ରାଉରକେଲା: ପୂର୍ବତଟ ରେଳବାଇ ଓ ସୁନ୍ଦରଗଡ଼ ଦଳ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ବରିଷ୍ଠ ପୁରୁଷ ରାଜ୍ୟ ହକି ପ୍ରତିଯୋଗିତାର ଫାଇନାଲ ପ୍ରବେଶ କରିଛନ୍ତି। ରବିବାର ଅପରାହ୍ନରେ ଖେଳାଯିବାକୁଥିବା ଫାଇନାଲ ମ୍ୟାଚ୍ରେ ଉଭୟ ଦଳ ମୁହାଁମୁହିଁ ହେବେ।
ପୂର୍ବତଟ ରେଳବାଇ ଓ ଦେବଗଡ଼ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ କ୍ବାର୍ଟରରେ ଉଭୟ ଦଳର କଡ଼ା ପ୍ରତିଦ୍ବନ୍ଦ୍ବିତା ହୋଇଥିଲେ ମଧ୍ୟ ଗୋଲ୍ଶୂନ୍ୟ ରହିଥିଲା। ତେବେ ଦ୍ବିତୀୟ କ୍ବାର୍ଟରରେ ଦେବଗଡ଼ ମ୍ୟାଚ୍ର ପ୍ରଥମ ଗୋଲ୍ସ୍କୋର୍ କରିଥିଲା। ୨୭ତମ ମିନିଟ୍ରେ ସୁନୀଲ ଯୋଯୋ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ତୃତୀୟ କ୍ବାର୍ଟରରେ ଗୋଲ୍ ପରିଶୋଧ କରିବାକୁ ପୂର୍ବତଟ ରେଳବାଇ ଏକାଧିକ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଚତୁର୍ଥ କ୍ବାର୍ଟର୍ରେ କିନ୍ତୁ ଦଳ ପ୍ରତ୍ୟାବର୍ତ୍ତନ କରିଥିଲା। ୪୭ତମ ମିନିଟ୍ରେ ଦଳର ଗ୍ରେଗୋରୀ ଖେସ୍ ଫିଲ୍ଡ ଗୋଲ ଦେଇ ସ୍କୋର ୧-୧ରେ ବରାବର କରିଥିଲେ। ମ୍ୟାଚ୍ ଶେଷସୁଦ୍ଧା ଆଉ କେହିକାହାରିକୁ ଗୋଲ୍ ଦେଇନପାରିବାରୁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରୁ କିନ୍ତୁ ପୂର୍ବତଟ ରେଳବାଇ ୪-୩ ଗୋଲ୍ରେ ବାଜିମାରିନେଇଥିଲା।
ସେହଭଳି ସୁନ୍ଦରଗଡ଼ ଓ ଗାଙ୍ଗପୁର ହକି ଆସୋସିଏସନ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ମ୍ୟାଚ୍ର ୧୦ମ ମିନିଟ୍ରେ ଗାଙ୍ଗପୁରର କେରୋବିନ ଲାକ୍ରା ପ୍ରଥମ ଗୋଲ୍ ଦେଇଥିଲେ। ସୁନ୍ଦରଗଡ଼ ୨୦ତମ ମିନିଟ୍ରେ ଗୋଲ୍ ପରିଶୋଧକରି ସ୍କୋର୍ ୧-୧ରେ ବରାବର କରିଥିଲା। ଦଳ ପକ୍ଷରୁ ଅଜୟ ଏକ୍କା ଗୋଲ୍ ଦେଇଥିଲେ।
ଏହାପରେ ସୁନ୍ଦରଗଡ଼ ଖେଳାଳି ଆକ୍ରମଣକୁ ବ୍ୟାପକ କରିଥିଲେ। ୪୬ତମ ମିନିଟ୍ରେ ଦଳର ପ୍ରସାଦ କୁଜୁର ଏକ ଗୋଲ୍ଦେଇ ସ୍କୋର୍କୁ ୨-୧ରେ ପହଞ୍ଚାଇଥିଲେ। ଏହାପରେ ଗୋଲ୍ ସୁଝାଇବାକୁ ଗାଙ୍ଗପୁର ଖେଳାଳି ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ଫଳରେ ମ୍ୟାଚ୍କୁ ୨-୧ ରେ ଜିତିନେଇ ସୁନ୍ଦରଗଡ଼ ଦ୍ବିତୀୟ ଦଳଭାବେ ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା।