ନବରଙ୍ଗପୁର: ବିଗତ କିଛି ବର୍ଷ ମଧ୍ୟରେ ସହରରେ ଅନେକ ବିକାଶମୂଳକ ଯୋଜନା ହାତକୁ ନିଆଯାଇଛି। ହେଲେ ଉଦ୍‌ବେଗର ବିଷୟ ହୋଇଛି ଜନସଂଖ୍ୟା ଓ ସାହି, କଲୋନି ବଢିବା ତୁଳନାରେ ସହରରେ ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ଆଜି ବି ବ୍ୟବସ୍ଥିତ କରାଯାଇପାରିନି। ସେହି ୪୦ ବର୍ଷ ପୁରୁଣା ଢାଞ୍ଚାରେ ହିଁ ଜଳକୁ ବିଶୋଧନ କରି ଜଳଯୋଗାଣ ହେଉଛି। କିନ୍ତୁ ବର୍ତମାନ ସୁଦ୍ଧା ଏହାକୁ ଆଧୁନିକୀକରଣ ସହ ଭିତ୍ତିଭୂମିରେ ମଧ୍ୟ ବିକାଶ ଦିଗରେ ବିଭାଗ ଯେଭଳି ପଦକ୍ଷେପ ନେବା କଥା ତାହା ହୋଇ ପାରିନି। ସାହି ଓ ଜନସଂଖ୍ୟା ବଢି ଚାଲିଥିବା ବେଳେ ସେହି ଅନୁପାତରେ ଲୋକଙ୍କୁ ବିଶୁଦ୍ଧ ପାଣି ମିଳୁନି। ସାହିରେ ଭଙ୍ଗା ଷ୍ଟାଣ୍ଡ ପୋଷ୍ଟ ରହିଥିବା ବେଳେ ୯କିଲୋମିଟରର ପୁରୁଣା ପାଇପ୍ଲାଇନ୍ ପରିବର୍ତ୍ତନ ହୋଇପାରିନି। 

Advertisment

ସହରରେ ୨୦ହଜାରରୁ ଊର୍ଦ୍ଧ୍ବ ଘର ରହିଥିବା ବେଳେ ହାତଗଣତି ମାତ୍ର ୫୧୭୬ ଜଣଙ୍କ ଘରକୁ ପାଇପ୍‌ଲାଇନ୍‌ ସଂଯୋଗୀକରଣ ହୋଇଛି। ୧୩୩ଟି ଷ୍ଟାଣ୍ଡପୋଷ୍ଟ ଦ୍ବାରା ପାଣି ବିଭିନ୍ନ ସାହି ଗଳିକନ୍ଦିରେ ଯୋଗାଯାଉଛି। ଇନ୍ଦ୍ରାବତୀ ନଦୀ ନିକଟରେ ଗଭୀର ନଳକୂପରୁ ପାଣି ଉଠାଇ ଏହା ପାର୍ଶ୍ବରେ ବିଶୋଧନ କେନ୍ଦ୍ରରେ ବିଶୋଧିତ କରାଯାଉଛି।

 

ତେବେ ୪୦ବର୍ଷ ତଳର ବିଶୋଧନ ପ୍ରକ୍ରିୟାରେ ବିଶୋଧିତ କରି ପୁଣି ଲୁହା ପାଇପରେ ହିର୍ଲୀସ୍ଥିତ ୧୦ଲକ୍ଷ ଲିଟରର ପାଣି ଟ୍ୟାଙ୍କରେ ଜମା କରାଯାଉଛି। ସମଗ୍ର ସହରକୁ ୮ଟି ଜୋନରେ ବିଭକ୍ତ କରି ଦିନକୁ ଥରେ ଲେଖାଏଁ ପାଣି ଯୋଗା ଯାଉଥିବା ଜନସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ତେବେ ପାୱରକଟ୍ ହେଲେ ଜଳ ଯୋଗାଣ ଉକ୍ତ ଅଂଚଳରେ ବନ୍ଦ ରହୁଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ସ୍ଥିତିରେ ଲୋକଙ୍କୁ ଠିକ୍ ଭାବେ ଜଳଯୋଗାଣ ହୋଇପାରୁନି। ବିଭାଗୀୟ ଅଧିକାରୀ ଓକର୍ମଚାରୀ ମାନେ ଚୋରା ଲାଇନ ନେଇଥିବା ଲୋକଙ୍କୁ ନିୟମିତ ଗ୍ରାହକ କରିଛନ୍ତି।

ଘର ଅନୁଯାୟୀ କରି ନଥିବାରୁ ଏବେ ବି ବହୁ ଲୋକେ ଚୋରା ଲାଇନରେ ପାଣି ନେଇ ବିଭାଗ ଏବଂ ଅନ୍ୟ ଗ୍ରାହକଙ୍କୁ ସମସ୍ୟାରେ ପକାଉଛନ୍ତି। ଅପରପକ୍ଷରେ କିଛି ସ୍ଥାନରେ ପାଇପ୍ଲାଇନ୍ ମାଟି ଓ ନାଳରେ ପୋତି ହୋଇ ରହିଛି। ୯କିଲୋମିଟରେ ଦୀର୍ଘ ବହୁ ବର୍ଷର ଲୁହା କଳଙ୍କି ଖାଇଥିବା ପାଇପ୍ ଲାଇନ୍ ରହିଛି। ମାଟି ମଧ୍ୟରେ ଥିବା ପାଇପ୍ ଗୁଡିକ କିଭଳି ଅବସ୍ଥାରେ ରହିଥିବ ତାହା କହିବା ମୁସ୍କିଲ। ଏଭଳି ସ୍ଥିତିରେ ଲୋକଙ୍କୁ କିଭଳି ବିଶୁଦ୍ଧ ପାଣି ଯୋଗାଣ ହେଉଥିବ ତାହା ଏଥିରୁ ସ୍ପଷ୍ଟ। ୮୩କିଲୋମିଟର ନୂଆରେ ପାଇପ୍ ଲାଇନ୍ ପକାଯିବା ସହ ୫୧୭୬ଜଣଙ୍କର ନିୟମିତ କରାଯାଇଛି।

ଦିନକୁ ୮ଟି ଜୋନରେ ଥରେ ଲେଖାଏଁ ପାଣି ଯୋଗାଯାଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ବିଭାଗର ଏସଡିଓ। ସହରରେ ପୁରୁଣା ତିନି ଇଂଚର ପଡ଼ିଥିବା ପାଇପ ପ୍ରାୟ ୯କିଲୋମିଟର ବଦଳାଇବା ସହ ୨୪ଘଣ୍ଟିଆ ପାଣି ଯୋଗାଇବାର ଯୋଜନା ରହିଛି ବୋଲି କହିଛନ୍ତି ଏସଡିଓ। କେନ୍ଦ୍ର ଓ ରାଜ୍ୟ ସରକାର ସହରର ଜଳଯୋଗାଣ ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ରୁପେ ବ୍ୟବସ୍ଥିତ କରିବାକୁ ଆଖିବୁଜା ଅନୁଦାନ ଦେଉଥିବା ବେଳେ ତାହାର ସୁଫଳ ଲୋକେ କେବେ ପାଇବେ ତାହାକୁ ନେଇ ପ୍ରଶ୍ନ।