କୋରାପୁଟ: କୋରାପୁଟ ଜିଲ୍ଲାରେ ଥିବା କୋରାପୁଟ ଆରଏମସି ( ନିୟନ୍ତ୍ରିତ ବଜାର କମିଟି)  ଓ ଜୟପୁର ଆରଏମସି ( ନିୟନ୍ତ୍ରିତ ବଜାର କମିଟି) ପରିଚାଳନା କମିଟି ସଭ୍ୟଙ୍କ ନିର୍ବାଚନ କାର୍ଯ୍ୟକାଳ ସରିବାର ୧୦ବର୍ଷ ପରେ ବି ହୋଇନି ନିର୍ବାଚନ। କୋରାପୁଟରେ ୧୭ଜଣ ଓ ଜୟପୁରରେ ୧୩ଜଣ ସଭ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ମଧ୍ୟ  ଏବେ ଏମାନଙ୍କ ହାତରେ ହିଁ ରହିଛି  ଆରଏମସି ପରିଚାଳନା ଭାର। ଓଡିଶା ଏଗ୍ରିକଲଚର୍ ମାର୍କେଟିଂ ପ୍ରଡ୍ୟୁସ୍ ଆକ୍ଟ (ଓଏଏମପିଏ ) ଅନୁଯାୟୀ ଆରଏମସିକୁ ପରିଚାଳନା କରାଯାଉଛି।

Advertisment

ରାଜ୍ୟ ସରକାର ଗତ ୨୦୧୯ ମସିହାରେ ଏହି ଆଇନକୁ  ସ୍ଥଗିତ କରି ନୂଆ ଆଇନ ଆଣିବାକୁ ଯୋଜନା କରିଥିଲେ। ରାଜ୍ୟସରକାର ଏହି ୫ବର୍ଷ ମଧ୍ୟରେ  ନୂଆ ଆଇନ୍ ପ୍ରସ୍ତୁତ କରି ନ ପାରି  ପୁଣି  ସେହି ପୁରୁଣା ଆଇନକୁ ବଳବତ୍ତର ରଖି ଏହି ଆଇନ୍ ଜରିଆରେ ଆରଏମସି ପରିଚାଳନା କରିବାକୁ ନିର୍ଦେଶ ଦେଇଛନ୍ତି। ପୁରୁଣା କମିଟିର କାର୍ଯ୍ୟକାଳ ସରି ୧୦ବର୍ଷ ବିତିଯାଇଥିବାରୁ ନୂତନ କମିଟି ଗଠନ ପାଇଁ ନିର୍ବାଚନ କେବେ କରାଯିବ ତାହାକୁ ନେଇ କୃଷକ ସଂଗଠନ ସଭ୍ୟ ମାନେ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁଯାୟୀ,  ଓଏଏମପିଏ ଆଇନ ଦ୍ବାରା ଗତ ୨୦୧୧ ମସିହାରେ ଶେଷ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କମିଟିର କାର୍ଯ୍ୟକାଳ ୨୦୧୪ରେ ସରିଯାଇଥିଲା। ସେ ସମୟରେ  ୧୪ଜଣ ସଭ୍ୟ ନିର୍ବାଚିତ ଓ ୩ଜଣ ସଭ୍ୟ ମନୋନୀତ ହେବା ପରେ ୧୭ଜଣ ସଭ୍ୟଙ୍କୁ ନେଇ ପରିଚାଳନା କମିଟି ଗଠନ କରାଯାଇଥିଲା। ଏହି କମିଟିରେ ରାଜ୍ୟସରକାରଙ୍କ ଅନୁମୋଦିତ କୃଷକ ସଂଗଠନରୁ ୮ଜଣ ,  ପୌରପାଳିକାରୁ ଜଣେ , ୪ଜଣ ବ୍ୟବସାୟୀ, ପଂଚାୟତରୁ ଜଣେ  ଏଭଳି ୧୪ଜଣ ସଭ୍ୟ  ନିର୍ବାଚିତ ହୋଇ ଆସିଥିଲେ। ଏହା ବାଦେ ଓଏଏମପିଏର  ପରିଚାଳନା ମାର୍ଗଦର୍ଶିକା  ଅନୁଯାୟୀ ରାଜସ୍ବ   ଅଧିକାରୀ, ଜିଲ୍ଲା ସମବାୟ ଉପନିବନ୍ଧକ (ଡିଆରସିଏସ୍ ) ଓ ଆରସିଏମଏସର ସଭାପତି ସଭ୍ୟ ଭାବେ ରହିବା ବାଧ୍ୟତାମୂଳକ।

ମାର୍ଗଦର୍ଶିକା ଅନୁଯାୟୀ ରାଜସ୍ବ ଅଧିକାରୀ କମିଟିର ସଭାପତି ଏବଂ ଏବଂ ନିର୍ବାଚିତ  ସଭ୍ୟଙ୍କ ମଧ୍ୟରୁ ଜଣେ ଉପସଭାପତି ଭାବେ ନିର୍ବାଚିତ କରିବାକୁ ନିର୍ଦେଶ ରହିଥିଲା। କୋରାପୁଟରେ ୧୭ଜଣ ସଭ୍ୟ କୋରପୁଟ ଆରଏମସିର ପରିଚାଳନା ଭାରରେ ରହିଛନ୍ତି।

ଅପରପକ୍ଷରେ ଜୟପୁରରେ ନିର୍ବାଚିତ ୧୪ଜଣଙ୍କ ମଧ୍ୟରୁ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହେବା ପରେ  ଏବେ ୧୩ଜଣ ସଭ୍ୟଙ୍କ ହାତରେ ରହିଛି ଜୟପୁର ଆରଏମସିର ପରିଚାଳନା ଭାର। ଉଭୟ ଆରଏମସିର କୋଟି କୋଟି ଟଙ୍କାର ନିଜସ୍ବ ଆୟ ରହିଛି। ଏହା ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ନିଷ୍ପତି ଏହି କମିଟି ହିଁ ନେ‌ବ। ଏବେ ସବୁ ସମବାୟ ଅନୁଷ୍ଠାନ ଗୁଡିକର ନିର୍ବାଚନ ସରିବା  ପରେ ଆରଏମସିର ନିର୍ବାଚନ ବି କରାଯାଉ ବୋଲି କୃଷକ ସଂଗଠନ ଗୁଡିକ ପକ୍ଷରୁ ଦାବି କରାଯାଇଛି। ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି। ଅତିଶୀଘ୍ର ‌ନିର୍ବାଚନ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି କୋରାପୁଟ ଆରଏମସି ସଂପାଦକ ଅରୁଣ ଜେନା ।