ପୁରୀ (ସତ୍ୟ ନାରାୟଣ ରାଉତରାୟ): ଶ୍ରୀମନ୍ଦିର ସଂଲଗ୍ନ ପେଜନଳା ନିକଟରେ ପୂଜା ପାଉଥିବା ମା’ କାକୁଡ଼ିଖାଇ ଶ୍ରୀମନ୍ଦିରରେ ବିରାଜମାନ କରିଥିବା ମା’ ବିମଳାଙ୍କ ପ୍ରତିନିଧି ରୂପେ ପୂଜା ପାଆନ୍ତି। ଯେଉଁ ଭକ୍ତମାନେ ମା’ ବିମଳାଙ୍କୁ ଷୋଳଦିନାତ୍ମକ ପୂଜାରେ ଦର୍ଶନ କରିପାରନ୍ତି ନାହିଁ, ସେମାନେ ମା କାକୁଡ଼ିଖାଇଙ୍କୁ ତ୍ରୟଦିନାତ୍ମକ ପୂଜାରେ ଦର୍ଶନ କରି ଆଶିଷ ଭିକ୍ଷା କରନ୍ତି।

Advertisment

ମା’ କାକୁଡ଼ିଖାଇ ଦାରୁ କୀଳାରେ ନିର୍ମିତ ହେବାର ବିଧି ପ୍ରଚଳିତ ହୋଇ ଆସୁଛି। କେଉଁ ଅନାଦି କାଳରୁ ରହିଥିବା ଦାରୁ କୀଳା ସବୁବେଳେ ଦେବୀଙ୍କ ପୀଠରେ ପୂଜା ପାଇଥାଏ। ଭାଦ୍ରବ ଷଷ୍ଠୀରେ କୀଳା ବାହାର କରି ପ୍ରତିଷ୍ଠା କରାଯିବା ପରେ ମୃଣ୍ମୟ ମୂର୍ତି ନିର୍ମାଣ ଆରମ୍ଭ ହୁଏ। ବିଲ୍ବବରଣ ଦିନ ଘାଟ ନିକଟରେ କାକୁଡ଼ି ବଳି ପଡ଼ିବା ପରେ ପାଣି ତୋଳାଯାଏ। ମା’ ଦଶଭୂଜା ହୋଇଥିବା ବ‌େଳେ ଖଡ୍‌ଗ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ଆଙ୍କୁଶ, ଧନୁ, ତୀର, ସର୍ପ ଓ ତ୍ରିଶୂଳ ଧାରଣ କରିଥାଆନ୍ତି।

ଦେବୀ ପୀଠର ପୂଜକ କାଳନ୍ଦୀ ଚରଣ ପଣ୍ଡାଙ୍କ କହିବା ମୁତାବକ, ସପ୍ତମୀରୁ ନବମୀ ପର୍ଯ୍ୟନ୍ତ ମା’ଙ୍କ ନିକଟରେ ୩ଟି ସଙ୍କୁଡ଼ି ଭୋଗ କରାଯାଏ। ଖେଚେଡ଼ି, ଘିଅଅନ୍ନ, କାନିକା, ମାଛ ମହୂର ପ୍ରସ୍ତୁତ କରି ଭୋଗ କରାଯାଏ। ତେବେ ମାଛର ମୁଣ୍ଡ ଓ ଲାଞ୍ଜ ପଡ଼େ ନାହିଁ। ମା’ ବଡ଼ ଭଉଣୀ ହୋଇଥିବାରୁ ଗୋସାଣୀ ଯାତରେ ସାମିଲ୍‌ ହୁଅନ୍ତି ନାହିଁ। ଦଶମୀରେ ବିସର୍ଜନ ହୁଅନ୍ତି।

ପୁରୀରେ ଏଥର ଆଡ଼ମ୍ବରପୂର୍ଣ୍ଣ ପୂଜା ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ସର୍ବତ୍ର ମହିଷାମର୍ଦ୍ଦିନୀ ଦୁର୍ଗା ଦେବୀ ରୂପେ ପୂଜା ପାଉଥିବା ବ‌େ‌ଳେ ଶ୍ରୀକ୍ଷେତ୍ରରେ ବୃହତାକାୟ ବିଗ୍ରହ ଗୋସାଣୀ ଭାବେ ପୂଜା ପାଇ ଆସୁଛନ୍ତି। ମା’କାକୁଡ଼ିଖାଇ, ଜହ୍ନିମୁଣ୍ଡିଆ ଜହ୍ନିଖାଇ, ବାଲିସାହି ଜହ୍ନିଖାଇ, ମା’ ଶୂନ୍ୟଗୋସାଣୀ, ବନଦୁର୍ଗା, ଶିତଳା, ପଣାପ୍ରିୟା, ହରଚଣ୍ଡୀ, ତ୍ରିପୂରା ସୁନ୍ଦରୀ, ଚକ୍ରକୂଟ, ଗେଲବାଈ, ହାଡ଼ବାଈ, ମହନ୍ତେଶ୍ବରୀ, ବେଲବାଈ, ଭୋଗଯାଗା, ଶଙ୍ଖେଶ୍ବରୀ ଦେବୀ ରୂପରେ ପୂଜା ପାଇବେ। ଶ୍ରୀକ୍ଷେତ୍ରରେ ୨୬ଟି ସ୍ଥାନରେ ଦେବୀଙ୍କୁ ପୂଜା କରାଯାଉଥିବା ବ‌େଳେ ବାଲିସାହି, ହରଚଣ୍ଡୀ ସାହି ସମେତ ବିଭିନ୍ନ ସ୍ଥାନରେ ନାଗା ପୂଜନର ବିଧି ପ୍ରଚଳିତ ହୋଇ ଆସୁଛି। 

Durga Puja | puri