ୍ତୋଷ ପଣ୍ଡା ଙ୍କୁ ଏ ବାବଦରେ ଜଣାଇବା ପରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ଶରତ ଚନ୍ଦ୍ର ସେଠୀ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଶବ ବ୍ୟବଛେଦ କରିଥିଲେ।
ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବାର ଦାୟିତ୍ୱ କେତେ ଜଣ ଆୟୁଷ ଡାକ୍ତରଙ୍କୁ ଦେଇ ସମସ୍ତ ଏମବିବିଏସ ଡାକ୍ତର ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଦେବା ପାଇଁ ଯାଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବରୁ ଶବ ବ୍ୟବଛେଦ ହୋଇ ନ ପରିବା ଘଟଣା ବ୍ୟତିତ ଅନ୍ୟ ରୋଗୀଙ୍କୁ ମଧ୍ୟ ଚିକିତ୍ସା ହେବାରେ ବ୍ୟାଘାତ ହେଉଥିବା ଦେଖିବାକୁ ମିଳିଛି। ଏ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ରହିଥିବା ବେଳେ ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛ। ଏହି ଘଟଣାକୁ କଂଗ୍ରେସ ନେତା କ୍ଷେମରାଜ ବାଘ ନିନ୍ଦା କରିବା ସହ ଡବଲ ଇଂଜିନ ସରକାରରେ ଚନ୍ଦାହାଣ୍ଡି ବ୍ଲକ ବିକାଶ ପରିବର୍ତ୍ତେ ବିନାଶ ଆଡକୁ ଗତି କରୁଛି ବୋଲି ଉପହାସ କରିଛନ୍ତି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/02/new-project-33-2025-08-02-19-06-57.jpg)