ନୀଳଗିରି (ଦିଲ୍ଲୀପ ସ୍ବାଇଁ): ପାହାଡ଼ ମଝିରେ, ପ୍ରାକୃତିକ ପରିବେଶ ମଧ୍ୟରେ ବିରାଜମାନ କରିଛନ୍ତି ମହାଦେବ। ଏଠାରେ ପଞ୍ଚଲିଙ୍ଗଙ୍କୁ ସ୍ପର୍ଶ କରିବାର ଅନୁଭୂତି ସମ୍ପୂର୍ଣ୍ଣ ନିଆରା। ସବୁଠି ଭକ୍ତ ସିନା ଦେବଦେବ ମହାଦେବଙ୍କୁ ଦର୍ଶନ କରିଥାଏ। ହେଲେ ଏ ପୀଠ ଟିକେ ନିଆରା ଅନୁଭୂବ ହୋଇଥାଏ। ଏଠି ବାବାଙ୍କୁ ଦର୍ଶନ କରିବା ସହ ସ୍ପର୍ଶ କରି ଆର୍ଶୀବାଦ ନେବାର ସାନିଧ୍ୟ ମିଳିଥାଏ। ଯିଏ ଥରେ ଏହି ପୀଠକୁ ଆସିଛି, ସିଏ ବାବାଙ୍କ ଭକ୍ତିରେ ଲୀନ ହେବା ସହ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟକୁ ଦେଖି କ୍ଷଣିକ ଅଟକି ଏହାକୁ ଉପଭୋଗ କରିଛି। କାରଣ ପ୍ରକୃତି କୋଳରେ ପାହାଡ଼ ଖୋଲରେ ପୂଜା ପାଆନ୍ତି ଦେବଦେବ ମହାଦେବ ପଞ୍ଚଲିଙ୍ଗେଶ୍ବର।

Advertisment

ଅନବରତ ବାବାଙ୍କ ପାଞ୍ଚୋଟି ଲିଙ୍ଗକୁ ସ୍ପର୍ଶ କରି ବହିଯାଉଛି ଚିରସ୍ରୋତା ଝରଣା। କଥାରେ ରହିଛି ଯିଏ ମହାଦେବଙ୍କୁ ଭକ୍ତି ଭାବରେ ଡାକିଛି ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଛି। ପାଞ୍ଚୋଟି ପୀଠରେ ପରିଭ୍ରମଣ କଲେ ଯେତିକି ପୁଣ୍ୟ ଏହି ଗୋଟିଏ ପୀଠ ପରିଭ୍ରମଣ କଲେ ସେତିକି ପୁଣ୍ୟ ମିଳିଥାଏ। ହଁ ଆଜ୍ଞା ଆମେ କହୁଛେ ବାଲେଶ୍ବର ଜିଲ୍ଲା ତଥା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବରଙ୍କ ଶୈବପୀଠ ବାବଦରେ।

ଶ୍ରାବଣର ତୃତୀୟ ସୋମବାରରେ ଆଜି ବାବା ପଞ୍ଚଲିଙ୍ଗେଶ୍ବରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏଠାକୁ ଭକ୍ତମାନେ ଆସି ପଞ୍ଚଲିଙ୍ଗେଶ୍ବରଙ୍କୁ ପୂଜାର୍ଚ୍ଚନା କରିଛନ୍ତି। କେବଳ ଓଡ଼ିଶା ନୁହେଁ। ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ମଧ୍ୟ ବୋଲବମ୍‌ ଭକ୍ତମାନେ ଆସି ପହଞ୍ଚିଛନ୍ତି। 

