କୋରାପୁଟ: ଯେଉଁ ଅଂଚଳର ଗମନାଗମନର ବିକାଶ ହେବ ସେହି ଅଂଚଳର କୃଷି, ବ୍ୟବସାୟ ସହ ଆର୍ଥନୈତିକ ସ୍ବଚ୍ଛଳତା ସବୁ ବର୍ଗ ଲୋକଙ୍କର ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୨ଟି ଡିଭିଜନର ଜାତୀୟ ରାଜପଥ ୨୬ ଓ ୩୨୬ର ପ୍ରଶସ୍ତୀକରଣ ଓ ପୁନଃରୁଦ୍ଧାର ପାଇଁ ଗତ ୬ବର୍ଷ ମଧ୍ୟରେ ୧୦ଟି ପ୍ରକଳ୍ପ ପାଇଁ ୩୯୦କୋଟିର ଅନୁଦାନ ଦେଇଛନ୍ତି।
ଅନୁଦାନ ପାଇବା ପରେ ବୋରିଗୁମ୍ମା ବାଇପାସ୍ ଜମି ଅଧିଗ୍ରହଣ ସରିନଥିବାରୁ କିଛି ପ୍ରକ୍ରିୟା ଆରମ୍ଭ ହୋଇନି। ପାତ୍ରପୁଟ ବ୍ରିଜ୍, ଘାଟିର ମୋଡ଼କୁ ମସ୍ରୁଣ କରିବା ପ୍ରକ୍ରିୟା ଡିଜାଇନ, ବଙ୍ଗଳାଗୁଡା ବ୍ରିଜ୍ ପାଇଲ୍ ପରୀକ୍ଷଣରେ ଲଟକି ରହିଛି। ପ୍ରକଳ୍ପ ଗୁଡ଼ିକୁ ନେଇ ଗତ ଜିଲ୍ଲାପରିଷଦ ବୈଠକରେ ତୁମ୍ବିତୋଫାନ ଉଠିଥିଲା।
ସୂଚନା ଅନୁଯାୟୀ, ଜୟପୁର ଡିଭିଜନରେ ଏହି ୬ବର୍ଷରେ ୬ଟି ପ୍ରକଳ୍ପ ପାଇଁ ୩୨୬.୫କୋଟିର ଯୋଜନା କରାଯାଇଥିବା ବେଳେ ଏଥିରୁ ଗୋଟିଏ ପ୍ରକଳ୍ପର କାମ ସରିନି। ୨୦୧୯ମସିହାରେ ବୋରିଗୁମ୍ମା ଠାରୁ ବାରିଣୀପୁଟ ଘାଟି ଯାଏଁ ୨୬.୨ କିଲୋମିଟର ରାସ୍ତାର ପ୍ରଶସ୍ତିକରଣ ଓ ୨ଥାକିଆ ରାସ୍ତା ନିର୍ମାଣ କାମ ୬୬.୨୪କୋଟି ଟଙ୍କାରେ କାମ ଆରମ୍ଭ ହୋଇଥିଲା। ୬ବର୍ଷ ପରେ ଏ ଯାଏଁ ୯୩ପ୍ରତିଶତ କାମ ସରିଛି। ଜୟପୁର ବାଇପାସ୍ ରାସ୍ତା ନିର୍ମାଣ ୬୮.୩୦ କୋଟି ବ୍ୟୟରେ ଆରମ୍ଭ ହୋଇଥିବା ବେଳେ ଦେଢ଼ ବର୍ଷ ମଧ୍ୟରେ ମାତ୍ର ୧୫ପ୍ରତିଶତ କାମ ସରିଛି। କୋଟପାଡ଼ ବାଇପାସ ରାସ୍ତା ନିର୍ମାଣ ପାଇଁ ୫୧.୬୦କୋଟି ବ୍ୟୟରେ କରାଯାଉଥିବା ବେଳେ ୧୫ପ୍ରତିଶତ କାମ ସରିଛି।
