ଭୁବନେଶ୍ବର: ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥା ! ନାହିଁ ନାହିଁ ଭିତରେ ପିଲାଙ୍କ ଭବିଷ୍ୟତ । କେଉଁଠି ଶିକ୍ଷକ ନାହାନ୍ତି ପୁଣି କେଉଁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକଙ୍କ ଅଭାବ । ଆଉ ପୁଣି କେଉଁଠି ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଦିଆଗଲାଣି ନିର୍ଯାତନା । ଜାଲ୍ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ବହିଷ୍କାର କରାଯାଇଥିବା ବେଳେ ବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ଯାଏଁ ଶିକ୍ଷା ବ୍ୟବସ୍ଥାର ବିକଳ ରୂପ ସାମ୍ନାକୁ ଆସିଛି । ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ଏଭଳି ଉଦବେଗଜନକ ତଥ୍ୟ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ଥିବା ସ୍ପଷ୍ଟ ସୂଚନା ଦେଇଛି । 

Advertisment

ତେବେ ୯ଟି ଜିଲ୍ଲାରେ ଛାତ୍ରୀ ନିର୍ଯାତନାର ୩୨ଟି ମାମଲା ରୁଜୁ ହୋଇଛି । ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ମାମଲା ବଢିଛି । ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ବଢିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା । ସେହିପରି ଜାଲ ସାଟିଫିକେଟରେ ଚାକିରୀ କରି ନିଲମ୍ବନ ହୋଇଛନ୍ତି ଶିକ୍ଷକ । ୪୨୪ ଜଣ ଶିକ୍ଷକ ଙ୍କ ଚାକିରୀରୁ ବହିସ୍କୃତ କରିଛି ଗଣ ଶିକ୍ଷା ବିଭାଗ ।

ସେପଟେ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଧ୍ୟାପକ ମରୁଡ଼ି । ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଛି ଅଧ୍ୟାପକ ପଦ । ବିଧାନସଭାରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଶ୍ୱବିଦ୍ୟାଳୟରେ ୧୪୦୪ ଅଧ୍ୟାପକ ପଦ ଖାଲିପଡ଼ିଛି । ତା ଭିତରୁ ୨୬୦ ପ୍ରାଧ୍ୟାପକ ପଦ ଖାଲି ପଡ଼ିଥିବାବେଳେ, ୪୫୩ ଆସୋସିଏସ୍ ପ୍ରାଧ୍ୟାପକ, ୬୬୯ ସହକାରୀ ପ୍ରାଧ୍ୟାପକ ପଦ ଖାଲିପଡ଼ିଛି । ତେବେ ବିଶ୍ୱବିଦ୍ୟାଳୟ ଦୃଷ୍ଟିରୁ ଦେଖିଲେ ସବୁଠୁ ଅଧିକ ଅଧ୍ୟାପକ ମରୁଡି ଦେଖିବାକୁ ମିଳିଛି ରେଭେନ୍ସା ବିଶ୍ୱବିଦ୍ୟାଳୟରେ । ଏହାପଛକୁ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ସେହିପରି ୧୭ ବିଶ୍ୱବିଦ୍ୟାଳୟରେ ୨୨୮୬ ଅଣଶିକ୍ଷକ ପଦ ଖାଲି ପଡ଼ିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ ।

New Project (18)

