ଭୁବନେଶ୍ବର: ପୁଣି ଜଣେ ବିଜେଡି ନେତ୍ରୀ ଦଳ ଛାଡ଼ିଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଯାଜପୁର ଜିଲ୍ଲା ବରୀ ବିଧାନସଭା ଆସନର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଗତକାଲି ବିଜେଡିରୁ ଇସ୍ତାଫା ଦେଇଛନ୍ତି। ସେ ନିଜର ପ୍ରାଥମିକ ସଦସ୍ୟ ପଦବିରୁ ଇସ୍ତଫା ଦେଇଛନ୍ତି। ୨୦୧୯ରେ ବରୀ ଆସନରେ ବିଜେଡିର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବାରୁ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକାରେ ମଧ୍ୟ ସୁନନ୍ଦାଙ୍କୁ ଯୋଡ଼ା ଯାଇନଥିଲା। ଏହି ତାଲିକାରେ ୬ ଜଣଙ୍କର ନାଁ ଥିଲା। ଏଥିରେ ୫ଟି ଅସନରେ ପ୍ରାର୍ଥୀଙ୍କ ନାମ ବଦଳିଥିଲା। ଏହି କ୍ରମରେ ବରୀ ଆସନରେ ମଧ୍ୟ ବଦଳିଥିଲା ପ୍ରାର୍ଥୀତ୍ୱ । ୨୦୧୯ରେ ବରୀରୁ ବିଜେଡି ଟିକେଟ୍ ପାଇ ବିଧାୟିକା ହୋଇଥିବା ସୁନନ୍ଦା ଦାସଙ୍କ ଟିକେଟ୍ କଟି ଏଥର ଏଠାରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ୨୦୧୯ରେ ସୁନନ୍ଦା ଏଠାରୁ ବିଜେପିରେ ଥିବା ବିଶ୍ୱରଂଜନଙ୍କୁ ପାଖାପାଖି ସାଢେ ୪ହଜାର ଭୋଟରେ ହରାଇ ବିଜୟୀ ହୋଇଥିଲେ । ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ ମଧ୍ୟ କରିଥିଲେ। ତଥାପି ତାଙ୍କୁ ଏଥର ଦଳ ଭରସା କରି ନଥିଲା। ବିଶ୍ୱରଞ୍ଜନ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପରେ ଦଳର ନିଷ୍ପତ୍ତି ବଦଳିଯାଇଥିଲା।
ସାଧାରଣ ନିର୍ବାଚନ-୨୦୨୪କୁ ୫ ମାସ ବିତିଛି। ନିକଟରେ କୌଣସି ବଡ଼ଧରଣର ନିର୍ବାଚନ ନାହିଁ। କିନ୍ତୁ ଅସନ୍ତୁଷ୍ଟ ନେତାମାନେ ଜଣକ ପରେ ଜଣେ ବିଜେଡି ଛାଡୁଛନ୍ତି। ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳ ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ତାଙ୍କ ପରେ ମଧ୍ୟ ଅନେକ ନେତା ଦଳ ଛାଡ଼ିଛନ୍ତି।
୨୦୧୯ ନିର୍ବାଚନରେ ଟିକେଟ୍ ନମିଳିବା ପରେ ସୁନନ୍ଦା କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ, ୨୦୧୯ରେ ଯେତେବେଳେ ସେ ମାତ୍ର ସାଢେ୪ ହଜାର ଭୋଟରେ ଜିତିଥିଲେ । ଏବେ ବିଜଡିର ଭୋଟ ୪୦ ହଜାରରେ ସେ ପହଞ୍ଚାଇଛନ୍ତି। ତଥାପି ତାଙ୍କ ଉପରେ ଦଳ ଭରସା କଲାନି। ଗତ ୩ ମାସ ଧରି ପାର୍ଟି ଅଫିସରୁ ବାରମ୍ବାର ରିପୋର୍ଟ ମଗାଇଥିଲେ । ରିପୋର୍ଟ ଠିକ ଥିଲେ ବି ତାଙ୍କ ଟିକେଟ୍ କଟିଗଲା। ତାଙ୍କ ବିରୋଧରେ ସଙ୍ଗୀନ ଷଡଯନ୍ତ୍ର ହୋଇଛି। ସମୟ ଆସିଲେ ସବୁ ସତ ଜଣାପଡ଼ିବ।