ପୌରାଣିକ ମତ ଅନୁଯାୟୀ ଦ୍ବାପର ଯୁଗରେ ଜରାସନ୍ଧ ଅସୀମ ଶକ୍ତି ଆଶାରେ ପାଞ୍ଚୋଟି ଲିଙ୍ଗ ସ୍ଥାପନା କରି ଗୋଟିଏ ଛାଡ଼ା ହୋଇ ଉପାସନା କରିଥିଲେ। ପରବର୍ତ୍ତୀ ସମୟରେ ରାଜା ଶାସନ ସମୟରେ ରାଜା କୃଷ୍ଣଚନ୍ଦ୍ର ମର୍ଦ୍ଦରାଜଙ୍କୁ ସ୍ବପ୍ନାଦେଶ ହୋଇଥିଲା। ରାଜା ପରଦିନ ସକାଳୁ ସୈନ୍ୟସାମନ୍ତ ଧରି ବାହାରିଥିଲେ ଦେବଗିରି ପାହାଡକୁ। ଅନେକ ଖୋଜାଖୋଜି ପରେ ମଧ୍ୟ ବାବାଙ୍କ ସନ୍ଧାନ ମିଳିନଥିଲା। ଫେରିବା ସମୟରେ ବ୍ରାହ୍ମଣ ବେଷରେ ନିଜେ ଦେବ ଦେବ ମହାଦେବ ଆସି ରାଜାଙ୍କୁ ବାଟ କଢାଇ ନେଇଥିଲେ ଏବଂ ପାହାଡ ଖୋଲରେ ମିଳିଥିଲା ବାବାଙ୍କ ପାଞ୍ଚୋଟି ଲିଙ୍ଗ। ଯଥା ରୀତି ନୀତିରେ ପୂଜାର୍ଚ୍ଚନା କରାଯାଇ ସେବଠାରୁ ହୋଇଆସୁଛି ବାବାଙ୍କ ପୂଜାର୍ଚ୍ଚନା।

Nilagiri

ବାଲେଶ୍ବର ସହରଠାରୁ ୩୦ କିମି ଦୂର ଦେବଗିରି ପାହାଡ଼ରେ ରହିଛି ଏହି ପୀଠ।ପାହାଡ ପାଦଦେଶରୁ ୨ କିମି ଚାଲିବା ପରେ ପଡିଥାଏ ୩୧୧ ଗୋଟି ପାହାଚ ଯାହାକୁ ଅତିକ୍ରମ କଲା ପରେ ପାହାଡ଼ ଖୋଲରେ ରହିଛି ବାବାଙ୍କ ପଞ୍ଚଲିଙ୍ଗ। ନୂଆବର୍ଷ, କାଉଡିଆ ଯାତ୍ରା, ଜାଗାର ସମୟରେ ଏଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ। କେବଳ ରାଜ୍ୟ ନୁହେଁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ଼ ରାଜ୍ୟର ପର୍ଯ୍ଯଟକମାନେ ଏହି ପୀଠକୁ ବୁଲିବାକୁ ଆସିବା ସହ ବଣଭୋଜି କରି ଏଠାରେ ମଜା ନେଇଥାଆନ୍ତି।

ମାଘ ସପ୍ତମୀ ସମୟରେ ସାତ ଦିନ ଧରି ବାବାଙ୍କ ପୀଠରେ ଭଜନ କୀର୍ତ୍ତନ ହେବା ସହ ଯଜ୍ଞ ହୋଇଥାଏ। ମନ୍ଦିରକୁ ପଛ ଭାଗକୁ ରହିଛି ମା ବଡମ୍ବାଙ୍କ ମନ୍ଦିର ସେଠାରେ ମଧ୍ୟ ଭକ୍ତମାନେ ମାନସିକ କରିଥାଆନ୍ତି। ଶ୍ରାବଣ ମାସରେ ତ କାଉଡିଆଙ୍କ ଭିଡ଼ ଏଠାରେ ଲାଗିଥାଏ। ରବିବାର ଦିନ ରାତି ୧୨ ଟାରୁ ଭକ୍ତମାନେ ଲମ୍ବା ଧାଡି ଲଗାଇବା ସହ ବାବାଙ୍କୁ ଜଳାଭିଷେକ କରିଥାଆନ୍ତି।

Balasore | Panchalingeswar