ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଓଡ଼ିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା ହୋଇଛି। ରାଜଧାନୀ ଭୁବନେଶ୍ବର ଓ କଟକର ବିଭିନ୍ନ ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ପୁଲିସ ମୁତୟନ ହେବେ। ଖିଲାପକାରୀଙ୍କ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ପୁଲିସ ମୁତୟନ ହେବେ। ପୁଲିସ କମିସନର ଏସ୍ ଦେବଦତ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ପୁଲିସ କମିସନର କହିଛନ୍ତି, ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମନିଟର କରିବେ। ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ। କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ବିଭିନ୍ନ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ରେଳରୋକ ହିଂସାର ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର କହିଛନ୍ତି।
ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତି ଜୋର୍ ଧରିଥିବା ବେଳେ କଂଗ୍ରେସ ପକ୍ଷରୁ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍ସିପି, ଏସ୍ପି ଓ ଆର୍ଜେଡି ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ଯୋଗୁଁ ଗୁରୁବାର ବିଦ୍ୟାଳୟ, କଲେଜ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କଂଗ୍ରେସ ଭବନଠାରେ ଆୟୋଜିତ ବିଭିନ୍ନ ଦଳର ମିଳିତ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ଏ ସଂପର୍କରେ ଘୋଷଣା କରାଯାଇଛି।
Bhubaneswar