ବୈପାରିଗୁଡ଼ା: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହଦୂର ଶାସ୍ତ୍ରୀ କହିଥିଲେ, ‘ଜୟ ଯବାନ, ଜୟ କିସାନ...’। ଯବାନଙ୍କୁ ସମ୍ମାନ ଦେବା ପାଇଁ ସରକାର ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। କିନ୍ତୁ କିସାନଙ୍କୁ ତା’ର ଅଧିକାର ମିଳୁ ନଥିବା ଦୃଷ୍ଟିଗୋଚର ହେଉଛି। ଖରିଫ ଋତୁରେ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଞ୍ଚଳର ଚାଷୀ ସାର ନପାଇବାରୁ ତାତିଛନ୍ତି। ଗୋଟିଏ ଆଧାରକାର୍ଡକୁ ଗୋଟିଏ ବସ୍ତା ସାର ଦେଉଛି ଲ୍ୟାମ୍ପସ୍। ପର୍ଯ୍ୟାପ୍ତ ସାର ନମିଳିବାରୁ ଲ୍ୟାମ୍ପସରେ ତାଲା ପକାଇଲେ ଚାଷୀ।
ଖରିଫ ଋତୁ ଚାଲିଛି। ଚାଷୀମାନେ ଚାଷ କାମରେ ବ୍ୟସ୍ତ ଅଛନ୍ତି। ଅଧିକାଂଶ ଅଞ୍ଚଳରେ ଧାନ ବେଉଷଣ ଓ ତଳି ରୁଆ କାମ ସରିଛି। ଏବେ ଚାଷୀମାନେ ସାର ଆବଶ୍ୟକ କରୁଛନ୍ତି। ଧାନ ଖେତରେ ଠିକ ସମୟରେ ସାର ଉପଯୋଗ କରିପାରିଲେ ଫସଲ ଭଲ ଅମଳ ହେବ ବୋଲି ଆଶା ରଖିଛନ୍ତି। କିନ୍ତୁ ଅନେକ ସ୍ଥାନରେ ସାର ଅଭାବ ଏକ ବଡ଼ ଅସୁବିଧା ସୃଷ୍ଟି କରିଛି।
ଚାଷୀମାନେ ଦୀର୍ଘ ଏକମାସ ହେଲା ଚାଷ କାମ ସାରିଛନ୍ତି। କିନ୍ତୁ ବୈପାରିଗୁଡ଼ା ଲ୍ୟାମ୍ପସରେ କୌଣସି ପ୍ରକାର ସାର ଦିଆଯାଉନାହିଁ। ସରକାରୀ ନିୟମ ପ୍ରକାରେ ଧାନ ରୋଇବାର ୨୧ ଦିନ ପରେ ଜମିରେ ସାର ପକେଇବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ସାର ପ୍ରଦାନ କରାଯାଇନାହିଁ। ଗୋଟିଏ ଆଧାରକାର୍ଡରେ ଯଦି ଗୋଟିଏ ବସ୍ତା ସାର ଦିଆଯିବ ତେବେ ୧୦ ଏକର ଜମି ଚାଷ କରୁଥିବା ଚାଷୀ ଗୋଟିଏ ବସ୍ତା ନେଇ କଣ କରିବ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ।
ଦେଶରେ ମଲେ ଯବାନ ଆଉ ଗାଁରେ ମଲେ କିସନ। ଜୟ ଯବାନ ଜୟ କିସାନର କିଛି ମୂଲ୍ୟ ନାହିଁ ବୋଲି ମଧ୍ୟ କହିଛନ୍ତି ଚାଷୀ। ଯଥାଶୀଘ୍ର ଯଦି ପର୍ଯ୍ୟାପ୍ତ ପରିମାଣର ସାର ଚାଷୀଙ୍କୁ ବଣ୍ଟନ କରାନଯାଏ ତେବେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବୈପାରିଗୁଡ଼ା ବ୍ଲକ ଚାଷୀ। ଲ୍ୟାମ୍ପସ୍ ଏମଡି ଅନୁପସ୍ଥିତ ଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Koraput | Baipariguda