ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ଅବକାରୀ ବିଭାଗ ପକ୍ଷରୁ ମହେନ୍ଦ୍ରୀ ଗ୍ରାମରେ ଚଢ଼ଉ କରାଯାଇ ଗୋଟିଏ ପରିତ୍ୟକ୍ତ ଗୃହରୁ ୨୫ କୁଇଣ୍ଟାଲ ମହୁଲ ଜବତ କରାଯାଇଛି। ତେବେ ପରିତ୍ୟକ୍ତ ଘରେ ବେଆଇନ ଭାବେ ଥିବା ମହୁଲ କାହାର ତାହା ଜଣା ପଡ଼ି ନ ଥିବା ବେଳେ ଅବକାରୀ ବିଭାଗ ତରଫରୁ କେସ ନ ୯୯/୨୫/୨୬ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Advertisment

ନବରଙ୍ଗପୁର ଅବକାରୀ ଅଧୀକ୍ଷକ ପ୍ରତାପ ଦାସଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଅପରାହ୍ନରେ ଡାବୁଗାଁ ଅବକାରୀ ଥାନା ଅଞ୍ଚଳ ମହେନ୍ଦ୍ରୀ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା। ଏକ ପରିତ୍ୟକ୍ତ ଘରେ ବେଆଇନ ଭାବେ ମହୁଲ ରହିଥିବା ଖବର ପାଇ ଅବକାରୀ କର୍ମଚାରୀ ସେହି ଘରେ ଚଢ଼ଉ କରିଥିଲେ।

ତେବେ ସେହି ସମୟରେ ଗ୍ରାମବାସୀଙ୍କ ସହ ଅବକାରୀ କର୍ମଚାରୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଅବକାରୀ କର୍ମଚାରୀ ମହୁଲ ଜବତ କରି ନ ପାରି ଦୀର୍ଘ ୩ ଘଣ୍ଟା ଉକ୍ତ ସ୍ଥାନରେ ରହିଥିଲେ। ଶେଷରେ ନବରଙ୍ଗପୁର ଏସଡିପିଓ ଶୁଭେନ୍ଦୁ ଶବର, ଡାବୁଗାଁ ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୂପାତ୍ର, ଏସ ଆଇ ଚନ୍ଦନ ସାହୁଙ୍କ ଉପସ୍ଥିତି ପରେ ଉତ୍ତେଜନା ହ୍ରାସ ପାଇଥିଲା। ପରେ ଅବକାରୀ କର୍ମଚାରୀ ପରିତ୍ୟକ୍ତ ଘରୁ ବେଆଇନ ଭାବେ ରଖା ଯାଇଥିବା ୮୦ ବସ୍ତା ମହୁଲ (୨୫ କ୍ୟୁଣ୍ଟାଲ ୬୦ କେଜି) ଜବତ କରିଥିଲେ। ତେବେ ମହୁଲ କାହାର ତାହା ତଦନ୍ତ ଜାରି ରହିଥିବା ବେଳେ ଏହି ଚଢ଼ଉରେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ଦିଲିପ କୁମାର ରଥ, ଡାବୁଗାଁ ଅବକାରୀ ଓଆଇସି ସମୀର କୁମାର ସ୍ୱାଇଁ ଓ ଅନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ।

Nabarangpur | Odisha Excise