ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି। ଛାତ୍ର କଂଗ୍ରେସ ଆଜି ସନ୍ଧ୍ୟାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରିଛି। 
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଉତ୍ତେଜିତ ହୋଇଛି। ଛାତ୍ର କଂଗ୍ରେସର ସଦସ୍ୟମାନେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଛନ୍ତି। ଏଥି ସହିତ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। କଂଗ୍ରେସ ଘଟଣାର ନ୍ୟାୟିକ ତଦନ୍ତ ଦାବି ସହିତ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। 

Advertisment

ଭୁବନେଶ୍ବରରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ଼ କରିଥିବା ବେଳେ ମୃତ ସୌମ୍ୟାଶ୍ରୀଙ୍କ ଗାଁରେ ପହଞ୍ଚି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏକ ଟିମ୍‌ ସହିତ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପଳାସିଆକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି। ଏହି ଦଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ସାମିଲ ଥିଲେ। କଂଗ୍ରେସ ନେତାମାନେ ସୌମ୍ୟାଶ୍ରୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ।

Gv5vrNmXMAA_zbK

ସୂଚନାଯୋଗ୍ୟ, କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। 

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ପଳାସିଆ ମଶାଣିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୀଡିତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପୂର୍ବରୁ ପରିବାରରେ କାନ୍ଦବୋବାଳି ଦେଖାଯାଇଥିଲା। ପୀଡିତାଙ୍କ ଗାଁ ସ୍ତବ୍ଧ ହୋଇପଡ଼ିଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅଶ୍ରୁଳ ଲୁହରେ ସୌମ୍ୟାଶ୍ରୀଙ୍କୁ ବିଦାୟ ଦିଆଯାଇଥିଲା। ଏହି ଘଟଣା ନେଇ ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। 

Soumayashree Bisi | Balasore