ପାତ୍ରପୁଟ କୋଲାବ ନଦୀ ଉପରେ ଉଚ୍ଚ ପୋଲ ନିର୍ମାଣ ପାଇଁ ୨୦୨୩ମସିହାରୁ ୧୮.୭୧କୋଟିରେ ଠିକା ସଂସ୍ଥା ଠିକା ନେଇଥିବା ବେଳେ ଏବେ ଏହାର କାର୍ଯ୍ୟବନ୍ଦ ରହିଛି। ଠିକାସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରିଛି ଏନଏଚ୍।କୋରାପୁଟ-ଜୟପୁର ଘାଟିରେ ଥିବା ମୋଡ ଗୁଡିକୁ ମସୃଣ କରିବା ପାଇଁ ୬.୩୫କୋଟିରେ ଠିକା ସଂସ୍ଥା କାମ ଆରମ୍ଭ କରି ଗଛ କାଟିବା ପରେ କାମ ବନ୍ଦ ରଖିଛି। ଅପରପକ୍ଷରେ ସଂସ୍ଥା ଡିଜାଇନ୍ ତିଆରି କରୁଥିବା ଏନଏଚ ସଫେଇ ଦେଉଛି। ବୋରିଗୁମ୍ମା ବାଇପାସ୍ ରାସ୍ତା ନିର୍ମାଣ ପାଇଁ ୫୦.୪କୋଟିର ଅନୁଦାନ ସହ ଜମି ଅଧିଗ୍ରହଣ ପାଇଁ ୧୫.୮୫କୋଟି ମିଳିଛି। ସମ୍ପୂର୍ଣ୍ଣ ରୁପେ ଜମି ଅଧିଗ୍ରହଣ ହୋଇ ନଥିବାରୁ ଏହାର ଟେଣ୍ଡର ବି ହୋଇପାରିନି।
ଅପରପକ୍ଷରେ, ସୁନାବେଡ଼ା ଡିଭିଜନର ସେମିଳିଗୁଡା ସହର ମଧ୍ୟରେ ଏନଏଚ୨୬ରେ ଡିଭାଇଡର, ଷ୍ଟ୍ରିଟ୍ ଲାଇଟ, ଓ ଡ୍ରେନ ନିର୍ମାଣ କାମ ୨୦୨୦-୨୧ରେ ୨ଟି ପର୍ଯ୍ୟାୟରେ ୫କୋଟିର କାମ ଏଯାଏଁ ଆରମ୍ଭ ହୋଇନି। କୋରାପୁଟ ମଙ୍ଗଳା ମନ୍ଦିର ଠାରୁ ସୁନାବେଡା ଯାଏଁ ରାସ୍ତା ପ୍ରଶସ୍ତିକରଣ ୪୪.୦୬କୋଟିର କାମ ସରିବା ନାଁ ନେଉନି। ଏନଏଚ ୩୨୬ର ବଙ୍ଗଳାଗୁଡା ନିକଟରେ ଗତ ୨ବର୍ଷ ହେବ ବ୍ରିଜ୍ ଧୋଇ ହୋଇ ଯିବା ପରେ ୮.୮୦କୋଟିରେ ନିର୍ମାଣାଧୀନ ଥିବା ବ୍ରିଜ୍ର କାମ ପାଇଲ୍ ପରୀକ୍ଷଣ ପରେ ବନ୍ଦ ହୋଇଯାଇଛି। ଏପରି ଜିଲ୍ଲାର ୧୦ଟି ପ୍ରକଳ୍ପ ମଧ୍ୟରୁ ୪ଟି ପ୍ରକଳ୍ପର ହିଁ କାମ ଜାରୀ ରହିଛି। ବଳକା ପ୍ରକଳ୍ପ କେବେ ସରିବ ତାହା ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ କେହି ବି ସ୍ପଷ୍ଟ ଉତ୍ତର ଦେଇପାରୁନାହାନ୍ତି। ପ୍ରକଳ୍ପରର ଠିକାସଂସ୍ଥାକୁ କଳାତାଲିକାଭୁକ୍ତ କରିବା ପାଇଁ ଜିଲ୍ଲାପରିଷଦ ବୈଠକରେ ସମସ୍ତ ୫ଟି ଯାକ ବିଧାୟକ ଦାବି ଉଠାଇଥିଲେ। ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ନିରୀକ୍ଷଣ କରି ସ୍ବତନ୍ତ୍ର ସମୀକ୍ଷା ବୈଠଖ କରି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।