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଗୃହରେ ପ୍ରଶ୍ନ କରିଥିଲେ । ରାଜ୍ୟରେ କେଉଁ ବର୍ଗର କେତେ ସଂଖ୍ୟକ ମଞ୍ଜୁରିପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ରହିଛି ଏବଂ ଏଥିରେ କେତେ ପଦବୀ ଖାଲି ପଡ଼ିଛି ତାର ରିପୋର୍ଟ ଦେବାକୁ ବିଧାୟକ ପ୍ରଶ୍ନ କରିଥିଲେ । ଆଉ ଏହି ପ୍ରଶ୍ନର ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଯେଉଁଥିରୁ କି ଏହି ତଥ୍ୟ ସାମ୍ନାକୁ ଆସିଛି । ମନ୍ତ୍ରୀଙ୍କ କହିବା ମୁତାବକ, ରାଜ୍ୟରେ ୮୨ଟି ସରକାରୀ ମହାବିଦ୍ୟାଳୟ ରହିଛି । ସେ ଭିତରୁ ୬୬ଟି ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଏବଂ ୧୬ଟି ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ । ତେବେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ୪୯୧ଟି ଏବଂ ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୧୬୩ଟି ଅଧ୍ୟାପକ ପଦବୀ ଖାଲି ରହିଛି । ଏହାସହ ରାଜ୍ୟର ସମସ୍ତ ସରକାରୀ ମହାବିଦ୍ୟାଳୟରେ ମଞ୍ଜୁର ପ୍ରାପ୍ତ ୧୭୫୧ଟି ଅଣଶିକ୍ଷକ ପଦବୀ ଅଛି । ଯାହା ଭିତରୁ ୬୮୮ ଜଣ କାର୍ଯ୍ଯରତ ଅଛନ୍ତି ଏବଂ ୧୦୨୭ ଟି ପଦବୀ ଖାଲି ପଡ଼ିଛି ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ବ୍ଲକରେ ଖାଲି ପଡ଼ିଛି ପ୍ରାୟ ୧୦୫ ବ୍ଲକ୍‌ ଶିକ୍ଷା ଅଧିକାରୀ ପଦବୀ । କେବଳ ସେତିକି ନୁହେଁ; ବ୍ଲକ୍‌ ଶିକ୍ଷା ଅଧିକାରୀ ବ୍ୟତୀତ ରାଜ୍ୟରେ ୧୮୦୪ଟି ପ୍ରାଥମିକ, ୩୮୬୫ ୟୁପି ସ୍କୁଲ୍‌ ଏବଂ ୧୭୭୨ଟି ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ତୁଳନାରେ ଗୃହ ଭିତ୍ତିଭୂମିର ଆବଶ୍ୟକତା ରହିଛି। ୧୦୫ ଶିକ୍ଷା ଅଧିକାରୀ ପଦବୀ ମଧ୍ୟରେ ଅନୁଗୁଳ ଜିଲ୍ଲାର ୪ ବ୍ଲକ, ବାଲେଶ୍ୱରର ୬ ବ୍ଲକ, ବରଗଡ଼ର ଗୋଟିଏ, ଭଦ୍ରକର ୪ଟି,ବଲାଙ୍ଗୀରର ୩ଟି ,କଟକର ୨ଟି,ଦେବଗଡ଼ର ଗୋଟିଏ, ଢେଙ୍କାନାଳର ୩ଟି, ଗଜପତିର ଗୋଟିଏ, ଗଞ୍ଜାମ ୭ଟି, ଜଗତସିଂହପୁର ୬ଟି, ଯାଜପୁର ୪ଟି,କଳାହାଣ୍ଡିର ୨ଟି, କନ୍ଧମାଳର ୫ଟି କେନ୍ଦ୍ରାପଡ଼ାର ୪ଟି, କେନ୍ଦୁଝର ୩ଟି,ଖୋର୍ଦ୍ଧାର ୫ଟି ,କୋରାପୁଟର ୭ଟି, ମାଲକାନଗିରିର ଗୋଟିଏ, ମୟୂରଭଞ୍ଜର ୯ଟି, ନବରଙ୍ଗପୁରର ୩ଟି, ନୟାଗଡ଼ର  ୩ଟି, ପୁରୀର ୪ଟି, ରାୟଗଡାର ୭ଟି, ସମ୍ବଲପୁରର ୫ଟି, ସୁବର୍ଣ୍ଣପୁରର ୩ଟି ଏବଂ ସୁନ୍ଦରଗଡ଼ର ୨ଟି ବ୍ଲକରେ ଖାଲି ପଡ଼ିଛି ।