ରାଉରକେଲା: ପାର୍ବଣରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ରାଉରକେଲା ପୁଲିସ, ଅବକାରୀ ପୁଲିସ ତତ୍ପର ହୋଇଉଠିଛି। ରାଉରକେଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ, ଯାଞ୍ଚ କରାଯାଉଛି। ଗାଡ଼ି ଯାଞ୍ଚକୁ କଡ଼ା କରାଯାଇଥିବାବେଳେ ଚୋରି, ଛିନ୍ତାଇ ରୋକିବାକୁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ଅଛନ୍ତି। ଏହାସହ ରେଳ ଷ୍ଟେସନ, ବସଷ୍ଟାଣ୍ଡ୍ରେ କଡ଼ା ପହରା ଦିଆଯାଉଛି।
ରେଳ ଷ୍ଟେସନରେ ବୁଲିଲା ସନ୍ଧାନୀ କୁକୁର
ଆଗାମୀ ପର୍ବ ସମୟରେ ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବାକୁ ଆର୍ପିଏଫ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି। ଆଜି ରେଳ ଷ୍ଟେସନ ପରିସରରେ ସନ୍ଧାନୀ କୁକୁର ନିୟୋଜିତ ହୋଇଛନ୍ତି। ପୂର୍ବାହ୍ନରେ ଡଗ୍ ସ୍କ୍ବାଡ୍ ବିଭିନ୍ନ ପ୍ଲାଟ୍ଫର୍ମ ବୁଲି ଯାଞ୍ଚ କରିଥିଲେ। ବିଶେଷକରି ଉଭୟ ମୁଖ୍ୟ ପ୍ରବେଶ ପଥ ଓ ଗୋପବନ୍ଧୁପାଲୀ ଦ୍ବିତୀୟ ପ୍ରବେଶପଥରେ ଯାଞ୍ଚକୁ ଦ୍ବିଗୁଣିତ କରାଯାଇଛି। ଯାତ୍ରୀଙ୍କ ବ୍ୟାଗ୍, ଲଗେଜ୍ ଆଦି ତନ୍ନତନ୍ନ କରି ଛାନ୍ଭିନ କରାଯାଇଥିଲା। ଏହାସହ ଆରପିଏଫ୍ ଯବାନ ଘନଘନ ଯାଞ୍ଚ କରୁଛନ୍ତି। ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଅବ୍ୟାହତ ରହିବବୋଲି କହାଯାଇଛି।
ବିଭିନ୍ନ ଛକରେ ପୁଲିସ ଯାଞ୍ଚ
ଦୀର୍ଘଦିନ ହେଲା ସହରରେ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉନଥିଲା। ପାଟ୍ରୋଲିଂ ବି ସୀମିତ ରହିଥିଲା। ଏବେ କିନ୍ତୁ ପୁଲିସ ବେଶ୍ ସକ୍ରିୟ ହୋଇଉଠିଛି। ରବିବାର ସନ୍ଧ୍ୟାରେ ସହରର ବିଭିନ୍ନ ଛକରେ ପୁଲିସ ଯାଞ୍ଚ କରିଥିଲା। ସେକ୍ଟର-୨, ୭/୧୭ ଛକ ଆଦିରେ ପୁଲିସ ମୁତୟନ ରହି ଯାଞ୍ଚ କରିଥିଲେ। ଏକାଧିକ ଯାତ୍ରୀ ବିନା ହେଲ୍ମେଟ୍, ସିଟ୍ ବେଲ୍ଟ ପିନ୍ଧି ଯାତ୍ରା କରୁଥିବାରୁ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଏତଦ୍ବ୍ୟତୀତ ବିଭିନ୍ନ ଛକରେ ପୁଲିସ ମୁତୟନ ହୋଇଥିବାବେଳେ ପୂର୍ବାପେକ୍ଷା ପାଟ୍ରୋଲିଂକୁ ବୃଦ୍ଧି କରାଯାଇଛି।
ଅବକାରୀ ବିଭାଗର ଚଢ଼ଉ
ଏକପ୍ରକାର ହାତବାନ୍ଧି ବସିଥିବା ଅବକାରୀ ପୁଲିସ ମଧ୍ୟ ଏବେ ସଜାଗ ହୋଇଯାଇଛି। ସହର ଓ ଆଖପାଖ ଅଞ୍ଚଳରେ ଅତର୍କିତ ଚଢ଼ଉକରି ଦେଶୀ ଓ ନକଲି ବିଦେଶୀ ମଦ ବେପାରୀଙ୍କ ଉପରେ ଅଙ୍କୁଶ ଲଗାଇଛି। ଆଜି ସ୍ଥାନୀୟ ଛେଣ୍ଡ୍, ବାଗବୁଡ଼ି, ଲୁଙ୍ଗେଇ ଆଦି ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ବେପାରୀମାନେ ଦେଶୀ ମଦ ତିଆରିବାକୁ ରଖିଥିବା ୪୭୬୦ କେଜି ମହୁଲ ପୋଚକୁ ଜବତ କରାଯାଇଛି। ଏହାସହ ୧୮୧ ଲିଟର ରନ୍ଧା ମହୁଲି ମଦ ମଧ୍ୟ ଜବତ ହୋଇଛି। ଏହି ମାମଲାରେ ଅକାଳି ଭୂମିଜ(୪୦)ଙ୍କୁ ଗିରଫ କରାଯାଇଛି। ତେବେ ଅନ୍ୟ ତିନି ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଦିନକପୂର୍ବେ ମଦ ବିକ୍ରି ଅଭିଯୋଗରେ ଅବକାରୀ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା। ଅଭିଯୁକ୍ତମାନେ ସୁଇଡିହି, ଟାଙ୍ଗରପାଲି, ଖୁଣ୍ଟଗାଁ, କୁନ୍ଦୁରା ଆଦି ଅଞ୍ଚଳରେ ଦେଶୀ ମଦ ରାନ୍ଧିବାସହ ରାଉରକେଲାକୁ ଚୋରାଚାଲାଣ କରୁଥିଲେ। ସେମାନଙ୍କ ପାଖରୁ ୨୮୨ ଲିଟର ଦେଶୀ ମଦ ଓ ୨୭୫୦ କେଜି ମହୁଲପୋଚ ଓ ଗୋଟିଏ ମୋଟର ସାଇକଲ ଜବତ କରିଥିଲା।