ଯାଜପୁର: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଥିବାର ସୂଚନା ରହିଛି।  ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଗତ ଦୁଇଦିନରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିଲା। ଗତକାଲି ୪ଜଣ ଆଖି ବୁଜିଥିଲେ। ଦାନଗଦୀ, କୋରେଇ, ବ୍ୟାସନଗର ଓ ବଡ଼ଚଣା ବ୍ଲକ୍‌ରୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦାନଗଦୀ ବ୍ଲକ୍‌ର ତରାଇଲୋ ଗ୍ରାମରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ବଡ଼ଚଣା ବ୍ଲକ୍‌ରେ ଦୁଇଜଣ ଯୁବକଙ୍କର ଆଜି କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଯାଜପୁର ଟାଉନ, କୋରେଇ, ଦାନଗଦୀ, ଧର୍ମଶାଳା, ରସୁଲପୁର, ବ୍ୟାସନଗର, ବଡ଼ଚଣା ବ୍ଲକ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶଯ୍ୟା ଅଭାବରୁ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ପାନୀୟଜଳ, ଖାଦ୍ୟ ବିଷକ୍ରିୟା ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା କୁହାଯାଉଛି। ଜିଲ୍ଲା ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ  ଏ ନେଇ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇ ଲୋକଙ୍କୁ ସଚେତନ କରାଯାଇଛି। 

Advertisment

ସ୍ବାସ୍ଥ୍ୟ ବିଭାଗର ଡାକ୍ତରୀ ଦଳ ସ୍ଥିତି ଉପରେ ନଜର ରଖିଛି। ଦାନଗଦୀ ବ୍ଲକ୍‌ ତରାଇଲୋରୁ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ଏହି ଗ୍ରାମର ସୁଦର୍ଶନ ପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସେଠାରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ବସନ୍ତ ପାତ୍ର(୫୫)ଙ୍କର ମୃତ୍ୟୁ ହୋଇଛି। ଆଉ ଜଣେ ସନତ ପାତ୍ର(୩୦)ଙ୍କର ଦାନଗଦୀ ଡାକ୍ତରଖାନାରେ ମୃତ୍ୟୁ ହୋଇଛି।    କନ୍ତର ପଞ୍ଚାୟତ ଜଳନ୍ଦା ଅଞ୍ଚଳର ଜାନକୀ ମଳିକ (୫୫)ଙ୍କର ମୃତ୍ୟୁ ହୋଇଛି। ସେହିପରି ବଡ଼ଚଣା ବ୍ଲକ୍‌ ସମିଆଁ ପଞ୍ଚାୟତ କଳକଳା ଗାଁର ମଦନମୋହନ ନାୟକ (୨୮) ଓ ଶାଳପଡ଼ା ପଞ୍ଚାୟତ ତିଳପଦା ଗାଁର ବିରଞ୍ଚି ମଲ୍ଲିକ(୨୬)ଙ୍କ ମୃତ୍ୟୁ ହୋଇଛି। ଗତକାଲି ଉଭୟଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବଡ଼ଚଣା ବ୍ଲକ୍‌ରୁ ୨୦ରୁ ଅଧିକ ଆକ୍ରାନ୍ତ ବଡ଼ଚଣା ଡାକ୍ତରଖାନାକୁ ଆସିଥିଲେ। ସେଠାରୁ କିଛି ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।