ରାଇରଙ୍ଗପୁର/ ଗୋରୁମହିଷାଣୀ: ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁର ଡିଭିଜନର ଡିଆରଏମ ତରୁଣ ହରିଆ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳଙ୍କ ସହିତ ସଡ଼କ ପଥରେ ବଡମଉଦା ଗ୍ରାମ ନିକଟରେ ଥିବା ରେଳ ଫାଟକର ଅନତି ଦୁରେରେ ନିର୍ମିତ ହୋଇଥିବା ରେଳ ବିଭାଗର ଗୋଳାପୋଲ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ।
ଉକ୍ତ ଗୋଳାପୋଲ ଦେଇ ରାଜ୍ୟ ସରକାରଙ୍କ ଲଷ୍ମୀବସ ତଥା ପିଡ଼ିଏସ ଚାଉଳ ଗାଡ଼ି ଇତ୍ୟାଦି ଭାରୀଯାନ ଯାତାୟାତ ସମ୍ଭବ ହୋଇ ନପାରିବା ପ୍ରତିବାଦରେ ହାତିଆ ପଂଚାୟତର ସମିତି ସଭ୍ୟ ସୁଗଦା ମାରାଣ୍ଡି ଓ ସରପଞ୍ଚ ଲାଲବହାଦୁର ସୋରେନଙ୍କ ସହିତ ଶତାଧିକ ପଂଚାୟତ ବାସୀଙ୍କ ସମ୍ବଳିତ ଅଭିଯୋଗ ପତ୍ର ସ୍ଥାନୀୟ ଲୋକସଭା ସଦସ୍ୟ ଡିଆରଏମ ତଥା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।
ଉପଜିଲ୍ଲାପାଳ ତୁରନ୍ତ କ୍ଷେତ୍ର ପରିଦର୍ଶନ କରିବା ସହିତ ସମସ୍ୟାର ସମାଧାନ ଉପରେ ଡିଆରଏମଙ୍କୁ ଅବଗତ କରାଇଥିଲେ। ୧୩ ଦିନ ପରେ ଚକ୍ରଧରପୁର ଡିଭିଜନର ଡିଆରଏମ ଶ୍ରୀ ହରିଆ କ୍ଷେତ୍ର ପରିଦର୍ଶନ ସହିତ ଉପସ୍ଥିତ ଜନପ୍ରତିନିଧି ଓ ସାଧାରଣ ଜନତା ଙ୍କ ସହିତ ସମସ୍ୟା ସମ୍ୱନ୍ଧରେ ଆଲୋଚନା କରିଥିଲେ। ଉକ୍ତ ଗୋଳାପୋଲରେ ଲଷ୍ମୀବସ ତଥା ଭାରୀଯାନ ଯାତାୟାତ ରେ କିଭଳି ଅସୁବିଧା ହେଉଛି ତାହାର ଡେମୋ ଦେଖାଇବା ସହିତ ବର୍ଷା ଦିନେ ୮ରୁ ୧୦ ଫୁଟ ନିଷ୍କାସନ ହେଇ ପାରିନଥିବା ତଥା ଉକ୍ତ ଗୋଳାପୋଲ ପ୍ରଭାବରେ ଚାଷ ଉପରେ ଗଭୀର ପ୍ରଭାବ ପକାଉଥିବାର ଗ୍ରାମବାସୀମାନେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।
ଡିଆରଏମ ସମସ୍ତ ଅଞ୍ଚଳ ବୁଲି ଗ୍ରାମବାସୀଙ୍କ ଅଭିଯୋଗର ଗମ୍ଭୀରତା ଉପଲବ୍ଧି କରିଥିବାର ପରିଲକ୍ଷିତ ହୁଏ। ତେବେ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ପୂର୍ବକ ଉକ୍ତ ଗଳା ପୋଲ ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ ହେଲା ପର୍ଯ୍ୟନ୍ତ ଲକ୍ଷ୍ମୀ ବସ ଓ ଭାରୀ ଯାନ ଗୁଡିକ ରେଳ ଫାଟକ ଦେଇ ଆସନ୍ତା କାଲି ଠାରୁ ଯାତାୟାତ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି, ଯାହାକି ଦୀର୍ଘ ୧୨ଦିନର ଦାବି ପୂରଣ ହୋଇ ଥିବାରୁ ଉଭୟ ପଂଚାୟତ ବାସୀ ଆଶ୍ବସ୍ତି ପ୍ରକାଶ କରିଛନ୍ତି।
ଡିଆରଏମଙ୍କ ସହିତ ଉକ୍ତ ଆଲୋଚନାରେ ହାତିଆ ପଂଚାୟତର ସମିତି ସଭ୍ୟ ଶ୍ରୀ ମାରାଣ୍ଡି, ସରପଞ୍ଚ ଶ୍ରୀ ସୋରେନ, ବରିଷ୍ଠ ଆଇନଜିବୀ କିଶୋର କୁମାର ମଣ୍ଡଳ, ସାଧୁଚରଣ ବେହେରା, ଦେବେନ ମୁଣ୍ଡା, ଗଣେଶ ଚନ୍ଦ୍ର ବାରିକ, ସୁଧନ୍ୟ ପରମାଣିକ, ସୁବ୍ରତ ସେଠିଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
Indian Railways | Mayurbhanj