ରାଉରକେଲା: ପ୍ରତିବର୍ଷ ବର୍ଷା ଯୋଗୁଁ ଘର ଭାଙ୍ଗିବାରୁ ଲୋକେ ବାସହୀନ ହେଉଛନ୍ତି। କାହାର ଘର ଆଂଶିକ ପ୍ରଭାବିତ ହେଉଥିବାବେଳେ କାହାର ଘର ସଂପୂର୍ଣ୍ଣ ଭୁଶୁଡ଼ିଯାଉଛି। ତେବେ କ୍ଷତିପୂରଣ ଯେଉଁ ଅନୁପାତରେ ମିଳିବା କଥା, ତାହା ମିଳୁନଥିବା ଅଭିଯୋଗ ହେଉଛି। ସରକାରୀ ନିୟମାନୁସାରେ, ମାଟିଘର ଆଂଶିକ ଭାଙ୍ଗିଲେ ୪ ହଜାର ଟଙ୍କା ଓ ପକ୍କାଘର ଭାଙ୍ଗିଲେ ୬୫୦୦ ଟଙ୍କା କ୍ଷତିପୂରଣ ଦିଆଯାଇଥାଏ।

Advertisment

ତେବେ ଘର ଯଦି ସଂପୂର୍ଣ୍ଣ ଭାଙ୍ଗିଥାଏ, ତା’ହେଲେ ୧ ଲକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଏ। ବର୍ଷା ଗତବର୍ଷ ଜିଲ୍ଲାରେ ମୋଟ୍‌ ୨୪୦ଟି ଘର ଭାଙ୍ଗିଥିଲା। ଏବର୍ଷ ଜିଲ୍ଲାରେ ପ୍ରାୟ ଶହେରୁ ଅଧିକ ଘର ଭାଙ୍ଗିଥିବା ଜଣାପଡ଼ିଛି। ଘର ଭାଙ୍ଗିଥିବା ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି। କେବେ କ୍ଷତିପୂରଣ ମିଳିବ ଓ କେବେ ଘର ସଜାଡ଼ିବେ ସେହି ଚିନ୍ତାରେ ହିତାଧିକାରୀ।

ଚଳିତ ବର୍ଷ ୫ଟି ବ୍ଲକ, ଯଥା-ଟାଙ୍ଗରପାଲୀ, ସୁନ୍ଦରଗଡ଼ ସଦର, କୁତ୍ରା, ରାଜଗାଙ୍ଗପୁର ଓ ଲାଠିକଟା ବ୍ଲକରେ ଅଧିକସଂଖ୍ୟକ ଘର ଭାଙ୍ଗିଥିବା ଜଣାପଡ଼ିଛି। ପୂର୍ବବର୍ଷଭଳି ଏଥର ମଧ୍ୟ ଜୁନ ଓ ଜୁଲାଇରେ ବର୍ଷା ଆଶାନୁରୂପ ହୋଇନଥିଲା। ତେବେ ଅଗଷ୍ଟ ମାସରେ ଅଧିକ ବର୍ଷା ହୋଇଥିଲା। ଏଡି ଅଗଷ୍ଟ ମାସର ବର୍ଷା ହିଁ ଅଧିକ କ୍ଷୟକ୍ଷତି ଆଣିଥିଲା। ଅଗଷ୍ଟ ମାସରେ ଟାଙ୍ଗରପାଲୀ ବ୍ଲକରେ ୫୨୫ ମିଲିମିଟର ବର୍ଷା ହୋଇଥିବାବେଳେ ସୁନ୍ଦରଗଡ଼ ସଦର ବ୍ଲକରେ ୫୭୦ ମିଲିମିଟର, କୁତ୍ରାରେ ୪୫୦ ମିଲିମିଟର, ରାଜଗାଙ୍ଗପୁରରେ ୫୧୫ ମିଲିମିଟର ଓ ଲାଠିକଟା ବ୍ଲକରେ ୪୯୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଉକ୍ତ ମାସରେ ଅନେକଗୁଡ଼ିଏ ବ୍ଲକରେ ଢ଼େର୍‌ ଅଧିକ ବର୍ଷା ହୋଇଥିଲେ ମଧ୍ୟ କୌଣସି ଘର ଭାଙ୍ଗିନଥିବା ଜଣାପଡ଼ିଛି। ଗତ ଅଗଷ୍ଟ ମାସରେ ବାଲିଶଙ୍କରା ବ୍ଲକରେ ୫୦୪ ମିଲିମିଟର ବର୍ଷା ହୋଇଥିବାବେଳେ ବଡ଼ଗାଁରେ ୪୯୬ ମିଲିମିଟର, ବିଶ୍ରାରେ ୪୩୩ ମିଲିମିଟର, ବଣାଇଁରେ ୫୨୩ ମିଲିମିଟର, ଗୁରୁଣ୍ଡିଆରେ ୫୩୬ ମିଲିମିଟର, ହେମଗିରରେ ୪୫୨ ମିଲିମିଟର, କୋଇଡ଼ାରେ ୩୬୦ ମିଲିମିଟର, କୁଆରମୁଣ୍ଡା ୪୫୬ ମିଲିମିଟର, ଲହୁଣୀପଡ଼ା ୫୪୬ ମିଲିମିଟର, ଲେଫ୍ରିପଡ଼ା ୩୩୮ ମିଲିମିଟର, ନୂଆଗାଁ ୪୯୦ ମିଲିମିଟର, ରାଉରକେଲା ୨୪୯ ମିଲିମିଟର, ସବଡେଗା ୫୧୭ ମିଲିମିଟର ବର୍ଷା ହୋଇଥିଲା। ଅଗଷ୍ଟ ମାସରେ ଜିଲ୍ଲାରେ ମୋଟ୍‌ ୮୪୫୫ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲ୍ଲାର ହାରାହାରି ବର୍ଷା ୪୭୦.୧୩ ମିଲିମିଟର ରହିଥିଲା।