ବୈଶିଙ୍ଗା: ଲଘୁଚାପ ଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀରେ ବନ୍ୟାପାଣି ଆସିବାରୁ ଉଜୁଡ଼ି ଯାଇଛି ନଦୀକୁଳିଆ ଚାଷୀଙ୍କ ରୋଜଗାରା। ଏବେ ଛାଡ଼ିଗଲା ବନ୍ୟା ପାଣି। ହେଲେ ବଡୁଛି ଚାଷୀଙ୍କ ଦୁର୍ଦ୍ଦଶା। ପନିପରିବା କିଆରିରେ କୋଉଠି ଆଣ୍ଠୁଏ ପାଣି ତ ଆଉ କୋଉଠି ପରିବା ଗଛ ପଚି ଯାଇ ପୁରା ଜମି କାଦୁଅ ପଚପଚା ବନ୍ୟା ଯୋଗୁଁ ନଦୀ ପଠାରେ ଚାଷ କରିଥିବା ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଯୋଉଁଥିପାଇଁ ଶତାଧିକ ନଦୀକୁଳିଆ ପରିବା ଚାଷୀ ଏବେ ସମ୍ପୂର୍ଣ ହତାଶ ହୋଇପଡିଛନ୍ତି।

Advertisment

ବେତନଟୀ ବ୍ଲକ ଅଧୀନ ବୁଢ଼ାବଳଙ୍ଗ ନଦୀ କୂଳରେ ଥିବା ସିଙ୍ଗଳାମୁଣ୍ଡୁଳି, କାଠପାଳ, ବେଲାଣପୁରା, ନାଖରା, ମଧୁନଣ୍ଡା, ଡେଂଫଉଦା, ପାଟୁଳିପୁରା, ଦାରିହା ପ୍ରଭୁତି ଗ୍ରାମର ନଦୀ ପଠାରେ ଥିବା ହେକ୍ଟର ହେକ୍ଟର ପରିବା କ୍ଷେତ ବନ୍ୟାଜଳ ପାଇଁ ବ୍ୟାପକ କ୍ଷତିଗ୍ରସ୍ତ। ଆଉ ପାଣିରେ ବୁଡି ପଚିଯାଇଥବା ପରିବା କ୍ଷେତକୁ ଦେଖି ଚାଷୀ ହତାଶ ହୋଇପଡିଛି। ଉକ୍ତ ଅଞ୍ଚଳର ଏକର ଏକର ଜମିରେ ଭେଣ୍ଡି, କାକୁଡି, ପୋଟଳ, ଜହ୍ନି, ଛଚିନ୍ଦ୍ରା, ବାଇଗଣ ଆଦି ପନିପରିବାରେ ପୁରି ଉଠିଥିଲା ଖେତ।ତେବେ ସେହି ପନିପରିବା ଚାଷ ଜମିରେ ବନ୍ୟା ପାଣି ମାଡିଯାଇଥିଲା।

publive-image

ବୁଢ଼ାବଳଙ୍ଗ ନଦୀ କୂଳରେ ଥିବା ସିଙ୍ଗଳାମୁଣ୍ଡୁଳି, କାଠପାଳ, ବେଲାଣପୁରା, ନାଖରା, ମଧୁନଣ୍ଡା, ଡେଂଫଉଦା, ପାଟୁଳିପୁରା, ଦାରିହା ପ୍ରଭୁତି ଗ୍ରାମର ନଦୀ ପଠାରେ ଥିବା ହେକ୍ଟର ହେକ୍ଟର ପରିବା କ୍ଷେତ ବନ୍ୟାଜଳ ପାଇଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

ସେହିଭଳି ସହଳ କବି ଚାଷ ପାଇଁ ଚାରା ପ୍ରସ୍ତୁତ କରି ସାରିଥିବା ଚାଷୀ ଏବେ ପାଣି ଜମି ରହିଥିବା କାଦୁଆ ଜମିକୁ ଦେଖି ଚିନ୍ତାରେ ବସିଛନ୍ତି। କେବେ ପୁଣି ମାଟି ଶୁଖି ପାଗ ହେଲା ପରେ ଲାଗିବ କୋବିଚାରା। ତିନି ଚାରି ଦିନ ହେଲା ବନ୍ୟା ପାଣିରେ ପରିବା ବୁଡି ରହିଥ‌ିବାରୁ ଏବେ ପରିବା ଶଢିଯାଇଛି। ଧାର କରଜ କରି ପରିବା ଚାଷ କରିଥିବାରୁ କେମିତି ପରିଶୋଧ କରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି ଚାଷୀ। କେତେକ ଚାଷୀ ଥରେ ଥରେ ପରିବା ଆଣି ବଜାରରେ ବିକ୍ରି କରିଥିଲେ ଏବଂ ଆଉ କେତେକ ଫଳର ଅପେକ୍ଷାରେ ଥିଲେ। ମାତ୍ର ବନ୍ୟା ତାଙ୍କ ସ୍ବପ୍ନକୁ ଭାଙ୍ଗି ନଷ୍ଟ କରିଦେଲା।

ପ୍ରାପ୍ତ ସୂଚନା ଅନୁଯାଇ ଉକ୍ତ ଅଞ୍ଚଳର ନଦୀପଠା ଗାଁରେ ପ୍ରାୟତଃ ୪୦ ଏକର ଜମିରେ ବାଇଗଣ, ଭେଣ୍ଡି, ପୋଟଳ ଭଳି ପରିବା ଚାଷ କରିଥିଲେ ଚାଷୀ। ପରିବା ଅମଳ ସମୟରେ ହିଁ  ଆସିଲା ବନ୍ୟା। ଆଉ ଚାଷୀଙ୍କ ଆଖୁ ସାମ୍ନାରେ ଉଜୁଡିଗଲା ପରିବା ଫସଲ। ଅନୁରୂପ ଭାବେ ବୈଶିଙ୍ଗା ଥାନା ଅଧୀନ ମନୋଗୋବିନ୍ଦପୁର ଓ ଶାଳଗାଁ ପଞ୍ଚାୟତର ଏକାଧିକ ଗାଁର ଚାଷ ଜମି ଗଙ୍ଗାହାର ନଈର ବନ୍ୟା ଜଳରେ ୪ ଦିନ ପାଣି ଜମିଥିବାରୁ ସବୁ ପରିବା ନଷ୍ଟ ହୋଇଯାଇଛି। ଅନ୍ୟପଟେ ବିନା ରୋଜଗାରରେ କିଭଳି ଭରଣ ପୋଷଣ ହେବ ସେନେଇ ଚିନ୍ତାରେ ଚାଷୀକୂଳ। ତେବେ ଚାଷୀଙ୍କ ଦୁଃଖ ବୁଝିବ କିଏ? କେବଳ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ଚାଷୀ।