ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଝାଡଖଣ୍ଡୀ ଦନ୍ତା ତାଣ୍ଡବ ରଚୁଛିl ବେତନଟୀ ରେଞ୍ଜ ଅଧୀନ କ୍ଷୀରପଦା ଜଙ୍ଗଲରେ ଦୀର୍ଘଦିନ ଧରି ୩ ଦନ୍ତା ହାତୀ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ କରୁଥିବାବେଳେ ସେଥିରୁ ଗୋଟିଏ ଶୁକ୍ରବାର ଅପରାହ୍ନରେ ମାନଗୋବିନ୍ଦପୁର ଗ୍ରାମରେ ପଶି ଉତ୍ପାତ କରିବା ସହିତ ଏକାଧିକ ଘର ଭାଙ୍ଗିଥିଲା। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲାl ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ସେ ହେଲେ କୁନା ସିଂ (୪୦) ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ସେମାନେ ହେଲେ ମାନଗୋବିନ୍ଦପୁର ଗ୍ରାମର ପ୍ରତାପ ମହାପାତ୍ର (୮୫), ଲଷ୍ମୀମଣି ପରିଡା (୬୨) ଓ ମନୋରଞ୍ଜନ ପରିଡା (୪୫)।
ସୂଚନା ଅନୁଯାଇ ଦୀର୍ଘ ଦୁଇ ସପ୍ତାହ ପାଖାପାଖି ବୈଶିଙ୍ଗା ଥାନା ଅଧୀନ କ୍ଷୀରିପଦା ଜଙ୍ଗଲରେ ଡେରା ପକାଇ ରହିଥିବା ତିନିଟିକିଆ ବଣୁଆହାତୀ ଆଗକୁ ଅଗ୍ରସର ହେଉନଥିବା ବେଳେ ରାତି ହେଲେ ବୁଢାବଳଙ୍ଗ ନଦୀ ଅବବାହିକାରେ ହୋଇଥିବା ଏକର ଏକର ଜମିର ପରିବାବାଡ଼ିରେ ପଶି ଖାଇବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଲିଛନ୍ତିl ତିନିଟିକିଆ ହାତୀମଧ୍ୟରୁ ଗୋଟିଏ ହାତୀ ଶୁକ୍ରବାର ଅପରାହ୍ନରେ ବୁଢ଼ାବଳଙ୍ଗ ନଦୀ ଅତିକ୍ରମ କରି ଜନବସତି ମୁହାଁ ହୋଇଥିଲାl ପରେ ମାନଗୋବିନ୍ଦପୁର ଗ୍ରାମରେ ପଶି ଉତ୍ପାତ ଆରମ୍ଭ କରିଥିଲାl
ଉକ୍ତ ଗ୍ରାମର ମନୋରଞ୍ଜନ ପରିଡା, ନିତ୍ୟାନନ୍ଦ ପ୍ରଧାନ, ଅଶୋକ ମହାପାତ୍ରଙ୍କ ଘର ଓ ଫାଟକ ଭାଙ୍ଗିଥିବାବେଳେ ଗ୍ରାମ ଶିବ ମନ୍ଦିର ଫାଟକ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟତ ହେଉଥିବାବେଳେ ସ୍ଥାନୀୟ ଲୋକଙ୍କ ହୋ ହାଲା ପାଇଁ ବାହାରକୁ ବାହାରି ଆସିଥିଲାl ପରେ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିବା କୁନା ସିଂଙ୍କୁ ରାସ୍ତାରେ ଆକ୍ରମଣ କରିଥିଲାl
ସେହିପରି ଲଷ୍ମୀମଣି ଗାଧୋଇବାକୁ ନିଜ ଘର ବାରଣ୍ଡାକୁ ବାହାରିଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ, ଅନ୍ୟପଟେ ସେଠି ଥିବା ମନୋରଞ୍ଜନକୁ ମଧ୍ୟ ହାତୀ ଆକ୍ରମଣ କରିଥିଲାl ପରେ ଗାଁ ଦାଣ୍ଡରେ ବୁଲି ପ୍ରତାପ ମହାପାତ୍ରଙ୍କ ଘରବାଡ଼ି ପଟୁ ପ୍ରବେଶ କରି ବାରଣ୍ଡାରେ ବସିଥିବା ୮୫ ବର୍ଷୀୟ ବୃଦ୍ଧଙ୍କୁ ଆକ୍ରମଣ କରିଥିଲାl ସମସ୍ତଙ୍କୁ ସ୍ଥାନୀୟ ଲୋକ ବନବିଭାଗ ଗାଡ଼ିରେ ନେଇ ମାଣତ୍ରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇ ଥିଲେl ଦୀର୍ଘ ସମୟ ଧରି ଉତ୍ପାତ କରିବା ପରେ ହାତୀଟି ପୁଣି କ୍ଷୀରପଦା ମୁହାଁ ହୋଇଥିବାର ବନବିଭାଗ ସୂଚନା ଦେଇଛନ୍ତିl ବନବିଭାଗ ପକ୍ଷରୁ ଟିମ ବଣୁଆ ହାତୀଗୁଡିକର ଗତିବିଧି ଅନୁଧ୍ୟାନ କରୁଥିବାବେଳେ ଖବର ପାଇ ଘଟଣାସ୍ଥଳରେ ମାଣତ୍ରୀ ଫାଣ୍ଡି ଅଧିକାରୀ ଲମ୍ବୋଦର ବାରିକ ଓ ବୈଶିଙ୍ଗା ଥାନା ଏଏସଆଇ ଭାବଗ୍ରାହୀ ମହାନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତିl
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/03/28/Vhe9JPGHSncoSVMnTume.jpg)