କୋରାପୁଟ: କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇ ଫସଲ ଉତ୍ପାଦନ ଓ ପ୍ରକ୍ରିୟାକରଣକୁ ସହଜ କରିବା ପାଇଁ ଇ-ଚାଷ ଆପ୍ ଓ ପୋର୍ଟାଲ ଆରମ୍ଭ କରାଯାଇଛି। ଏଥିରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ମନ୍ଥର ଗତିରେ ଏହା ଚାଳିଥିବା ବେଳେ ମାତ୍ର ୩୯ପ୍ରତିଶତ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେ ୫ଲକ୍ଷ ୩୭ହଜାର ୬୦୯ପ୍ଲଟ ରହିଥିବା ବେଳେ ୨ଲକ୍ଷ ୧୨ହଜାର ୫୮୭ ପ୍ଲଟ ୩୯ପ୍ରତିଶତ ସର୍ବେକ୍ଷଣ ସରିଛି। ଏହି ମାସର ୩୧ତାରିଖ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ।
ସୂଚନାଯୋଗ୍ୟ, ଇ-ଚାଷ ଆପ୍ ଓ ପୋର୍ଟାଲ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଯୁକ୍ତିଭିତ୍ତିକ କୃଷି ସେବାକୁ ତ୍ୱରାନ୍ୱିତ କରିବ। କୃଷକମାନଙ୍କୁ ଏକ ବିସ୍ତୃତ, ସିଙ୍ଗଲ ୱିଣ୍ଡୋ ପ୍ଳାଟଫର୍ମ ପ୍ରଦାନ କରିବ। ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ସମୃଦ୍ଧ କୃଷକ ନୀତିକୁ ପ୍ରୋତ୍ସାହନ ଯୋଗାଇବା ସହ ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ହେଉଥିବା ଫସଲର ମଧ୍ୟ ସଠିକ ତଥ୍ୟ ପ୍ରଦାନ କରିବ। ଯେଉଁ ତଥ୍ୟକୁ ଆଧାର କରି ପରବର୍ତ୍ତୀ ସମୟରେ କୃଷି କ୍ଷେତ୍ରରେ ସୁଦୃଢ ନୀତି ପ୍ରଣୟନ କରିବାରେ ଏହା ସହାୟକ ହେବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଏହା ଦ୍ୱାରା ଯେକୌଣସି ସମୟରେ ଓ ପାଣିପାଗରେ ମଧ୍ୟ ଫସଲ ସମ୍ବନ୍ଧୀୟ ତଥ୍ୟ ଓ ସୂଚନା ଯାଞ୍ଚ କରାଯାଇପାରିବ। ଚାଷୀଙ୍କ ନିକଟକୁ ସର୍ବେକ୍ଷଣକାରୀ ଦଳ ଯାଇ ତାଙ୍କ ନାଁ, ଜମିର ପ୍ଲଟ ନଂ, ପରିମାଣ, କେଉଁ ପସଲ କରୁଛନ୍ତି ଏବଂ ଆଧାରକାର୍ଡର ବିବରଣୀ ଦେବେ।
ଭାଗଚାଷୀମାନେ ନିଜ ଜମି ମାଲିକଙ୍କ ଠାରୁ ଅନୁମତିପତ୍ର ଆଣିଲେ ତାହା ବି ସର୍ବେକ୍ଷଣକାରୀ ଦଳ ମୋବାଇଲ ଆପରେ ସଂଗ୍ରହ କରି ପଂଜୀକରଣ କରିବେ। ଜିଲ୍ଲାର ସର୍ବାଧିକ ନାରାୟଣପାଟଣା ବ୍ଲକରେ ୧୧୦ ୩୮ପ୍ଲଟରୁ ୮୦୧୭ଟି ସରିଛି। ସେହିପରି ସର୍ବନିମ୍ନ ଦଶମନ୍ତପୁର ବ୍ଲକରେ ୪୪ ୪୭୩ଟି ପ୍ଲଟରୁ ୭୭୧୬ଟି ସରିଛି। ବନ୍ଧୁଗାଁ ୨୩୮୩୩ରୁ ୮୪୨୭, ବୈପାରୀଗୁଡା ୬୨୦୧୧ରୁ ୩୭୮୪୮, ବୋରିଗୁମ୍ମା ୫୭୨୪୮ରୁ ୧୮୫୧୧, ଜୟପୁର ୩୬୭୮୪ରୁ ୯୮୩୭, କୋରାପୁଟ ୨୭୭୪୩ରୁ ୧୨୨୧୬, କୋଟପାଡ ୬୦୮୦୨ରୁ ୨୨୨୭୧, କୁନ୍ଦୁରା ୩୮୯୬୭ରୁ ୧୧୫୨୪, ଲମତାପୁଟ ୩୯୪୮୦ରୁ ୧୭୮୧୦, ଲକ୍ଷ୍ମୀପୁର ୩୨୮୫୭ରୁ ୧୬୨୯୨, ନନ୍ଦପୁର ୪୫୧୬୩ରୁ ୧୫୩୦୧, ପଟ୍ଟାଙ୍ଗୀ ୨୪୨୧୧ରୁ ୧୧୧୪୨, ସେମିଳିଗୁଡା ୩୩୦୨୬ରୁ ୧୫୬୭୫ ସରିଥିବା ସୂଚନା ମିଳିଛି।
ଚାଷୀମାନେ ଡିଜିଟାଲ ଫସଲ ସର୍ବେକ୍ଷଣ ସମ୍ବନ୍ଧରେ ସଠିକ ତଥ୍ୟ ପାଇବା ନିମନ୍ତେ କୃଷକ ସମୃଦ୍ଧି ହେଲପ ଲାଇନ୍ (୧୫୫୩୩୩) ମାଧ୍ୟମରେ ସୂଚନା ଓ ପରାମର୍ଶ ପାଇପାରିବେ ବୋଲି ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।