ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ହେବ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଅଞ୍ଚଳବାସୀଙ୍କ ତରଫରୁ ବହୁ ଥର ଦାବି ହୋଇଆସୁଛି। ଲୋକଙ୍କ ଦାବିକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୨୩ ମସିହା ନଭେମ୍ବର ମାସରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ବିଶେଷଜ୍ଞ ଡାକ୍ତର ଡ.ପଙ୍କଜ କୁମାର ବିହାରୀଙ୍କୁ ନିଯୁକ୍ତି ଦେଇଥିଲେ। ସେହିଦିନ ହିଁ ଉକ୍ତ ଡାକ୍ତର ଘୁ.ଉଦୟଗିରି ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରେ ଯୋଗଦାନ କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନରେ ଚାଲିଯାଇଥିଲେ। ସେହି ଦିନଠାରୁ ସେ ଆଜି ପର୍ଯ୍ୟନ୍ତ ଫୁଲବାଣୀରେ କାମ କରୁଛନ୍ତି। କିନ୍ତୁ ଘୁ.ଉଦୟଗିରି ଗୋଷ୍ଠୀ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟରୁ ଦରମା ପାଉଛନ୍ତି।
ଚତୁରତାର ସହ ଉକ୍ତ ବିଶେଷଜ୍ଞ ଡାକ୍ତରଙ୍କୁ ଡେପୁଟେସନରେ ଫୁଲବାଣୀ ନିଆଗଲା। ହେଲେ ତାର ଟେର କେହି ପାଇପାରିଲେ ନାହିଁ। ଏହି ବିଷୟରେ କୌଣସି ଲୋକ ପ୍ରତିନିଧି କେମିତି ଜାଣି ପାରିଲେ ନାହିଁ? ନା ଜାଣିକି କୌଣସି ପଦକ୍ଷେପ ନେଇପାରିଲେନି ବୋଲି ପ୍ରଶ୍ନ ଉଠୁଛି। ଇତି ମଧ୍ୟରେ ୨୩ମାସ ବିତି ଗଲାଣି ବର୍ତ୍ତମାନ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବି ଏହିଭଳି ଡେପୁଟେସନ ବିଷୟରେ ଜାଣି ଚୁପ ହୋଇ ବସିବା କଣ ସୂଚନା ଦେଉଛି? ଏହାକୁ ନେଇ ସାଧାରଣରେ ଆଲୋଚନା ହେଉଥିବା ଶୁଣି ଘୁ.ଉଦୟଗିରି ଡେଭଲପମେଣ୍ଟ କମିଟି ସଦସ୍ୟ ସନ୍ତୋଷ କୁମାର ମୁନି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତିକୁ ନେଇ ଅଭିଯୋଗ କରିଛନ୍ତି।
ତାଙ୍କ କହିବାନୁସାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଏନଏସି ଏବଂ ବ୍ଲକ ଅଞ୍ଚଳର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଅଧିବାସୀ ନିର୍ଭର କରୁଛନ୍ତି। କିନ୍ତୁ ଏଠି ବିଶେଷଜ୍ଞ ଡାକ୍ତର ପଦବି ଥାଇ ମଧ୍ୟ କୌଣସି ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବା ଯୋଗୁଁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଦୀର୍ଘ ମାସ ହେବ ସ୍ଥାନୀୟ ଅଞ୍ଚଳ ପାଇଁ ସବୁଠାରୁ ଆବଶ୍ୟକ ବିଭାଗ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତରଙ୍କୁ କିପରି ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି।
ବିଶେଷଜ୍ଞ ଡାକ୍ତର ପଦବି ପୂରଣ ପାଇଁ ବିଭିନ୍ନ ସଂଗଠନ ଓ ସାଧାରଣ ଲୋକଙ୍କ ତରଫରୁ ଲିଖିତ ଦାବି କରାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପ୍ରକାଶ ପାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଜନସାଧାରଣଙ୍କ ମୌଳିକ ସମସ୍ୟା ବିଷୟରେ ଜାଣିଥିଲେ ମଧ୍ଯ ପ୍ରଶାସନର ଏଭଳି ମନମୁଖୀ କାର୍ଯ୍ଯ ନେଇ ଚୁପ ରହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଯଥା ଶୀଘ୍ର ଘୁ.ଉଦୟଗିରି ଗୋଷ୍ଠୀ ଜନସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇଥିବା ଫୁଲବାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତରଙ୍କୁ ପୁନଃ ଘୁ.ଉଦୟଗିରି ଡାକ୍ତରଖାନାକୁ ଫେରାଇ ଆଣିବା ସହ ଅନ୍ୟ ବିଶେଷଜ୍ଞ ଡାକ୍ତର ପଦବି ପୂରଣ କରାଯାଉ ନଚେତ ନିକଟ ଭବିଷ୍ୟତରେ ଘୁ.ଉଦୟଗିରି ଡେଭଲପମେଣ୍ଟ କମିଟି ଓ ସମସ୍ତ ଜନସାଧାରଣ ରାଜରାସ୍ତାରେ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି।
Health | Kandhamal