ରାଉରକେଲା: ଚତୁର୍ଥ ରାଜ୍ୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତାକୁ ପୂର୍ବତଟ ରେଳବାଇ ଜିତି ନେଇଛି। ପ୍ରତିପକ୍ଷ ସୁନ୍ଦରଗଡ଼ ହକି ସଂଘକୁ ୪-୨ ଗୋଲ୍ରେ ପରାସ୍ତକରି ଚାମ୍ପିଅନ ତାଲିକାରେ ନାଁ ଲିପିବଦ୍ଧ କରିଛି। ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଅନ୍ତର୍ଜାତୀୟ ହକି ତାରକା ଅମିତ ରୋହିଦାସଙ୍କ ଜଲୱା ଦେଖିବାକୁ ମିଳିଥିଲା। ଅମିତଙ୍କ ହ୍ୟାଟ୍ରିକ୍ ଗୋଲ୍ ଦଳକୁ ବିଜେତା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା।
ମ୍ୟାଚ୍ର ପ୍ରଥମ କ୍ବାର୍ଟର୍ରୁ ପୂର୍ବତଟ ରେଳବାଇ ଖେଳାଳି ଆକ୍ରମଣ କରିଥିଲେ। ୧୦ମ ମିନିଟ୍ରେ ଅମିତ ପ୍ରଥମ ଗୋଲ୍ ଦେଇ ଦଳକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ। ତେବେ ୧୯ତମ ମିନିଟ୍ରେ ସୁନ୍ଦରଗଡ଼ର ଅଧିନାୟକ ଅମନଦୀପ ଲାକ୍ରା ଗୋଲ୍ ପରିଶୋଧ କରିଥିଲେ। ପରେ ଅମିତ ଦୁଇଟି ଲାଗ୍ଲାଗ୍ ଗୋଲ୍ (୨୦ ଓ ୨୬) ଦେଇ ସ୍କୋର୍କୁ ୩-୧ ଗୋଲ୍କୁ ନେଇଥିଲେ। ୪୧ ତମ ମିନିଟ୍ରେ ଦଳର ରାଜୀନ କାଣ୍ଡୁଲାନା ଆଉ ଏକ ଗୋଲ୍ ଦେଇ ବ୍ୟବଧାନକୁ ୪-୧ ଗୋଲ୍କୁ ବୃଦ୍ଧି କରିଥିଲେ।
ଜବାବରେ ସୁନ୍ଦରଗଡ଼ର ଅଜୟ କୁମାର ଏକ୍କା ଗୋଟିଏ ଗୋଲ୍ (୪୪) ଦେଇଥିଲେ, ଯାହାକି ବ୍ୟବଧାନକୁ ହ୍ରାସ କରିଥିଲା। ଶେଷ କ୍ବାର୍ଟରରେ ଉଭୟ ଦଳ ଗୋଲ୍ ଦେବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ନ ହେବାରୁ ପୂର୍ବତଟ ରେଳବାଇ ୪-୨ ଗୋଲ୍ରେ ଫାଇନାଲକୁ ଜିତିନେଇଛି। ରିକେଶ ମିଞ୍ଜ, ସୂରଜ ସାହୁ ମ୍ୟାଚ୍ ପରିଚାଳନା କରିଥିବାବେଳେ ସତ୍ୟବ୍ରତ ପ୍ରଧାନ, ସୂରଜ ତନ୍ତି, ହୃଷୀକେଷ ଦାସ, ଜଗଦୀଶ ସାହୁ ସହଯୋଗ କରିଥିଲେ।
ଅମିତ ରୋହିଦାସ ଫାଇନାଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଅମିତ କୁମାର ଟପ୍ପୋ(ସୁନ୍ଦରଗଡ଼), ଶ୍ରେଷ୍ଠ ଗୋଲ୍କିପର ରୀୟାଦାନ ଟିଡୁ (ଦେବଗଡ଼), ଶ୍ରେଷ୍ଠ ଡିଫେଣ୍ଡର କେରୋବିନ ଲାକ୍ରା (ଗାଙ୍ଗପୁର ହକି ଆସୋସିଏସନ୍), ଶ୍ରେଷ୍ଠ ମିଡ୍ଫିଲଡର୍ ଆଶିଷ ଟପ୍ନୋ (ଦେବଗଡ଼), ଶ୍ରେଷ୍ଠ ଫର୍ୱାର୍ଡ୍ (ମାଥିଆସ୍ ଡାଙ୍ଗ୍) ଓ ଶ୍ରେଷ୍ଠ କୋଚ୍ ଈଶ୍ବରଦତ୍ତ କିରୋ (ଗାଙ୍ଗପୁର ହକି ଆସୋସିଏସନ୍) ପୁରସ୍କାର ପାଇଛନ୍ତି। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତି, ହକି ଅଲିମ୍ପିଆନ ଲାଜରୁସ ବାର୍ଲା ପ୍ରମୁଖ ଯୋଗଦେଇଥିଲେ।
Rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/11/hockey-2025-09-11-22-46-50.jpg)