ପାରଳାଖେମୁଣ୍ଡି: ବାପାଙ୍କ ମୃତ୍ୟୁର ଅଳ୍ପ କିଛି ମାସ ପରେ ପୁଅର ମୃତ୍ୟୁ ହୋଇଛି। ମସ୍ତିଷ୍କାଘାତରେ ପ୍ରାଣ ହରାଇଥିବା ୩୧ ବର୍ଷୀୟ ଯୁବକଙ୍କ ପରଲୋକରେ ଭାଙ୍ଗି ପଡ଼ିଥିବା ବେଳେ ସେମାନେ ମୃତ ପୁଅର ଅଙ୍ଗକୁ ଦାନ କରି ତାଙ୍କୁ ସବୁଦିନ ପାଇଁ ଅମର କରିଦେଇଛନ୍ତି। ଏହି ଖବର ପ୍ରସାରିତ ହେବାପରେ ବିଭିନ୍ନ ମହଲରେ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି। ମୃତ ଯୁବକ ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ତେଲିଗୌଡ଼ସାହିର ନରେଶ ପଟ୍ଟନାୟକ।

Advertisment

ନରେଶଙ୍କ ଶେଷଯାତ୍ରାରେ ସହରର ହଜାରହଜାର ଲୋକେ ସାମିଲ ହୋଇ ବିଦାୟ ଜଣାଇଛନ୍ତି। ନରେଶଙ୍କୁ ଉଭୟ ଆନ୍ଧ୍ର ଓ ଓଡିଶା ପୁଲିସ୍ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। 

ପାରଳାଖେମୁଣ୍ଡିର ତେଲିଗୌଡ଼ସାହିର ନରେଶ ଗତ ୯ ତାରିଖରେ ହଠାତ୍ ମସ୍ତିଷ୍କାଘାତରେ ପୀଡ଼ିତ ହୋଇଥିଲେ। ତୁରନ୍ତ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆନ୍ଧ୍ରର ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ନରେଶଙ୍କ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ବାପା ନାଗରାଜ ପଟ୍ଟନାୟକଙ୍କ କିଛି ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା। ତେଣୁ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଏବେ ପୁଅର ମୃତ୍ୟୁ ପରେ ପରିବାର ସଂପୂର୍ଣ୍ଣ ରୂପେ ଭୁଶୁଡ଼ିପଡ଼ିଛି। କିନ୍ତୁ ନରେଶଙ୍କୁ ସ୍ମୁତିରେ ରଖିବା ପାଇଁ ତାଙ୍କ ମା’ ଉଷାରାଣୀ ଅଭିନବ ଚିନ୍ତା କରିଥିଲେ। ତାଙ୍କୁ କିଭଳି ସବୁଦିନ ପାଇଁ ଅମର କରିବେ ଏବଂ ଅନ୍ୟ ଲୋକେ ପୁଅର ଅଙ୍ଗକୁ ଲଗାଇ ବଞ୍ଚିପାରିବେ ଏବଂ ଏହି ସୁନ୍ଦର ଦୁନିଆକୁ ଉପଭୋଗ କରିପାରିବେ, ସେନେଇ ନିଷ୍ପତ୍ତି ନେଇଥିଲେ। ତୁରନ୍ତ ପୁଅର ଚକ୍ଷୁ, ହୃଦୟ, ଯକୃତ ଆଦିକୁ ଦାନ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ।

ପୁଅର ଅଙ୍ଗଦାନ ନେଇ ଉଷାରାଣୀ କହନ୍ତି ଯେ, ମୁଁ ଜଣେ ଡାକ୍ତରଙ୍କ ଝିଅ। ମଣିଷ ଅଙ୍ଗର ଆବଶ୍ୟକତାକୁ ମୁଁ ଠିକ ଭାବେ ବୁଝିଛି। ଜଣେ ମଣିଷର ବିଭିନ୍ନ ଅଙ୍ଗ ୬ଜଣ ଲୋକଙ୍କୁ ନୂଆ ଜୀବନ ଦେଇପାରିବ, ତାହା ବି ମୁଁ ବୁଝିଛି। ତେଣୁ ପୁଅର ମୃତ୍ୟୁ ପରେ ହସ୍ପିଟାଲ ପକ୍ଷରୁ ଆସିଥିବା ଅନୁରୋଧକୁ ରକ୍ଷା କରି ଅଙ୍ଗଦାନ ପାଇଁ ରାଜି ହୋଇଛି। 

ନରେଶଙ୍କ ମୃତ୍ୟୁକୁ ନେଇ ସାରା ପାରଳାଖେମୁଣ୍ଡି ସହର ଯେତିକି ଦୁଃଖିତ ତାଙ୍କ ଅଙ୍ଗଦାନକୁ ନେଇ ସେତେକି ଗର୍ବିତ। ତେଣୁ ତାଙ୍କ ଶବାଧାରରେ ସହରର ହଜାର ହଜାର ଲୋକେ ସାମିଲ ହୋଇ ଶେଷ ବିଦାୟ ଜଣାଇଥିଲେ। ଅଙ୍ଗଦାନ କରିଥିବା ବ୍ୟକ୍ତି ଦେଶର ସମ୍ପତ୍ତି। ସରକାରଙ୍କ ନିଷ୍ପତ୍ତି ଆନୁସରେ ନରେଶଙ୍କୁ ଶେଷ ବିଜାୟ ସମୟରେ ଗଜପତି ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଗଜପତି ପୁଲିସ ଗାର୍ଡ ଅଫ ଅନର ପ୍ରଦାନ କରିଥିଲା। ନରେଶ ତାଙ୍କ ଜୀବନ କାଳରେ କେବେ କାହା ମନରେ ଦୁଃଖ ଦେଇନଥିଲେ। ବରଂ ସବୁବେଳେ ସମସ୍ତଙ୍କୁ ହସାଇ ହସାଇ ବେଦମ କରି ଦେଉଥିଲେ। ତାଙ୍କର ଏହି ଗୁଣକୁ ଆଜି ବି ଝୁରି ହେଉଛନ୍ତି ତାଙ୍କ ବନ୍ଧୁ, ପରିବାର ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକଟି ଲୋକ। ଅଙ୍ଗଦାନ ନରେଶଙ୍କୁ ସାରା ଜୀବନ ଅମର କରାଇଦେଲା ବୋଲି ତାଙ୍କ ବନ୍ଧୁ ଓ ପରିବାର ବର୍ଗ କହିଛନ୍ତି।